ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନକୁ ନେଇ ଏବେ ନର୍ଲାରେ ରାଜନୈତିକ ଉଷ୍ମତା ଶିଖରରେ ପହଞ୍ଚିଛି । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ବିଜେଡି ଓ ବିଜେପିର ହେଭିୱେଟ ନେତାମାନେ ଦଳୀୟ ପ୍ରାର୍ଥୀ/ପ୍ରାର୍ଥୀନୀ ମାନଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇ ଭୋଟ ଭିକ୍ଷା କରିବା ସହ ଭୋଟର୍ସଙ୍କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳୁଛି । ସୋମବାର ତୁଳାପଡା ସାଗରପଡାରେ ଅନୁଷ୍ଠିତ ବିଜେପି ପ୍ରଚାର ସଭାରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ବିଜେପି ଓଡିଶା ସହପ୍ରଭାରୀ ବିଜୟପାଲ ସିଂ ତୋମାର, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ ଓ ସରୋଜ ମାଝୀ, ନର୍ଲା ବିଜେପିର ବରିଷ୍ଠ ନେତା ପର୍ଶୁରାମ ପଣ୍ଡା, ନୂତନ ଭାବରେ ବିଜେପିରେ ଯୋଗଦାନ କରିଥିବା ନର୍ଲାର ପୂର୍ବତନ ବିଧାୟକ କୁମରମଣି ଶବର, ନର୍ଲା ଜୋନ୍-୧ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସଞ୍ଜୁ ସାହୁ, ନର୍ଲା ଜୋନ୍-୨ ବିଜେପି ପ୍ରାର୍ଥୀନୀ ରୀନା ଭୋଇ ଏବଂ ନର୍ଲା ଜୋନ୍-୩ ବିଜେପି ପ୍ରାର୍ଥୀନୀ ପ୍ରଣତି ମହାନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ କଳାହାଣ୍ଡି ସାଂସଦ ଶ୍ରୀଯୁକ୍ତ ପଣ୍ଡା ଓ ସହପ୍ରଭାରୀ ଶ୍ରୀଯୁକ୍ତ ତୋମାର ନର୍ଲାର ତିନିଗୋଟି ଜିଲ୍ଲା ପରିଷଦ ଜୋନରେ ପ୍ରତିଦ୍ୱନ୍ଦିତା କରୁଥିବା ତିନି ବିଜେପି ପ୍ରାର୍ଥୀନୀଙ୍କ ପାଇଁ ଭୋଟ ଭିକ୍ଷା କରିବା ସହିତ ଦଳୀୟ କର୍ମୀମାନଙ୍କୁ ନିର୍ବାଚନୀ ରଣାଙ୍ଗନରେ କିଭଳି ଗୋଟି ଚାଳନା କରିବେ ସେନେଇ ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ ।