ସୀମା ବିବାଦ ସତ୍ତ୍ୱେ ପରସ୍ପରକୁ ଜେଲରେ ବନ୍ଦୀ ନାଗରିକଙ୍କ ତାଲିକା ଦେଲେ ଭାରତ ଓ ପାକିସ୍ତାନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ଭାରତର ପଡ଼ୋଶୀ ଦେଶ ପାକିସ୍ତାନ। ସ୍ୱାଧୀନତା ପୂର୍ବରୁ ଭାରତର ଅଂଶ ଥିବାରୁ ଦୁଇ ଦେଶ ମଧ୍ୟରେ ଥିବା ସୀମାବର୍ତ୍ତୀ ଲୋକେ ସମସ୍ୟାରେ ଫସିଯାଆନ୍ତି। ଶତ୍ରୁ ରାଷ୍ଟ୍ର ବୋଲାଉଥିଲେ ବି ସୀମାବର୍ତ୍ତୀ ଲୋକେ ବେଳେ ବେଳେ ବାଟବଣା ହୋଇଯାଆନ୍ତି। କେତେବେଳେ କେମିତି ଅଜାଣତରେ ପରସ୍ପରର ସୀମା ଭିତରକୁ ଚାଲିଆସନ୍ତି, ସେମାନେ ନିଜେ ବି ଜାଣିପାରିନଥାନ୍ତି। ଆଉ ଜାଣିବା ବେଳକୁ ହୁଏତ ସୁରକ୍ଷାକର୍ମୀଙ୍କ ହାବୁଡରେ ପଡିଯାଇଥାନ୍ତି। ଏମିତି ଅଜଣା ଭୁଲ କରି ଦୁଇ ଦେଶର ନାଗରିକ ପରସ୍ପରର ସୀମା ଉଲ୍ଲଂଘନ ଅପରାଧରେ ଜେଲରେ ସଢନ୍ତି। କେବଳ ଭୂଖଣ୍ଡ ନୁହେଁ ଜଳପଥରେ ବି ଲୋକେ ବାଟହୁଡି ଅନ୍ୟ ଦେଶରେ ପ୍ରବେଶ କରିଥିବାରୁ ପଡ଼ୋଶୀ ଦେଶର ଜେଲରେ ଅଛନ୍ତି। ଭାରତରେ ବନ୍ଦୀ ଅଛନ୍ତି କେତେକ ପାକିସ୍ତାନୀ ନାଗରିକ । ସେହିପରି ପାକିସ୍ତାନ ଜେଲରେ ବି କେତେକ ଭାରତୀୟ କଏଦୀ ବନ୍ଦୀ ଜୀବନ କାଟୁଛନ୍ତି। ଉଭୟ ଦେଶ ଏହି କଏଦୀମାନଙ୍କ ସୂଚନା ସମ୍ପର୍କରେ ପରସ୍ପରକୁ ଅବଗତ କରିଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ କେତେଜଣ ମତ୍ସ୍ୟଜୀବୀ ବି ଅଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଅନୁସାରେ, ଭାରତରେ ଏବେ ୩୩୯ ଜଣ ପାକିସ୍ତାନୀ ଜନତା ଓ ୯୫ ମତ୍ସ୍ୟଜୀବୀ ବନ୍ଦୀ ଅଛନ୍ତି। ସେହିପରି ପାକିସ୍ତାନରେ ଜେଲଗୁଡିକରେ ୫୧ ଭାରତୀୟ ଓ ୬୫୪ ମତ୍ସ୍ୟଜୀବୀ ବନ୍ଦୀ ଜୀବନ କାଟୁଛନ୍ତି। ଉଭୟ ଦେଶ ପରସ୍ପରକୁ ଏହି ସଂଖ୍ୟା କହିବା ସହିତ ନିଜ ନିଜ ବନ୍ଦୀ ନାଗରିକଙ୍କ ମୁକ୍ତି ଦାବି କରିଛନ୍ତି। ଖୁବ ଶୀଘ୍ର ସୀମା ପାର କରିଥିବା ନାଗରିକ, ନିଖୋଜ ଥିବା ଯବାନ ଓ ମତ୍ସ୍ୟଜୀବୀ କଏଦୀମାନେ  ଜେଲରୁ ମୁକୁଳିବା ଆଶା ଘନୀଭୂତ ହୋଇଛି।୨୦୦୮ ଚୁକ୍ତି ବଳରେ ଉଭୟ ଦେଶ ପରସ୍ପରକୁ ଜାନୁଆରୀ ୧ ତାରିଖ ଓ ଜୁଲାଇ ୧ ତାରିଖରେ ଏପରି କଏଦୀ ତାଲିକା ଦେଇଥାନ୍ତି। ଯାହାକି କୂଟନୈତିକ ସମ୍ପର୍କର ଏକ ଦୃଷ୍ଟାନ୍ତ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.