ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ଗ୍ରାମରୁ ଗତ କିଛି ମାସ ଭିତରେ ରାଜ୍ୟ ବାହାରୁକୁ ଦାଦନ ଯାଇ ଗାଁକୁ ୭ଜଣ ଦାଦନ ଶ୍ରମିକଙ୍କ ଶବ ଫେରିଛି। ତେବେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ ଦେହ ବାଙ୍ଗାଲୋର ରୁ ନିଜ ଭିଟାମାଟି କୁ ଫେରୁଥିବା ସୂଚନା ମିଳିଛି। ମୃତ ଦାଦନ ଶ୍ରମିକ ଜଣକ କୋକସରା ବ୍ଲକ ଡୁଡୁକାଠେଙ୍ଗା କଲୋନୀପଡାର ଗୁର୍ଡା ମାଝୀଙ୍କ ସାନ ପୂଅ ମିନୀକେତନ ମାଝୀ(୧୮) ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଗତ ୮ ମାସ ତଳେ ମିନୀକେତନ ପରିବାର ର ଆର୍ଥିକ ଅବସ୍ଥା ଖରାପ ଥିବା ଯୋଗୁଁ ଦୁଇ ପଇସା ରୋଜଗାର କରିବା ଆଶା ନେଇ ନିଜ ଭିଟାମାଟି ଛାଡ଼ି ସୁଦୁର ବାଙ୍ଗାଲୋର ନାଗଭରା କୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ କିଛି ଦିନ ହେବ ମିନକେତନ ଅସୁସ୍ଥ ଥିଲେ। ତେବେ ଶୁକ୍ରବାର ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଖବର ପରିବାର ନିକଟରେ ପହଞ୍ଚିଥିଲା। ତେବେ ଭେଣ୍ଡିଆ ରୋଜଗାରକ୍ଷମ ପୁଅ କୁ ହରାଇ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ଖବର ପାଇବା ପରେ ଶବ ଆଣିବା ପାଇଁ ପରିବାର ଲୋକେ ବାଙ୍ଗାଲୋର ଯାଇଥିବା ଜଣାପଡିଛି। ଅନ୍ୟପଟେ ଏହି ଖବର ଜାଣିବା ପରେ ଡୁଡୁକାଠୋଙ୍ଗା ସରପଞ୍ଚ ହରିପ୍ରିୟା ନାଗ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ସହାୟତା ଯୋଗାଇ ଦେଇଥିବା ଜଣାପଡିଛି।