ଗୁଣୁପୁର/ମୁନିଗୁଡ଼ା, (ଦିଲୀପ କୁମାର ପଣ୍ଡା): ଗୁଣପୁର ଉପ ଜିଲ୍ଲାପାଳ ଜେ ସୋନାଲ ମୁନିଗୁଡା ବ୍ଲକ ଗସ୍ତ କରି ରଘୁବାରି ଭଳି ଅପହଞ୍ଚ ଇଲାକା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ରଘୁବାରି, ପଲକପଡା, ଡେମୀପଦର, ଦୁମୁରିଗୁଡା, ବଡ଼ ସିରିବୁଡୁ, ଦେଙ୍ଗିସ୍ବରୁ, ବୁର୍ତ୍ତିଗୁଡା, ଆଦି ରାସ୍ତା ନଥିବା ଅଞ୍ଚଳ ଗସ୍ତ କରିଥିଲେ। ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଶିଶୁ ମାନଙ୍କୁ ଅଣ୍ଡା, ଛତୁଆ ଆଦି ଠିକ ସମୟରେ ଦିଆ ଯାଉଛି ନା ନାହିଁ ପଚାରି ବୁଝିଥିଲେ। ବିଭିନ୍ନ ଗ୍ରାମରେ ଲୋକଙ୍କୁ ଘରଢିହ ପଟ୍ଟା ମିଳିନଥିବା ଶୁଣି ସେମାନଙ୍କୁ ଶୀଘ୍ର ପଟ୍ଟା ଯୋଗାଇ ଦେବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଉପଜିଲ୍ଲାପାଳ। ବ୍ଲକ ତରଫରୁ ନିଆ ଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଶୀଘ୍ର ଶେଷ କରିବା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସମସ୍ତ ପ୍ରକାର ସରକାରୀ ସେବା ଯୋଗାଇ ଦେବା ନିମନ୍ତେ ଉପ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ। ଉପ ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ମୁନିଗୁଡା ତହସିଲଦାର ଡ଼ଃ ଦେବାଶିଷ ଗୌଡ଼, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ. ଦିଲୀପ କୁମାର ବେହେରା, ଶିଶୁ ବିକାଶ ଯୋଜନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।