ଝାରବନ୍ଧ ଗ୍ରାମପଞ୍ଚାୟତରେ ପିଡିଏସ ଚାଉଳ ହଡପ ଘଟଣା : ପଦଯାତ୍ରା ଓ ବ୍ଲକ ଅଫିସ ଘେରିଲା ଦଳିତ ଅଧିକାର ମଞ୍ଚ

କାର୍ଯ୍ୟାନୁଷ୍ଠାନ ନ ହେଲେ ଧାରଣା ଦିଆଯିବ -ସଭାପତି

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଝାରବନ୍ଧ ଗ୍ରାମପଞ୍ଚାୟତରେ ହିତାଧିକାରୀ ମାନଙ୍କ ପିଡିଏସ ଚାଉଳ ହଡପ ଘଟଣାରେ ଦୋଷୀ କର୍ମଚାରୀ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଆଜି (ସୋମବାର) ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ବରେ ଶତାଧିକ କର୍ମୀ, ପଞ୍ଚାୟତର ଜନସାଧାରଣ, ମହିଳା ପଦଯାତ୍ରା କରି ସିନାପାଲି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଝାରବନ୍ଧ ଗ୍ରାମପଞ୍ଚାୟତରୁ ପଦଯାତ୍ରା ବାହାରି ବ୍ଲକ କାର୍ଯ୍ୟଳୟରେ ପହଞ୍ଚି ଥିଲେ । ସେଠାରେ ବିଭିନ୍ନ ସ୍ଲୋଗାନ, ନାରାବାଜି ଦେଇ ବେଶ୍ ଗର୍ଜି ଥିଲେ । ସିନାପାଲି ବିଡିଓ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରୁଥିବା ବେଲେ ଅନେକ ସମସ୍ୟା ଉପରେ ସମାଧାନ କରୁ ନ ଥିବା ନେଇ ଶ୍ରୀ ତାଣ୍ଡି ଅଭିଯୋଗ ଆଣି ଉପସ୍ଥାପନ କରିଥିଲେ । ପିଡିଏସ ଚାଉଳ ହଡପ ଘଟଣା ରେ ଦୋଷୀ କର୍ମଚାରୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ସିନାପାଲି ବ୍ଲକ ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ଘଟଣାକୁ ନେଇ ସିନାପାଲି ବିଡିଓ ସଦାଶିବ ନାଏକ ତଦନ୍ତ ସରିଛି ଆଜି ରିପୋର୍ଟ ନୂଆପଡ଼ା ଜିଲ୍ଲାପାଳଙ୍କୁ ପଠାଇବି । ତାଙ୍କର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ସିନାପାଲି ବ୍ଲକ ଉପାନ୍ତବର୍ତ୍ତି ସୀମାନ୍ତରେ ଝାରବନ୍ଧ ଗ୍ରାମପଞ୍ଚାୟତ ଅବସ୍ଥିତ । ଏହି ପଞ୍ଚାୟତଟି ଆଦିବାସୀ ବହୁଳ ହୋଇଥିବା ବେଳେ ଅନେକ ଗରୀବ ଶ୍ରେଣୀର ଲୋକେ ବସବାସ କରନ୍ତି । ଆଜିବି ଦାରିଦ୍ର୍ୟ ସୀମାରେଖା ତଳେ ରହି ଜୀବନ ଅତିବାହିତ କରୁଛନ୍ତି । ପଞ୍ଚାୟତଟି ଦାଦନ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଆଜିବି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲାଣ ହୋଇଥାନ୍ତି । ଏହି ପଞ୍ଚାୟତର ଗରୀବ ଶ୍ରେଣୀର ଲୋକଙ୍କ ମୁଖ୍ୟ ଆଧାର ହେଉଛି ପିଡିଏସ ଚାଉଳ । ଏହି ଚାଉଳ ଉପରେ ନିର୍ଭରଶୀଳ ହେଉଥିବା ବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ଚାଉଳ ବଦଳରେ କିଲୋଗ୍ରାମ ପ୍ରତି ୧୦ ଟଙ୍କା ହିସାବରେ ହିତାଧିକାରୀ ମାନଙ୍କୁ ପ୍ରଦାନ କରଯାଇଥିଲା । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସଂପୃକ୍ତ ପଞ୍ଚାୟତର ନାଗଝର ଗ୍ରାମରେ ସିନାପାଲି ଯୋଗାଣ ନୀରିକ୍ଷକ ଅଲେଖ ଭୋଇ ଓ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୂର୍ଯ୍ୟକାନ୍ତ ଭୋଏ ତଦନ୍ତ କରି ସିନାପାଲି ବିଡିଓଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ, ହେଲେ ଅଜିପର୍ଯ୍ୟନ୍ତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଦଳିତ ଅଧିକାର ମଞ୍ଚ ବିରାଟ ସମାବେଶ ହୋଇ ପଦଯାତ୍ରା କରିବା ସହ ବ୍ଲକ ଘେରାଉ କରିଛି । ଏହି ଘେରାଉରେ କମଳ ଚରଣ ତାଣ୍ଡିଙ୍କ ସମେତ ପଦ୍ମନାଭ ଜଗତ, ଭୁଜବଳ ଜଗତ ପୁସ୍ତମ ସୁନାନୀ, ଲିଙ୍ଗରାଜ ଜାଲ, ଲମ୍ବୁ ତାଣ୍ଡି, ନରେଶ ସୁନାନୀ ସହିତ ପଞ୍ଚାୟତର ଅନେକ ସାମିଲ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.