ପାଇକ ବିଦ୍ରୋହ ହିଁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ

ଭୁବନେଶ୍ୱର: ୧୮୧୭ ମସିହା ପାଇକ ବିଦ୍ରୋହ ହିଁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ବହୁ ବିଶିଷ୍ଟ ବକ୍ତା ମତବ୍ୟକ୍ତ କରିଛନ୍ତି । ଭୁବନେଶ୍ୱରସ୍ଥିତ ପତ୍ରସୂଚନା କାର୍ଯ୍ୟାଳୟ ଓ ଆଞ୍ଚଳିକ ଜନସମ୍ପର୍କ ବ୍ୟୁରୋ ପକ୍ଷରୁ ମିଳିତଭାବେ ଆୟୋଜିତ ୱେବିନାରରେ ଯୋଗଦେଇ ବକ୍ତାଗଣ ଏହା କହିଛନ୍ତି । ୱେବିନାରରେ ଅଂଶଗ୍ରହଣ କରି ବିଶିଷ୍ଟ ଐତିହାସିକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ କହିଥିଲେ ଯେ ମାର୍ଚ୍ଚ ୨୯ତାରିଖ ୧୮୧୭ ମସିହାରେ ଘୁମୁସରକୁ ଶତାଧିକ ବ୍ୟକ୍ତିଙ୍କ ବାଣପୁର ଅଭିମୁଖେ ଯାତ୍ରା ତଥା ଟ୍ରେଜେରୀ ଲୁଟ୍ ଇତ୍ୟାଦିରୁ ହିଁ ପାଇକ ବିଦ୍ରୋହ ସୂତ୍ରପାତ ହୋଇଥିଲା । ପାଇକ ବିଦ୍ରୋହୀ ଥିଲା ବାସ୍ତବ ପକ୍ଷେ ଇଂରେଜ ଶାସନ ବିରୁ୍‌ଦ୍ଧରେ ଏକ ଜନ ଆନ୍ଦୋଳନ । ଏଥିରେ ପାଇକ, ରୟତ, ଜମିଦାର ଦଳବେହେରା ସମସ୍ତେ ଇଂରେଜ ସରକାରଙ୍କ ଆର୍ଥିକ ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ସିପାହୀ ବିଦ୍ରୋହର ଠିକ୍ ଚାଳିଶବର୍ଷ ପୂର୍ବରୁ ଇଂରେଜ ଶାସନ ଉତ୍ପୀଡନ ବିରୁଦ୍ଧରେ ଏପରି ସଂଗ୍ରାମ ଯଥାର୍ଥରେ ଦେଶର ପ୍ରଥମ ସ୍ୱାଧୀନତାର ସଂଗ୍ରାମ ବୋଲି ସେ କହିଥିଲେ ।

ଏଥିରେ ଅଂଶଗ୍ରହଣ କରି ବିଶିଷ୍ଟ ସାମ୍ବାଦିକ ତଥା ସୁବକ୍ତା ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ ଓଡିଶାର ଅନେକ ସଂଗ୍ରାମୀମାନଙ୍କ ଜୀବନାଦର୍ଶ ଇତିହାସରେ ସ୍ଥାନିତ ହୋଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଯୁବପୀଢି ଏ ଦିଗରେ ସ୍ୱେଚ୍ଛାକୃତ ଗବେଷଣା କରି ଅନାଲୋଚିତ ପ୍ରସଙ୍ଗଗୁଡିକୁ ଲେଖା ମାଧ୍ୟମରେ ଲୋକଲୋଚନକୁ ଆଣିବା ତଥା ଏକ ବୀର ଜାତିର ଗୌରବ ସମ୍ପର୍କରେ ପିଲାମାନଙ୍କୁ ଅବଗତ କରିବା ଉପରେ ଗୁରୁତ୍ୱଆରୋପ କରିଥିଲେ।ଏଥିରେ ଯୋଗଦେଇ ବିଶିଷ୍ଟ କବି ତଥା ଓଡିଶା ସାହିତ୍ୟ ଏକାଡେମୀ ସଭାପତି ଡକ୍ଟର ହୃଷିକେଶ ମଲ୍ଲିକ ପାଇକ ବିଦ୍ରୋହକୁ ଜାତୀୟ ଜାଗରଣର ପ୍ରଥମ ପାହାଚ ବୋଲି ଅଭିହିତ କରିଥିଲେ । ଏଥିପାଇଁ ସାହିତ୍ୟ ଏକାଡେମୀ ପକ୍ଷରୁ ଯଥାସମ୍ଭବ ଉଦ୍ୟମ କରାଯିବ ବୋଲି ସେ କହିଥିଲେ ।

ୱେବିନାରରେ ଅଧ୍ୟକ୍ଷତା କରି ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ରାଜିନ୍ଦର ଚୌଧୁରୀ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିବା ପାଇକ ବିଦ୍ରୋହ ଦେଶର ମୁକ୍ତି ସଂଗ୍ରାମର ଅୟମାରମ୍ଭ ବୋଲି କହିଥିଲେ । ଶ୍ରୀ ଚୌଧୁରୀ ଆଜି ଖୋର୍ଦ୍ଧାଠାରେ ପାଇକ ବିଦ୍ରୋହର ବୀରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହାର ସୁପୁତ୍ରମାନଙ୍କ ଅମୂଲ୍ୟ ବଳିଦାନର ସ୍ମୃତିଚାରଣ କରିଥିଲେ ।ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜନସମ୍ପର୍କ ବ୍ୟୁରୋର ନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ପ୍ରାରମ୍ଭିକ ଅଭିଭାଷଣ ରଖିଥିବାବେଳେ, ପତ୍ରସୂଚନା କାର୍ଯ୍ୟାଳୟ ଗଣମାଧ୍ୟମ ଓ ଗଣ ଯୋଗାଯୋଗ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ଚୌଧୁରୀ ୱେବିନାର ପରିଚାଳନା କରିଥିଲେ । କ୍ଷେତ୍ର ପ୍ରଦର୍ଶନୀ ଅଧିକାରୀ ଶ୍ରୀ ମହେନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.