ବିଜେପିର ବିଜୟ ରଥକୁ ରୋକିପାରିବେ କି କଂଗ୍ରେସ, ଆପ ?

ଓଡ଼ିଆ ବାର୍ତ୍ତା/ ଅହମ୍ମଦାବାଦ: ଗୁଜରାଟ ନିର୍ବାଚନରେ ବିଜେପିର ବିଜୟ ରଥକୁ ଏଥର ରୋକିବାକୁ ଦିନରାତି ଏକ କରି ଲଢ଼ୁଛନ୍ତି କଂଗ୍ରେସ ଏବଂ ଆପ  । ଗୁଜରାଟର ବିଧାନସଭା ଆସନ ସଂଖ୍ୟା ହେଉଛି  ୧୮୨ ।  ୯୨ଟି ଆସନ ଯେଉଁ ଦଳ ଦଖଲ କରିବ ସେହି ଦଳ ରାଜ୍ୟରେ ସରକାର ଗଠନ କରିବ । କଥା ହେଉଛି ଅତୀତର ନିର୍ବାଚନକୁ ଦେଖିଲେ ବିଜେପିର ଭୋଟ ଏବଂ ଆସନ କମିବାରେ ଲାଗିଛି । ୨୦୦୨ ବିଧାନସଭା ନିର୍ବାଚନରେ ବିଜେପିର ଆସନ ସଂଖ୍ୟା ଥିଲା ୧୨୭ । ୨୦୦୭ରେ ବିଜେପିର ଆସନ ସଂଖ୍ୟା ୧୧୭କୁ ଖସି ଆସିଥିଲା । ସେହିପରି ୨୦୧୨ ବିଧାନସଭା ନିର୍ବାଚନରେ ପୁଣି ଆସନ କମି ରହିଥିଲା ୧୧୫ । ୨୦୧୭ ଗତ ନିର୍ବାଚନରେ ବିଜେପି ପାଇଥିଲା ୯୯ଟି ଆସନ । ଗୁଜରାଟ ନିର୍ବାଚନ ଉପରେ ଦୃଷ୍ଟି ରଖିଥିବା ରାଜନୀତି ସମୀକ୍ଷକଙ୍କ ମତରେ ଏଥର ମଧ୍ୟ ବିଜେପିର କିଛି ଆସନ କମିପାରେ । କାରଣକୁ ନେଇ ରାଜନୀତି ସମୀକ୍ଷକଙ୍କ ମତରେ ପ୍ରଥମତ ସରକାର ବିରୋଧୀ ଲହର ଦ୍ବିତୀୟରେ ଦରଦାମ ବୃଦ୍ଧି, ବେକାରୀକୁ ମୁଦ୍ଦା କରିଛନ୍ତି କଂଗ୍ରେସ ଏବଂ ଆପ୍ । ବସ୍ତି ଏବଂ ଗ୍ରାମାଞ୍ଚଳ ଭୋଟରକୁ କଂଗ୍ରେସ ଏବଂ ଆପର ଲୋଭନୀୟ ଅଫର କିଛି ମାତ୍ରାରେ ଆକୃଷ୍ଣ କରିପାରେ । ସେପଟେ ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନରେ କିଛି ବିଜେପିର ବିଦ୍ରୋହୀ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଦଳୀୟ ପ୍ରାର୍ଥୀମାନଙ୍କ ବିରୋଧ‌ରେ । ଏହି କାରଣରୁ ବିଜେପି ୧୨ଜଣ ବିଦ୍ରୋହୀଙ୍କୁ  ନିଲମ୍ବନ କରିଛି। ଏସବୁର ପ୍ରଭାବ ଚଳିତ ନିର୍ବାଚନରେ ପଡିବାର ସଂଭାବନା ଥିବା ରାଜନୀତି ବିଶ୍ଲେଷକମାନେ ଜାତୀୟ ଗଣମାଧ୍ୟମରେ ଆଲୋଚନା କରୁଛନ୍ତି । ଟିକେଟ ବଣ୍ଟନ କାରଣକୁ ନେଇ ଦଳରୁ ଚଳିତ ନିର୍ବାଚନରେ ୧୯ଜଣଙ୍କୁ ନିଲମ୍ବନ କରିସାରିଲାଣି ବିଜେପି  । ଏହି ନେତାମାନଙ୍କର ମଧ୍ୟ କିଛି ନିଜସ୍ବ ଭୋଟ ରହିଛି । ଏମାନଙ୍କ ମଧ୍ୟରୁ କିଛି