ଓଡ଼ିଆ ବାର୍ତ୍ତା/ ଭୋପାଲ: ଭାରତରୁ ବିଲୁପ୍ତ ହୋଇ ସାରିଥିବା ଚିତା ବାଘ ପୁଣି ଦେଶର ଜଙ୍ଗଲରେ ଦୌଡ଼ିବେ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ନାମିବ୍ୟାରୁ ସ୍ୱତନ୍ତ୍ର ବିମାନରେ ଆସୁଥିବା ୮ଟି ଚିତା ବାଘ ମଧ୍ୟପ୍ରଦେଶର ଗ୍ୱାଲିୟର୍ରେ ଲ୍ୟାଣ୍ଡ କରିଛନ୍ତି । ସକାଳ ପ୍ରାୟ ୮ଟା ବେଳେ ସ୍ୱତନ୍ତ୍ର ବିମାନ ଗ୍ୱାଲିୟରରେ ଥିବା ବାୟୁସେନା ବେସ୍ରେ ପହଞ୍ଚିଛି । ଏଠାରୁ ବାୟୁସେନାର ଅତ୍ୟାଧୁନିକ ଚିନୁକ ହେଲିକପ୍ଟର ଯୋଗେ ସମସ୍ତ ଚିତା ବାଘଙ୍କୁ ମଧ୍ୟପ୍ରଦେଶର ଶେଓପୁରରେ ଥିବା କୁନୋ-ପାଲପୁର ଜାତୀୟ ଉଦ୍ୟାନକୁ ନିଆଯିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ସେ ନିଜ ଜନ୍ମଦିନରେ ଚିତାଗୁଡ଼ିକୁ ଜଙ୍ଗଲ ମଧ୍ୟକୁ ଛାଡ଼ିବେ । ଏହି ୮ଟି ଚିତା ମଧ୍ୟରୁ ୫ଟି ମାଈ ଓ ୩ଟି ଅଣ୍ଡିରା । ୧୯୫୨ ମସିହା ଠାରୁ ଭାରତୀୟ ଜଙ୍ଗଲରେ ଚିତାଙ୍କୁ ଦେଖିବାକୁ ମିଳୁ ନଥିଲା । ଏଥିପାଇଁ ଭାରତର ସରକାର ପ୍ରକଳ ଚିତା ଅନୁସାରେ ଆଫ୍ରିକାରୁ ବାଘ ଆଣିବାକୁ ଉଦ୍ୟମ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୮ଟି ଚିତା ଆସିଥିବା ବେଳେ ଆସନ୍ତା ୫ ବର୍ଷରେ ମୋଟ ୫୦ ବାଘ ଭାରତ ଆସିବେ ବୋଲି ସରକାର କହିଛନ୍ତି ।