ଦୋକାନ ବଜାରରେ ପ୍ରବଳ ଭିଡ଼, ଜୋରସୋରରେ ଚାଲିଛି କିଣାବିକା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ପାଇଁ ନର୍ଲା ବ୍ଲକର ବିଭିନ୍ନ ଦୋକାନ ବଜାର ଚଳ ଚଞ୍ଚଳ ହୋଇ ପଡିଛି। ବର୍ଷକୁ ଥରେ ଭାଦ୍ରବ ଶୁକ୍ଳ ପକ୍ଷରେ ଆସୁଥିବା ଏହି ପର୍ବର ଅବ୍ୟାହତ ପୂର୍ବରୁ ଅନେକ ସାମଗ୍ରୀ ସଂଗ୍ରହ କରିବାକୁ ପଡେ ତେଣୁ ଗ୍ରାମଞ୍ଚଳର ଜନସାଧାରଣ ସ୍ଥାନୀୟ ବଜାର ଉପରେ ନିର୍ଭର କରିଥାନ୍ତି। ନର୍ଲା ବ୍ଲକ ଅଧୀନ ରୁପ୍ରା ରୋଡ, ତୁଲାପଡା, ଗାଡେବନ୍ଧ, ରାକ୍ସି, ଶାନ୍ତପୁର, ବଡଧାରପୁର, ସର୍ଗିଗୁଡା, ରୁପ୍ରା, ସେରଗଡ, ଭାନପୁର, ମାଣ୍ଡେଲ, କର୍ମେ ଗାଁ, ଭୀମକେଳା, ଗିଗିନା, ମୁସ୍କୁଟି, ଟକର୍ଲା ସମେତ ୨୬ଗୋଟି ପଞ୍ଚାୟତର ଜନସାଧାରଣ ନୂଆଖାଇକୁ ନେଇ ବେଶ୍ ଉତ୍ସାହିତ ଥିବା ଦେଖାଯାଇଛି। ତିନି ତିନି ଥର ଲଘୁଚାପ ଜନୀତ ବର୍ଷା ଫସଳ ଉଜାଡି ଚାଲି ଯାଇଥିବା ବେଳେ ବର୍ତମାନ କାଳ ବୈଶାଖୀ ପରିସ୍ଥିତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟ ଲୋକଙ୍କ ଉତ୍ସାହକୁ ଭାଙ୍ଗି ପାରିନାହିଁ। ଆସନ୍ତାକାଲି ଗୁରୁବାର ପାଳିତ ହେବ ନୂଆଖାଇ। ନୂତନ ଅନ୍ନ ଭକ୍ଷଣ କରିବାର ସ୍ବପ୍ନରେ ମସଗୁଲ ଗ୍ରାମ ଠାରୁ ସହରର ପରିବେଶ। ପରିବାର ଠୁ ଦୂରରେ ରହୁ ଥିବା ଲୋକମାନେ ଘରେ ଆସି ପହଞ୍ଚି ସାରିଲେଣି। ରାତି ପାହିଲେ ନୂଆଖାଇ। କି ଧନୀ କି ଗରିବ ସମସ୍ତେ ନୂତନ ମନ, ନୂତନ ଉତ୍ସାହ, ନୂତନ ଉଦ୍ଦିପନା, ନୂତନ ସ୍ବପ୍ନ ଓ ନୂତନ ପୋଷାକ ସହ ନୂଆ ଖାଇବେ। ବର୍ତ୍ତମାନ କିଣାବିକା ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଆଗାମୀ ସୂର୍ଯ୍ୟୋଦୟ କୁ ଅପେକ୍ଷା। ଆଜି, ଗତକାଲି ଓ ଦୁଇ ତିନି ଦିନ ପୂର୍ବରୁ ବିଶେଷ କରି କପଡା, ରାସନ, ଚପଲ ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା। ନୂଆଖାଇର ବିଧାନ ଅନୁସାରେ ଗାଁ ଗାଁରେ ରୋଗୀ ବଲା ଓ ପନା ପାଏନ ଢଳା କାର୍ଯ୍ୟକ୍ରମ ସମାପନ ହୋଇ ସାରିଛି। ବିଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ନୂଆଖାଇ ଓ ଭେଟଘାଟ ସେତେ ଜମି ନଥିଲା ତେବେ ଏବର୍ଷ ଆଉ କରୋନା ଭୟ ନଥିବାରୁ ଚଳ ଚଞ୍ଚଳ ହୋଇ ଉଠିଛି ଗ୍ରାମ୍ୟ ପରିବେଶ।