ପଶ୍ଚିମ ଓଡିଶା ଇତିହାସ କଂଗ୍ରେସ ତରଫରୁ ଜାତୀୟ ଆଲୋଚନା ଚକ୍ର

ଭବାନୀପାଟଣା: ପଶ୍ଚିମ ଓଡିଶା ଇତିହାସ କଂଗ୍ରେସ ତରଫରୁ “ଭାରତରେ ସାମୁଦ୍ରିକ ପ୍ରତ୍ନତତ୍ତ୍ବ” ଶୀର୍ଷକ ଏକ ଜାତୀୟ ସ୍ତରୀୟ ଭର୍ଚୁଆଲ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ଐତିହାସିକ ତଥା ଆବାହକ ଡ. ବାବା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସର ପତିତପାବନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ହରପ୍ପା ସଭ୍ୟତା ସମୟରୁ ଆରମ୍ଭ କରି ଭାରତରେ ସାମୁଦ୍ରିକ ନୌଚାଳନାର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଭାରତ ସରକାରଙ୍କର ଗୋଆସ୍ଥିତ ଜାତୀୟ ସାମୁଦ୍ରିକ ସଂସ୍ଥାନର ମୁଖ୍ୟ ବୈଷୟିକ ଅଧିକାରୀ ଡ. ଶିଳା ତ୍ରିପାଠୀ ମୁଖ୍ୟ ଆଲୋଚକ ଭାବରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନରେ ଭାରତୀୟ ସାମୁଦ୍ରିକ ପ୍ରତ୍ନତତ୍ତ୍ୱିକ ଗବେଷଣା ଓ ଆବିଷ୍କାର ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ସଭାପତି ଡ. ବାବା ମିଶ୍ର ଇତିହାସ ଗବେଷଣାରେ ପଶ୍ଚିମ ଓଡିଶା ଇତିହାସ କଂଗ୍ରେସର ଆବଶ୍ୟକତା ଓ ଯୁବ ଗବେଷକମାନଙ୍କ ଭୂମିକା ସମ୍ପର୍କରେ ଅବଗତ କରିଥିଲେ। ଆଲୋଚନାଚକ୍ରର ପ୍ରାରମ୍ଭରେ ପଶ୍ଚିମ ଓଡିଶା ଇତିହାସ କଂଗ୍ରେସର ସେକ୍ରେଟାରୀ ଡ. ତ୍ରିଲୋଚନ ଜେନା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏଥିରେ ସାରା ଭାରତ ବର୍ଷରୁ ଅନେକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଗବେଷକମାନେ ଅଂଶଗ୍ରହଣ କରିଥିଲେ। ଡ. ରଣବୀର ସିଂ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ , ମିସ୍ ସଙ୍ଗୀତା ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ସହ ଡ. କଳ୍ପନା ମେହେର, ଡ. ସାକିର ହୁସେନ୍, ଡ. ନଳିନୀକାନ୍ତ ରଣା, ଅଧ୍ୟାପକ ରାଜେଶ ମହାନ୍ତି, ଡ. ଗୀତା ରାଉତ ଓ ଅଧ୍ୟାପକ କ୍ଷୀରସାଗର ରଣା ପ୍ରଭୃତି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.