କବିତା: କଳ୍ପନା

✒️ତପସ୍ୱିନୀ ଜେନା

କଳ୍ପନା ତୁମେ ମୋ ମନ ରାଇଜର
ରୂପବତୀ ରାଜକନ୍ୟା,
କେବେ ଭରିଦିଅ ମନରେ ଉଲ୍ଲାସ
କେବେ ବାତ୍ୟା କେବେ ବନ୍ୟା।

ମନ ଇଲାକାକୁ ଆସ ଯେବେ ତୁମେ
ନିଶାରେ ହୁଏ ମୁଁ ଘାରି,
ଭାବନା ରାଜ୍ୟକୁ ନେଇଯାଅ ତୁମେ
ହାତକୁ ମୋହର ଧରି।

କେତେବେଳେ ମୁଁ ଯେ ଘୋଡା ଚଢି ବୁଲେ
ପୁଣି କେବେ କାଟେ ଘାସ,
ମନ କେବେ ଧାଏଁ ମରୀଚିକା ପଛେ
କେବେ ଆସେ ମଧୁମାସ।

ଅଜାଣତେ ମନେ ପରଲାଗିଯାଏ
ପରୀ ରାଇଜରେ ବୁଲେ,
ନିଜକୁ ଭାବେ ମୁଁ ଅନିନ୍ଦ୍ୟ ସୁନ୍ଦରୀ
ଫୁଲେଇ ଦେଖାଇ ଫୁଲେ।

କଳ୍ପନାର ପୋତେ ଭାସି ପୁଣି ସାଜେ
ସପନର ସୌଦାଗର,
ଆତ୍ମାର ବୋଇତ ଲଙ୍ଘିଯାଏ ଚାଲି
ଦୁର୍ଭେଦ୍ୟ ଏ ପାରାବାର।

ବାସ୍ତବ ଜୀବନେ ଯାହା ନ ମିଳଇ
ଦେଇଅଛ ମୋତେ ତୁମେ,
କଳ୍ପନା ତୁମକୁ କିପରି ଭୁଲିବି
ସବୁ ମିଳେ ତୁମ ନାମେ।

ତୁମ ରାଇଜର ତାଜକୁମାରୀ ମୁଁ
ମୋ ପାଇଁକି ସ୍ୱୟଂବର,
ଯୋଗ୍ୟତା ଠାରୁ ମୁଁ ରୂପବନ୍ତ ବର
ଗଳାରେ ପିନ୍ଧାଏ ହାର।

ଭାବିଲେ ତୁମକୁ ମିଳେ ରାଜପଦ
ଭୋଗ ବିଳାସର ସୁଖ,
ତୁମ ପାଖେ ଥିଲେ ହୃଦ ଇଲାକାକୁ
ଆସେନାହିଁ ତିଳେ ଦୁଃଖ।

କ୍ଷଣିକ ମଧ୍ୟରେ ତୁମେ କରିଦିଅ
ପ୍ରତିକ୍ଷଣ ଆନନ୍ଦିତ,
ବିନା ଶ୍ରମେ ତୁମପରି ସୁଖ ଦେବା
ସେତ କଳ୍ପନା ଅତୀତ।

କୁଜଙ୍ଗ, ପାରାଦ୍ୱୀପ, ଜଗତସିଂହପୁର

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.