ବିଧାୟକ ମଧ୍ୟ ଥିଲେ । ଏହା ସହ  ସପ୍ତମ ଥର ପାଇଁ କ୍ଷମତା ହାସଲ କରିବାକୁ ଚାହୁଁଥିବା ‘ବିଜେପି’ ତା’ର ୪୨ଜଣ ବିଧାୟକଙ୍କୁ ଟିକେଟ୍ ଦେଇ ନାହିଁ। ଏହି ବିଧାୟକମାନେ ମଧ୍ୟ ଭିତରେ ଭିତରେ ବିରୋଧ କରିପାରନ୍ତି । କିଛି ନେତା ଚୁପଚାପ ବସିଯାଇପାରନ୍ତି । ଯାହାର ଫାଇଦା ବିରୋଧୀଙ୍କୁ ମିଳିପାରେ ।ଗତ  ବିଧାନସଭା ନିର୍ବାଚନକୁ ଦେଖିଲେ  ​​୧୬ ଟି ଆସନରେ ବିଜୟ ବ୍ୟବଧାନ ୩୦୦୦ ରୁ କମ୍ ଭୋଟ ଥିଲା। ଏହି ସବୁ ଆସନ ମଧ୍ୟରୁ  ୭ ଟି ଆସନରେ ଏକ ହଜାରରୁ କମ୍ ଥିଲା  ବିଜୟ ବ୍ୟବଧାନ ।  ସେଥିମଧ୍ୟରୁ ବିଜେପି ୧୦  ଆସନରେ  ବିଜୟ ହୋଇଥିବା ବେଳେ ୬ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିଲା । ତେଣୁ ଏହି ସବୁ ଆସନରେ କିଛି ବି ଏପଟ ସେପଟ ହୋଇପାରେ । ଭୋଟ ଅଙ୍କକୁ ଦେଖିଲେ ଗତ ନିର୍ବାଚନରେ ବିଜେପି ପାଇଥିଲା ୧.୪୭ କୋଟି ଭୋଟ( ୪୯ ପ୍ରତିଶତ) । କଂଗ୍ରେସ ପାଇଥିଲା ୧.୨୪ କୋଟି ଭୋଟ (୪୧ ପ୍ରତିଶତ ) । ଆଉ ଆପ ୨୯ଟି ଆସନରେ ଲଢ଼ିଥିବା ବେଳେ ସବୁ ଆସନରେ ଅମାନତ ହରାଇଥିଲା । ଆପ ପାଇଥିଲା ୦.୧ ଭୋଟ । ତେଣୁ ଆପର ଗତ ନିର୍ବାଚନରେ କିଛି ଭୋଟ ନଥିବା ବେଳେ ଏଥର ନିର୍ବାଚନରେ କିଛି ଭୋଟ ହାତେଇବାର ସଂଭାବନା ରହିଛି । ଏଥର କଂଗ୍ରେସ ଏବଂ ଆପ ଭୋଟରମାନଙ୍କୁ ଯେଉଁ ଲୋଭନୀୟ ଅଫର ଦେଇଛନ୍ତି ତାହା ମଧ୍ୟରେ ରହିଛି ୧୦ ଲକ୍ଷ ଚାକିରି । ମାଗଣା ବିଜୁଳି, ମାଗଣା ପାଣି, ମହିଳାଙ୍କୁ ଭତ୍ତା ଇତ୍ୟାଦି ଅନେକ ମାଗଣା ଯୋଜନା । ତେବେ ଏସବୁ ଭିତରେ କିନ୍ତୁ ଏଥର ବି ମୋଦିଙ୍କ ଚେହେରାକୁ ନେଇ ବିଜେପି ନିର୍ବାଚନ ଲଢ଼ୁଛି । ମୋଦି ବି ସବୁ ନିର୍ବାଚନୀ ସଭାରେ କହୁଛନ୍ତି ‘‘ମୋତେ ଦେଖ , ମୋ କାମକୁ ଦେଖ ଏବଂ ଭୋଟ ଦିଅ’’ । ରାଜନୀତି ସମୀକ୍ଷକଙ୍କ ମତରେ ମୋଦିଙ୍କ ଆଗରେ ବିରୋଧୀମାନେ ଫିକା  । ପୂର୍ବରୁ ମଧ୍ୟ ସବୁ ସର୍ଭେରେ ବିଜେପି ସରକାର ଗଠନ କରିବ ବୋଲି ଭବିଷ୍ୟବାଣୀ କରିଛନ୍ତି । ଏପରିକି ଇଣ୍ଡିଆ ଟିଭିର ସଦ୍ୟତମ ସର୍ଭେରେ ବିଜେପି ଏଥର ୫୦ ପ୍ରତିଶତ ଭୋଟ ପାଉଥିବା କହିଥିବା ବେଳେ  କଂଗ୍ରେସ ୩୯ ପ୍ରତିଶତ ଏବଂ ଆପକୁ ୮ ପ୍ରତିଶତ ଭୋଟ ମିଳିବ ବୋଲି ଭବିଷ୍ୟବାଣୀ କରିଛି । ଏସବୁ ଭିତରେ କିନ୍ତୁ ବିଜେପି  ଏଥର ମ୍ୟାଜିକ ନମ୍ବର ଛୁଇଁବାକୁ ନେଇ ରାଜନୀତି ସମୀକ୍ଷକଙ୍କ ମଧ୍ୟରେ ଆଶଙ୍କା ରହିଛି । ଯଦିଓ ବିଜେପି ଘୋଷଣା କରିଛି ଏଥର ୧୪୦ ଆସନରେ ବିଜୟ ଲାଭ କରିବ ।  ତେବେ ଗତ ୫ଟି ନିର୍ବାଚନକୁ ଦେଖିଲେ ଏଥର ସେହି ତୁଳନାରେ ଦଳର କିଛି ଆସନ କମିପାରେ । ଯଦି ଦଳ ଏଥର ୧୦ରୁ ଅଧିକ ଆସନ ହରାଏ ତେବେ ମ୍ୟାଜିକ ନମ୍ବର ୯୨ ତଳକୁ ଖସିଯିବ ବିଜେପି  । କଂଗ୍ରେସ ଏବଂ ଆପ ମିଶି ଯଦି ବିଜେପିଠାରୁ ୧୦ରୁ ଅଧିକ ଆସନ ଛଡାଇ ନିଅନ୍ତି ତେବେ କଣ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି । ଏହାର ଉତ୍ତର ମଧ୍ୟ ରାଜନୀତି ସମୀକ୍ଷକମାନେ କହିଛନ୍ତି । ସେମାନଙ୍କ ମତରେ ମୋଦି ,ଶାହଙ୍କ ଗଡ଼ କୁହାଯାଉଥିବା ଗୁଜରାଟରେ କଂଗ୍ରେସ କିମ୍ବା ଆପ ସରକାର ଗଢ଼ିବା ଅସମ୍ଭବ । ଏଠାକାର ଭୋଟର ଅଧିକ ଶିକ୍ଷିତ । ଗତ ନିର୍ବାଚନରେ ମଧ୍ୟ କଂଗ୍ରେସ ସରକାର ଗଠନ କରିବାର ବହୁ ସଂଭାବନା ଥିଲା । ସେତେବେଳେ ପଟିଦାର ଆନ୍ଦୋଳନଠୁ ଆରମ୍ଭ କରି ସତ୍ତା ବିରୋଧୀ ଲହର ମଧ୍ୟ ଥିଲା । ତଥାପି କଂଗ୍ରେସ ମ୍ୟାଜିକ ନମ୍ବର ଛୁଇଁପାରିନଥିଲା । ସେପଟେ କଂଗ୍ରେସ ୭୭ଟି ଆସନରେ ଜିତିଥିବା ବେଳେ ବିଜେପି ନିର୍ବାଚନ ପରେ ୧୧ କଂଗ୍ରେସ ବିଧାୟକଙ୍କୁ ବିଜେପିରେ ସାମିଲ କରିନେଇଥିଲା । ତେଣୁ ଏଥର ଯଦି ମ୍ୟାଜିକ ନମ୍ବରରୁ କିଛି ସଂଖ୍ୟା କମିଯାଏ ତେବେ କଂଗ୍ରେସ ମଧ୍ୟରୁ କିଛି ବିଧାୟକଙ୍କୁ ଆଣି ମନ୍ତ୍ରୀ କରାଇପାରେ ବିଜେପି । ଭାରତ ରାଜନୀତିରେ ବିଜେପି  ଗତ ଦଶନ୍ଧି ମଧ୍ୟରେ ଏପରି ଅନେକ ରାଜ୍ୟରେ କରି ଦେଖାଇଛି । ମ୍ୟାଜିକ ନମ୍ବର ନଥିଲେ ମଧ୍ୟ ଦଳ ଶାସନ କରୁଛି । ତେଣୁ ରାଜନୀତି ସମୀକ୍ଷକଙ୍କ ମତରେ ଡିସେମ୍ବର ୮ପୂର୍ବରୁ କିଛି ବି କହିବା ମୁସ୍କିଲ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.