ନୂଆ ବର୍ଷରେ ନର୍ଲା ଆମିଷ ମାର୍କେଟ ଭିଡ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ନୂଆ ବର୍ଷକୁ ନେଇ ଲୋକଙ୍କ ମଧ୍ୟରେ ବିଶେଷ କରି ଯୁବ ପିଢୀଙ୍କ ମଧ୍ୟରେ ଅନେକ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି । ୩୧ ଡିସେମ୍ବର ୨୦୨୨ ଜିରୋ ନାଇଟ ପ୍ରୋଗ୍ରାମ କରି ନାଚ ଗୀତ ମଧ୍ୟରେ ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂତନ ବର୍ଷକୁ ସ୍ୱାଗତ କରିଛନ୍ତି ଲୋକେ । ନୂଆବର୍ଷ ଆରମ୍ଭ ଜାନୁୟାରୀ ପହିଲାରେ ଯୋଗକୁ ରବିବାର ପଡିଥିବାରୁ ନର୍ଲା ଆମିଷ ମାର୍କେଟ ରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଆଜି ଦିନଟିକୁ ଲୋକେ ଭୋଜି ଭାତ ମୌଜ କରି ବିତାଇବାକୁ ଚାହୁଁଛନ୍ତି । ଏକ୍ସ ମାସ ଛୁଟି ହୋଇଥିଲାରୁ ଛାତ୍ରଛାତ୍ରୀ ନିଜ ନିଜ ଘରକୁ ଆସିଛନ୍ତି । ବାପା ମା ଭାଇ, ଭଉଣୀ ଓ ବନ୍ଧୁ ପରିଜନଙ୍କ ସହ ମଉଜ ମଜଲିସ୍ କରି ଦିନଟିକୁ ଉପଭୋଗ କରିବା ପାଇଁ କେହି ମଧ୍ୟ ହାତଛଡା କରିନଥିଲେ । ଆସନ୍ତା କାଲି ଜାନୁୟାରୀ ୨ ରୁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ପୁଣି ଖୋଲିଯିବ । ଯିଏ ଯାହାର କର୍ମସ୍ଥଳକୁ ଚାଲିଯିବେ । ଏଣୁ ଚାରିଆଡେ ଭୋଜିର ମଉଜ ଲାଗି ରହିଥିଲା । ଏମିତିରେ ବି ରବିବାର ନର୍ଲାର ସାପ୍ତାହିକ ହାଟ । ମଟନ, ଚିକେନ, ମାଛ ଓ ଚିଙ୍ଗୁଡିରେ ଭରପୁର ବଜାର ଲାଗିଥିଲା ସାପ୍ତାହିକ ନର୍ଲା ହାଟରେ । ଜାନୁୟାରୀ ପହିଲା ବଣ ଭୋଜି ପାର୍ଟି ମାନଙ୍କ ଡିମାଣ୍ଡକୁ ଦେଖି ଆମିଷ ବଜାର ମଧ୍ୟ ଟିକେ ଚଢା ଦର ରହିଥିଲା । କେବଳ ପିକନିକ ପାର୍ଟି ବୋଲି ନୁହଁ ରବିବାର ଜାନୁୟାରୀ ପହିଲା ଦିନ ପଡିଥିବାରୁ ଘରେ ଘରେ ଚାଲିଥିଲା ଭୋଜି ମଉଜର ଆସର । କେବଳ ଆମିଷ ବଜାର ବୋଲି ନୁହଁ ଦିନ ୧୦ ଟା ବେଳକୁ ନର୍ଲା ମାର୍କେଟରୁ ପନିର ମଧ୍ୟ ଗାୟବ ହୋଇ ସାରିଥିଲା । ଅନେକ ଶାକାହାରୀ ଭୋଜି ପାର୍ଟି ପନୀର ନପାଇ ନିରାଶ ହୋଇ ଛତୁ ରେ କାମ ଚଳେଇଥିବା ଦେଖିବାକୁ ମିଳିଥିଲା । ଭୋଜି ଭାତରେ ତ ପାନୀୟ ନିତାନ୍ତ ଆବଶ୍ୟକ ଏଣୁ ଗତକାଲି ସକାଳୁ ନର୍ଲାର ବିଦେଶୀ ମଦ ଦୋକାନ ଓ ଦେଶୀ ମହୁଲି ଭାଟିରେ ମଧ୍ୟ ଜାନୁୟାରି ପହିଲା ସକାଳୁ ରାତିଯାଏଁ ପ୍ରବଳ ଗ୍ରାହକ ଭିଡ ଦେଖିବାକୁ ମିଳିଥିଲା । ଜାନୁୟାରୀ ପହିଲା ନର୍ଲାର କେବଳ ରାସନ, ପରିବା ଓ ଆମିଷ ମାର୍କେଟକୁ ଛାଡିଦେଲେ ମାର୍କେଟର ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.