କୋକସରା,୨୮/୫: କରୋନା ମହାମାରୀ ଯୋଗୁଁ ଦେଶରେ ବର୍ତ୍ତମାନ ଲକ୍ଡାଉନ୍ ଜାରିରହିଛି, ଫଳରେ ଜନସାଧାରଣ ନିଜ ନିଜ ଘରେ ରହୁଥିବାବେଳେ ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁଁ ଗରମରେ ଲୋକେ ସିଝୁଛନ୍ତି । ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍ କାଟ୍ ଚାଲିଥିବା ବେଳେ ଗତ ୩/୪ ଦିନ ହେବ ସନ୍ଧ୍ୟା ସମୟରୁ ପାଖାପୁଖି ରାତି ୧୨ ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟି ଦିଆଯାଉଛି ।
ଏହା ବ୍ୟତିତ ବିଲମ୍ବିତ ରାତିରେ ମଧ୍ୟ ଆହୁରି ମଝିରେ ମଝିରେ ବିଦ୍ୟୁତ କାଟ୍ ହେଉଥିବାବେଳେ ସକାଳ ସମୟରେ ମଧ୍ୟ ଅନେକ ଥର ବିଦ୍ୟୁତ୍ କାଟ୍ ହେଉଥିବା ଜଣାପଡିଛି । ତେବେ ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ଜନ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ପ୍ରକାଶଯୋଗ୍ୟ ଯେ, ଗତ କିଛିଦିନ ହେବେ କଳାହାଣ୍ଡି ଜିଲ୍ଲାରେ ୪୦ଂ ଉପରେ ପାରଦ ରହୁଥିବା ବେଳେ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଅସହ୍ୟ ଗରମରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏପରି ସ୍ଥିତିରେ ବାରମ୍ବାର ବିଦ୍ୟୁତ୍ କାଟ୍ ଲୋକଙ୍କୁ ଆହୁରି ବିଚଳିତ କରିଦେଉଛି । କିଛି ଦିନ ହେବ କୋକସରା ବ୍ଲକରେ ବାରମ୍ବାର ବିଦ୍ୟୁତ ବିଭାଗ ତରଫରୁ ଅଘୋଷିତ ଭାବରେ ବିଦ୍ୟୁତ୍ କାଟ୍ କରୁଥିବାରୁ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏପରି ସ୍ଥଳେ ଲୋକେ ଘରେ କୁଲର, ଫ୍ୟାନ୍ କିମ୍ବା ଏସି ବ୍ୟାବହାର କରି ନପାରି ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ।
ଏନେଇ ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ଦାସଙ୍କୁ ପଚାରିବାରୁ ୧୩୨ କେଭିରେ ସମସ୍ୟା ହେଉଛି । ଓଭର ଲୋଡିଙ୍ଗ ଦ୍ୱାରା ଏମିତି ହେଉଛି, ଏପର୍ଯ୍ୟନ୍ତ କୌଣସି ସୂଚନା ଆସିନାହିଁ, ଆମେ ଜଣାଇଛୁ ତଥାପି କେବେ ସୁଦ୍ଧା ସମସ୍ୟାର ସମାଧାନ ହେବ ଆପଣଙ୍କୁ ଜଣାଇଦେବୁ ବୋଲି କହିଥିଲେ ।