ବିଜୁଳି ଆଘାତରେ ମହିଳା ଶ୍ରମିକ ଗୁରୁତର

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ନିଶାଣପୁର ଗ୍ରାମ ପଞ୍ଚାୟତର ପାଣିମୁଣ୍ଡା ଗ୍ରାମରେ ବିଜୁଳି ମାରିବା ଫଳରେ ଚାରିଜଣ ମହିଳା ଗୁରୁତର ହୋଇ ପଡିଥିବା ଜଣାପଡିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ସୋମବାର ଦିନ ପାଣିମଣ୍ଡାର ହାମଲେଟ୍ ଭିଲେଜ ଦର୍ଲିପଡାରେ ପ୍ରମୋଦ ପଧାନଙ୍କ ଜମିରେ ଧାନରୁଆ ଚାଲିଥିଲା । ମହିଳା ପୁରୁଷ ଶ୍ରମିକ ମିଶି ୧୨ ଜଣ ଶ୍ରମିକ ଧାନ ରୋପଣ କରୁଥିଲେ । ଅପରାହ୍ନ ୪ ଘଣ୍ଟା ସମୟରେ ହଠାତ କଳାହାଣ୍ଡିଆ ମେଘ ଘୋଟିଆସି ବହୁ ଯୋରରେ ବିଜୁଳି, ଘଡଘଡି ମାରିଥିଲା । ଦର୍ଲିପଡା ଧାନ ବିଲରେ ମହିଳା ମାନେ ଧାନ ରୋଉଥିବା ସମୟରେ ଖୁବ ଜୋରରେ ବିଜୁଳି ମାରିଲା । ପ୍ରକୃତରେ ବିଜୁଳି କିନ୍ତୁ ଜମି ହୁଡାରେ ରହିଥିବା ଏକ ଉଚ୍ଚ ଗଛକୁ ମାରିଥିଲା । ଉକ୍ତ ଗଛର ଅତି ନିକଟରେ ମହିଳା ଶ୍ରମିକ ମାନେ ଧାନ ରୋଉଥିଲେ । ବିଜୁଳି ଆଘାତରେ ଲକ୍ଷ୍ମୀ ଗଉଡ (୩୫) ନାମକ ଜଣେ ମହିଳା ଗୁରୁତର ହୋଇ ପଡିଥିବା ବେଳେ ତାଙ୍କ ନିକଟରେ କାମ କରୁଥିବା ଆଉ ତିନି ଜଣ ମହିଳା ଶ୍ରମିକ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ଗୁରୁତର ଲକ୍ଷ୍ମୀ ଗଉଡଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭାବନୀପାଟଣା ଡାକ୍ତରଖାନା କୁ ନିଆଯାଇଥିଲା ।

ଏଠାରେ ପ୍ରକାଶ ଯୋଗ୍ୟ ଯେ, ପାଣିମଣ୍ଡା ନିକଟସ୍ଥ ଉକ୍ତ ଦର୍ଲିପଡାକୁ ରାସ୍ତା ଅତି କଦର୍ଯ୍ୟ ହୋଇଥିବାରୁ ଆମ୍ବୁଲାନ୍ସ ଯାଇ ପାରିଲା ନାହିଁ । ଫଳରେ ଦର୍ଲିପଡା ଗ୍ରାମବାସୀ ଖଟିଆରେ ବାହୁଙ୍ଗା କରି ବିଜୁଳି ଆଘାତରେ ମୁମୁର୍ଷୁ ଲକ୍ଷ୍ମୀ ଗଉଡଙ୍କୁ ଆମ୍ବୁଲାନ୍ସ ଯାଏଁ ଆଣିବାକୁ ପଡିଥିଲା । ଭବାନୀପାଟଣା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ଲକ୍ଷ୍ମୀ ଏବେ ଟିକେ ସୁସ୍ଥ ହୋଇଥିବା ଖବରରୁ ଜଣାପଡିଛି । ଅଳ୍ପଟିକେ ବିଜୁଳି ଆଘାତରେ ଆହତ ଆଉ ବାକି ତିନିଜଣ ମହିଳା ଶ୍ରମିକଙ୍କୁ ଘରେ ପ୍ରାଥମିକ ଚିକିତ୍ସା କରିବା ପରେ ସେମାନେ ମଧ୍ୟ ସୁସ୍ଥ ହୋଇଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.