ଅସହାୟ ଦଳିତ ପରିବାରକୁ ସାହା ହେବ କିଏ ?

୧୨ ବର୍ଷର ଝିଅ ସହିତ ସ୍ବାମୀ ସ୍ତ୍ରୀ ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ନେଉଛନ୍ତି ଆଶ୍ରୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଭୂମିହୀନ ତଥା ଅସହାୟ ପରିବାରଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ହେଲେ ସେହି ଯୋଜନାରୁ ଅସହାୟ ତଥା ଦଳିତ ଗରିବ ପରିବାର ବଞ୍ଚିତ ହେଉଛନ୍ତି । ନିଜ ନାମରେ ଡିହ ଖଣ୍ଡେ ନଥିବା ବେଳେ ରହିବା ପାଇଁ ଘରଟିଏ ନିର୍ମାଣ ହୋଇପାରିନାହିଁ । ଯାହା ଫଳରେ ରହିବା ପାଇଁ ଘର ଖଣ୍ଡେ ନଥିବା ଯୋଗୁଁ ଅସହାୟ ଦଳିତ ଗରିବ ପରିବାର କୈ।ଣସି ଉପାୟ ନପାଇ ଶେଷରେ ନିଜର ୧୨ ବର୍ଷର ନାବାଳିକା ଝିଅ କୁ ସାଙ୍ଗରେ ଧରି ସ୍ବାମୀ ଏବଂ ସ୍ତ୍ରୀ ଆଜକୁ ପ୍ରାୟ ୧୫/୨୦ ଦିନ ହେଲା ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ଆଶ୍ରୟ ନେଉଛନ୍ତି । ହେଲେ ପଞ୍ଚାୟତ କିମ୍ବା ବ୍ଲକ୍ ପ୍ରଶାସନ ସେଥିପ୍ରତି ଦୃଷ୍ଟି ନଦେବା ଏକ ପରିତାପର ବିଷୟ ହୋଇଛି । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ର ବାଲସି ପଞ୍ଚାୟତରେ । ପ୍ରକାଶ ଯେ, ଅଗସ୍ତି ହରିଜନ (୭୫) ନିଜ ସ୍ତ୍ରୀ ଅଏଲି ହରିଜନ (୪୬) ଓ ନାବାଳିକା ଝିଅ ସୁଭଦ୍ରା ହରିଜନ ଆଜକୁ ୧୫/୨୦ ଦିନ ହେଲା ବାଲସି ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ଆଶ୍ରୟ ନେଉଛନ୍ତି । ଯାହାକି ବର୍ଷା ପବନ ଲାଗି ରହିଲେ ମଧ୍ୟ ଏମାନେ ଦୁଃଖ କଷ୍ଟରେ ଆଶ୍ରୟ ନେଉଛନ୍ତି ।‌‌ ବର୍ତ୍ତମାନ ବାର୍ଦ୍ଧକ୍ୟ ଜନିତ ଯୋଗୁଁ ଅଗସ୍ତି ଶଯ୍ୟାଶାୟୀ ହୋଇଥିବା ବେଳେ ତାର ସ୍ତ୍ରୀ ଅଏଲି ଏବଂ ନାବାଳିକା ଝିଅଙ୍କ ମନରେ ଚିନ୍ତା ଘାରୁଛି । ଏହି ପରିବାର ପାଖରେ ନାଁ ଅଛି ଖଣ୍ଡେ ଜାଗା କିମ୍ବା ଘର । କେବଳ ଅଗସ୍ତିଙ୍କ ମାସକୁ ୫ ଶହ ଟଙ୍କା ଭତ୍ତା ଓ ୧୫ କେଜି ଚାଉଳରେ ହିଁ ଚଲିଥାନ୍ତି ବୋଲି ଅଗସ୍ତିଙ୍କ ସ୍ତ୍ରୀ ଅଏଲିଙ୍କ ମୁହଁର ଶୁଣିବାକୁ ମିଳିଛି । ଏହି ପରିବାର ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ଅସହାୟ ଅବସ୍ଥାରେ ଆଶ୍ରୟ ନେଉଥିବା ବିଷୟ ପଞ୍ଚାୟତ ସରପଞ୍ଚ ଅବଗତ ରହିଥିଲେ ମଧ୍ୟ ସେମାନଙ୍କୁ ଅନ୍ୟ ସ୍ଥାନକୁ ଥଇଥାନ କରିପାରି ନାହାନ୍ତି । କିଛି ଦିନ ତଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ୱର ମେହେର ବାଲସିକୁ ଯାଇଥିବା ବେଳେ ଏହି ପରିବାର ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ଆଶ୍ରୟ ନେଉଥିବା ଦେଖିବାକୁ ପାଇଥିଲେ । ହେଲେ ଏହି ବିଷୟରେ ଏବିଡିଓ ଉପରିସ୍ଥ ଅଧିକାରୀଙ୍କୁ ଜଣାଇନଥିଲେ । ଏନେଇ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏବିଷୟରେ ଅବଗତ ନଥିବା ପ୍ରକାଶ କରିବା ସହ ସରପଞ୍ଚଙ୍କ ସ୍ବାମୀଙ୍କୁ ଡାକି ପଚାରି ବୁଝିଥିଲେ । ଏବିଷୟରେ ଏବିଡିଓ ଜାଣିଛନ୍ତି ବୋଲି ସରପଞ୍ଚଙ୍କ ସ୍ବାମୀ ବିଡ଼ିଓଙ୍କୁ କହିବା ପରେ ଏବିଡିଓ ଶ୍ରୀ ମେହେରଙ୍କୁ ଡାକି ବିଡ଼ିଓ ପଚାରି ବୁଝିଥିଲେ । ଯାହାକି ଏବିଡିଓ ଏହି ବିଷୟରେ ଜାଣିଥିଲେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ ନଜଣାଇବା ଏକ ପରିତାପର ବିଷୟ ବୋଲି ମତ ପ୍ରକାଶ ପାଇଛି । ତେବେ ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ଆଶ୍ରୟ ନେଉଥିବା ଏହି ଦଳିତ ଅସହାୟ ପରିବାର ପ୍ରତି ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.