କେବେ ସମ୍ପୂର୍ଣ୍ଣ ହେବ ନୂତନ ଭବନ ?
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ କ୍ୟାମ୍ପସ୍ ରେ ରହିଛି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ । ସମନ୍ୱିତ ଶିଶୁ ବିକାଶ ଯୋଜନା ର ନିଜସ୍ୱ କାର୍ଯ୍ୟାଳୟ ଭବନ ରହିଥିଲା । ଏହାର ବିପଦ ଶଙ୍କୁଳ ଅବସ୍ଥା ଦେଖି ଗତ ୨୦୧୧ ମସିହାରେ ଉକ୍ତ ଭବନ ଛାଡି ବ୍ଲକ୍ କ୍ୟାମ୍ପସରେ ଅଫିସର ସମ୍ମୁଖରେ ରହିଥିବା ତାଲିମ୍ କେନ୍ଦ୍ରଟିକୁ ଆଇସିଡିଏସ୍ କାର୍ଯ୍ୟାଳୟ ଭାବରେ ବ୍ୟବହାର କରାଯାଉଛି । ଏଭଳି ଅସ୍ଥାୟୀ ଭାବରେ କାର୍ଯ୍ୟାଳୟ ଚାଲିବାର ଆଜକୁ ୧୦ ବର୍ଷ ହୋଇଯାଇଥିଲେ ମଧ୍ୟ ଉକ୍ତ ପରିତ୍ୟକ୍ତ ଆଇସିଡିଏସ୍ ଭବନକୁ ଭଙ୍ଗାଯାଇନଥିଲା । ଏବେ କିଛିଦିନ ପୂର୍ବରୁ ପୁରୁଣା ଭବନକୁ ଭଙ୍ଗାଯାଇଛି । ଏବଂ ସେଇଠି ୨୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନୂତନ ଭବନ ନିର୍ମାଣ ନିମନ୍ତେ କାମ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଚାଲୁଥିବା ଅସ୍ଥାୟୀ କାର୍ଯ୍ୟାଳୟର ଛାତ ମଧ୍ୟ ଅନେକ ସ୍ଥାନରେ ଭାଙ୍ଗି ରଡ ବାହାରି ପଡିଛି । ବିପଦ ଶଙ୍କୁଳ ଅବସ୍ଥାରେ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରିଣୀ ଓ କର୍ମଚାରୀ ମାନେ ପ୍ରତ୍ୟହ କାମ କରୁଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା ନାହିଁ । ଏହି ଅସ୍ଥାୟୀ ଭବନଟି ମଧ୍ୟ କେତେବେଳେ ଯେ ଗଳି ପଡିବ ତାର ମଧ୍ୟ ଠିକ୍ ଠିକଣା ନାହିଁ । ଏହାବାଦ ବିଭାଗ ପାଇଁ ଉଦ୍ଦିଷ୍ଟ ଜିପ୍ ଗାଡିଟି ମଧ୍ୟ ଦୀର୍ଘ ଦିନରୁ ପଡିପଡି ଖତ ଖାଇ ସାରିଲାଣି । ଅଫିସ୍ ପାଇଁ ଗତ ୧୫ ବର୍ଷ ହେଲା ଭଡା ଗାଡିରେ କାମ ଚାଲିଛି । ଗାଡି ଭଡା ଟଙ୍କାରେ ଦୁଇଗୋଟି ନୂଆ ଗାଡି ଆସି ପାରିଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି । ଏଣୁ ବିଭାଗ ପାଇଁ ସରକାର ଗାଡିର ବ୍ୟବସ୍ଥା କରନ୍ତୁ । ନୂତନ ଭବନ ନିର୍ମାଣ କାମ କେବେ ସରିବ ଓ ଶିଶୁ ବିକାଶ ପ୍ରକଳ୍ପ ଅଫିସ୍ କେବେ ନୂଆ ଭବନରେ ଚାଲିବ ତାର ଠିକ୍ ଠିକଣା ନାହିଁ । ହେଲେ ବର୍ତ୍ତନାମ ଆଇସିଡିଏସ୍ ଅଫିସ୍ ଚାଲିଥିବା ଭବନଟି ବିପଦ ସଂକୁଳ ଅବସ୍ଥାରେ ରହିଥିବାରୁ ଏହାକୁ ନେଇ ପ୍ରମାଦ ଗଣୁଛନ୍ତି ନର୍ଲାର ବୁଦ୍ଧିଜୀବୀମାନେ ।