କୋକସରା,୩୦/୫: ଏକ ବିଶାକ୍ତ ସର୍ପ ଦଂଶନରେ କୋକସରା ବ୍ଲକ କୁମୁଡ଼ାମୁଣ୍ଡା ଗାଁ ଗୌତମ ପୁଝାରି (ପିଣ୍ଟୁ) ନାମକ ଜଣେ ୨୪ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ଶୁକ୍ରବାର ଅପରାହ୍ନ ସମୟରେ ନିଜ ଘରର ଖପର ସଜାଡୁଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ ଦଂଶନ କରିଥିଲା । ଏଥିରେ ସେ ଗୁରୁତର ହେବାରୁ ପରିବାରବର୍ଗ ପ୍ରଥମେ ଜଣେ ଗୁଣିଆଙ୍କ ଠାରେ ଝଡ଼ାଫୁଙ୍କା କରିଥିଲେ । ତେବେ ଅବସ୍ଥାରେ କିଛି ସୁଧାର ନହେବାରୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ଡାକ୍ତର ତାଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।