କୋକସରା,୪/୬: ଲକଡାଉନ ମଧ୍ୟରେ ସାରା ଦେଶର ପ୍ରବାସୀ ଶ୍ରମିକ ମାନଙ୍କ ଦୁର୍ଦ୍ଦଶାର ଚିତ୍ର ସଚେତନ ନାଗରିକ ମାନଙ୍କୁ ବ୍ୟଥିତ କରୁଛି । କିଏ ପାଦରେ ମାଇଲ ମାଇଲ ଚାଲି ଚାଲି ଭିଟା ମାଟିକୁ ଫେରୁଛି ତ କିଏ ଟ୍ରକ ପଛ ପଟ ଡାଳାରେ ଅବ୍ୟବସ୍ଥିତ ଭାବେ ଫେରୁଛି । ଆଉ କିଏ କିଏ ନିଜ ପଇସାରେ ଗାଡି ଭଡାକରି କର୍ମକ୍ଷେତ୍ର ବାହାର ରାଜ୍ୟରୁ ଘରକୁ ଫେରୁଛନ୍ତି । ଏପଟେ ଓଡିଶା ସରକାର ସରକାର ନିଜସ୍ୱ ଉଦ୍ୟମରେ ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ନିଜ ଭିଟା ମାଟିକୁ ଆଣୁଥିବା ଡିଣ୍ଡିମ ପିଟି ଚାଲିଛନ୍ତି । କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ । ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପ୍ରବାସୀମାନେ ନିଜସ୍ବ ପଇସାରେ ବସ ଭଡା କରି ଫେରୁଥିବା ଖବର ଆସି ପହଞ୍ଚୁଛି । ସେମିତି କଳାହାଣ୍ଡିର କିଛି ଶ୍ରମିକଙ୍କ କ୍ଷେତ୍ରରେ ଅଣଦେଖା ହୋଇଥିବା ଅଭିଯୋଗ ଆସିଥିବା ଦେଖିବାକୁ ମିଳିଛି ।
ଲକଡାଉନ ଯୋଗୁଁ ଦେଶାନ୍ତର ଶ୍ରମିକ ଘରକୁ ଫେରିବା ପ୍ରକ୍ରିୟା ଲାଗି ରହିଛି ତେବେ ଅନେକ କ୍ଷେତ୍ରରେ ସରକାରୀ ସହାୟତା ନ ପାଇ ନିଜେ ବର୍ଷ ତମାମ ଝାଳବୁହା ପରିଶ୍ରମରେ କମାଇଥିବା ଟଙ୍କା ଗଣି ଫେରୁଛନ୍ତି ପ୍ରବାସୀ ଶ୍ରମିକ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼, କଲମପୁର, ଜୟପାଟଣା, କୋକସରା ଓ ଗୋଳାମୁଣ୍ଡା ବ୍ଲକର ପ୍ରାୟ ୪୧ ଜଣ ଶ୍ରମିକ ଗୋଆରୁ ନିଜ ଉପାର୍ଜିତ ଟଙ୍କାରେ ବସ ଭଡା ଦେଇ ଫେରିଛନ୍ତି ।
ଏମାନଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି ସେମାନେ ନିଜ ପଞ୍ଚାୟତରେ ପଞ୍ଜିକରଣ କରି ସରକାରଙ୍କୁ ନିଜ ଭିଟାମାଟିକୁ ନେବା ପାଇଁ ଗୁହାରି କରିଥିଲେ ତେବେ ପ୍ରଶାସନ ସେମାନଙ୍କ ଆସିବା ପାଇଁ କୌଣସି ବ୍ୟବସ୍ଥା ନ କରିବାରୁ ନିଜସ୍ୱ ଉଦ୍ୟମରେ ୨ ଲକ୍ଷ ୪୭ ହଜାର ଟଙ୍କା ଭଡା ଦେଇ ଏକ ବସ ରେ ଗାଁ କୁ ଫେରିବା ପରେ ତାଙ୍କୁ ସଂଗରୋଧ କେନ୍ଦ୍ରରେ ଜିଲ୍ଲା ପ୍ରଶାସନ ରଖିଛି ।