ମହାନଦୀ ପଠାକୁ କୋଳି ଖାଇବାକୁ ଯାଇ ନଦୀରେ ବୁଡ଼ି ମଲେ ୪ ସ୍କୁଲ ଛାତ୍ର

କଟକ, (ବିରଞ୍ଚି ନାରାୟଣ ପାତ୍ରୀ): ମହାନଦୀ ପଠାକୁ କୋଳି ଖାଇବା ପାଇଁ ଯାଇ ନଦୀରେ ବୁଡ଼ି ଚାଲିଗଲା ଚାରି ଜଣ ସ୍କୁଲ ଛାତ୍ରଙ୍କ ଜୀବନ । ଘଟଣାଟି ଘଟିଛି କଟକ ଭଦିମୂଳ ଘାଟ ଅଞ୍ଚଳରେ । ଗୁରୁବାର ଅପରାହ୍ଣରୁ ନିଖୋଜ ଥିବା ଏହି ଚାରି ବନ୍ଧୁଙ୍କ ମୃତ ଦେହକୁ ପର୍ଯ୍ୟାୟ କ୍ରମେ ନଦୀରୁ ଉଦ୍ଧାର କରାଯାଇଥିଲା । ମୃତ ଚାରି ଜଣ ଛାତ୍ର ହେଲେ ଓମ୍ ପ୍ରକାଶ ବେହେରା, ଆଜିଙ୍କ୍ୟ ବାହାଲିଆ, ଚନ୍ଦନ ବେହେରା ଓ ଆଶୁତୋଷ ସେଠୀ । ସମସ୍ତଙ୍କ ଘର କଟକ ପୋତାପୋଖରୀ ଅଞ୍ଚଳର ଓ ସମସ୍ତେ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ । କେବଳ ଆଜିଙ୍କ୍ୟକୁ ଛାଡ଼ି ଦେଲେ ଅନ୍ୟମାନେ ଆର୍‌.ଇ.ଓ. କଲୋନୀ ସ୍କୁଲର ଛାତ୍ର ଥିଲେ । ଗୁରୁବାର ଦିନ ସ୍କୁଲ୍‌ ଛୁଟି ହେବା ପରେ ଏହି ଚାରି ବନ୍ଧୁ ଭଦୀମୂଳ ମହାନଦୀ ଘାଟକୁ ଆସିଥିଲେ । କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ସେମାନଙ୍କ ପରିବାର ଲୋକେ ଅନେକ ଖୋଜା ଖୋଜି କରିବା ପରେ ଏହି ପିଲାମାନଙ୍କ ସାଇକେଲ୍‌ ଭଦୀମୂଳ ମହାନଦୀ ଘାଟରେ ଥିବା ଜାଣି ପାରିଥିଲେ । ଖବର ପାଇଁ ଅଗ୍ନିଶମ ବିଭାଗର ଏକ ଟିମ୍‌ ଗୁରୁବାର ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲା । ରାତି ପ୍ରାୟ ସାଢେ ୧୧ଟା ବେଳେ ଓମ୍‌ ପ୍ରକାଶ ବେହେରାର ମୃତ ଦେହ ମିଳିଥିଲା । ତା’ ପରେ ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ ପରେ ଅନ୍ୟ ତିନି ବନ୍ଧୁଙ୍କ ମରଶରୀର ନଦୀରୁ ମିଳିଥିଲା । ଏହି ଚାରି ଜଣ ସ୍କୁଲ ଛାତ୍ରଙ୍କ ମଧ୍ୟରେ ବହୁତ ଘନିଷ୍ଟତା ଥିଲା । ଖେଳକୁଦ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳୁଥିଲା ।

ନଦୀ ଗର୍ଭରୁ ଜଣକ ପରେ ଜଣେ ଛାତ୍ରର ଉଦ୍ଧାର ହେବାର ଦୃଶ୍ୟ ଦେଖି ସ୍ଥାନୀୟ ଲୋକଙ୍କ ଛାତି ଥରି ଉଠିଥିଲା । କାଳେ ସେମାନଙ୍କ ପୁଅ ଜୀବିତ ଥିବ ଭାବି ନଦୀ ଗର୍ଭକୁ ଅପଲକ ନୟନରେ ଚାହିଁ ରହିଥିଲେ ତାଙ୍କ ପରିବାର ଲୋକେ । କିନ୍ତୁ ସେମାନଙ୍କ କୁଳନନ୍ଦନର ନିଶ୍ଚଳ ଶରୀରଗୁଡ଼ିକୁ ନଦୀ ଭିତରୁ ବାହାର କରି ତାଙ୍କ ସାମନାରେ ଶୁଆଇ ଦିଆଯାଉଥିବା ଦେଖିବା ପରେ ସେମାନଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଯାଇଥିଲା ଓ ଶୋକାକୁଳ କ୍ରନ୍ଦନରେ ନଦୀ ପଠା କମ୍ପି ଉଠିଥିଲା ।

‘‘ଏହି ଚାରି ଛାତ୍ର ନିୟମିତ ଭାବେ ଏହି ଘାଟକୁ ଆସୁଥିଲେ । ଅନେକ ସମୟ ଧରି ନଦୀ ପାଣିରେ ଖେଳିବା ସହ ନଦୀ ପାର୍‌ ହୋଇ ପଠାକୁ ମଧ୍ୟ ଯାଉଥିଲେ । ଆମେ ଅନେକ ସମୟରେ ସେମାନଙ୍କୁ ବାରଣ କରିଛୁ । କିନ୍ତୁ ସେମାନେ ଶୁଣୁ ନ ଥିଲେ । ଗୁରୁବାର ଦିନ ପାଖାପାଖି ଦୁଇଟା ବେଳେ ସେମାନେ ଆସିଥିଲେ । ସେମାନଙ୍କୁ ଆସିବାର ତ ଆମେ ଦେଖିଛୁ, ହେଲେ ଫେରିବାର ଦେଖି ନ ଥିଲୁ,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ଅଭିରାମ ସାହୁ ।

ମୃତ୍ୟୁ ବରଣ କରିଥିବା ଅନ୍ୟତମ ଛାତ୍ର ଆଶୁତୋଷର ମା’ କଲ୍ୟାଣୀ ସେଠୀ କାନ୍ଦି କାନ୍ଦି କହିଛନ୍ତି, ‘‘ସ୍କୁଲରୁ ଆସିବା ପରେ ସେ ମୋତେ ସାଙ୍ଗ ଘରକୁ ଯାଉଛି କହି ଘରୁ ବାହାରି ଥିଲା । ସିଏ ଯୁଆଡେ ଯାଏ ସାଧାରଣତଃ ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ଆସେ । ହେଲେ ରାତି ସୁଦ୍ଧା ଘରକୁ ନ ଆସିବାରୁ ଆମେ ଖୋଜା ଖୋଜି କରିଥିଲୁ । ତା’ ସାଇକେଲ୍‌ ନଦୀ କୂଳରେ ଥିବା ଦେଖିବାକୁ ପାଇଥିଲୁ । ଏଇ ନଈକୁ ଆସି ମୋ’ ପୁଅ ବୁଡ଼ି ଗଲା ।’’

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.