ଭବାନୀପାଟଣା: ବିଦ୍ୟାଳୟ ହେଉଛି ମଣିଷଗଢା କାରଖାନା। ବିଦ୍ୟାଳୟର ସୁପରିଚାଳନା ସମାଜର ପ୍ରତ୍ୟେକ ବର୍ଗର ଲୋକମାନଙ୍କର କର୍ତ୍ତବ୍ୟ। ତେବେ ଏହାକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କର ନିର୍ଦ୍ଦେଶନାମା ଅନୁଯାୟୀ ଭବାନୀପାଟଣା ବ୍ଲକ ଶଗଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଥିବା ବିଦ୍ୟାଳୟ ପରିଚାଳନା କମିଟି(ଏସଏମସି) ଗଠନ ଜନୀତ ଏକ ବୈଠକ ସ୍ଥାନୀୟ ସରପଞ୍ଚ ତଥା ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ରୁକ୍ମିଣୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଯୁଧିଷ୍ଠିର ମୁଦୁଲି ବୈଠକର ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ ଏବଂ ପରେ ପରେ ଅଭିଭାବକମାନଙ୍କ ମଧ୍ୟରୁ ବିଭିନ୍ନ ବର୍ଗରୁ ୧୨ଜଣ ମନୋନୀତ ହୋଇଥିଲେ। ଏହି ୧୨ ଜଣଙ୍କ ମଧ୍ୟରୁ ଆସନ୍ତ ନାଏକଙ୍କୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ କ୍ଷୀର ମାଝୀଙ୍କୁ ଉପସଭାପତି ଭାବରେ ଉପସ୍ଥିତ ସଭ୍ୟାସଭ୍ୟମାନଙ୍କ ଦ୍ୱାରା ଚୟନ କରାଯାଇଥିଲା। ଏଥି ସହିତ ୱାର୍ଡମେମ୍ବର ପ୍ରମିଳା ମାଝୀ, ଆଶାକର୍ମୀ ସରୋଜିନୀ ବାଗ, ଅଙ୍ଗନୱାଡ଼ି କର୍ମୀ କରମଙ୍ଗା ସେନାପତି, ସ୍କୁଲ କ୍ୟାବିନେଟରୁ ଛାତ୍ର ଅଜୟ ହଂସ, ମିନାମଞ୍ଚରୁ ଛାତ୍ରୀ କଶିଷ ନାଏକ, ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଜୟପ୍ରଦା ସେଠୀଙ୍କୁ ଅନ୍ୟତମ ସଭ୍ୟାସଭ୍ୟ ଭାବରେ ଚୟନ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବନିର୍ବାଚିତ ସଭ୍ୟସଭ୍ୟା ତଥା ସଭାପତି ଓ ଉପସଭାପତିଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ଷ୍ଟାଣ୍ଡିଙ୍ଗ କମିଟିରୁ ନାଏବ ସରପଞ୍ଚ ବାସ ସୁନାନୀ, ୱାର୍ଡ ମେମ୍ବର ପ୍ରମିଳା ମାଝୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ମଧ୍ୟରେ ଶୈଳେନ୍ଦ୍ର କୁମାର ବାବୁ, ଚନ୍ଦନନଲତା ବେହେରା, ଅନୁର୍ଯ୍ୟ ଗଉଡ଼, ବିଭୀଷଣ ନାଗ, ମଧୁସ୍ମିତା ପଣ୍ଡା, ଗଜେନ୍ଦ୍ର ମାଝୀଙ୍କ ସମେତ ମୋଟ ୮୦ ଜଣ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।