ଘୁମୁରା-୨୦୨୩: ରେଣ୍ଡୋ ମାଝୀ ମଞ୍ଚରେ ସମ୍ମାନୀତ ହେଲେ ବିଶିଷ୍ଟ ସମାଜସେବୀ ମନୋଜ ପଟ୍ଟନାୟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି କଳା ସଂସ୍କୃତି, ସାହିତ୍ୟ, ପରମ୍ପରାର ମହାକୁମ୍ଭ ‘କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩’ ଉଦଯାପିତ ହୋଇଯାଇଛି। ଏଥିରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିବାବେଳେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର କେତେକ ସୁଯୋଗ୍ୟ ସନ୍ତାନଙ୍କୁ ସମ୍ମାନିତ କରାଯାଇଛି। ସେହି କ୍ରମରେ ସମାଜସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଜିଥିବା ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକଙ୍କୁ ଉଦଯାପନୀ ଉତ୍ସବରେ ରେଣ୍ଡୋ ମାଝୀ ମଞ୍ଚରେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଛନ୍ତି ସମାରୋହର ଅତିଥିବୃନ୍ଦ। ସ୍ବର୍ଗଦ୍ବାର ସେବା ସଂଗଠନର ଅଧ୍ୟକ୍ଷ ଭାବେ ମନୋଜ ପଟ୍ଟନାୟକ ସମାଜକୁ ଏକ ନୂତନ ବାର୍ତ୍ତା ଦେଇଛନ୍ତି। ମହାମାରୀ କରୋନା ସମୟରେ ନିଜ ସଂଗଠନ ମାଧ୍ୟମରେ କରୋନା ମୃତକଙ୍କ ଶବ ସତ୍କାର କରିବା ଭଳି ଦୁଃସାହସିକ କାମ କରିଥିଲେ ଶ୍ରୀ ପଟ୍ଟନାୟକ। ଏଥିପାଇଁ ତାଙ୍କୁ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଥିଲେ ମଧ୍ୟ ସେ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇନଥିଲେ। ସେହିପରି ସଂଗଠନ ଜରିଆରେ ସେହି ସମୟରେ ୬୫ ୟୁନିଟ ରକ୍ତ ଜିଲ୍ଲା ରେଡକ୍ରସକୁ ଦାନ କରିଥିଲେ। ଜିଲ୍ଲାରେ ଏଭଳି ଏକ ସଂଗଠନର ବିକଳ୍ପ ଆଜିଯାଏଁ ନଥିବା ବେଳେ କରୋନା ସମୟରେ ଦେବଦୂତ ସାଜି ଜିଲ୍ଲା ପ୍ରଶାସନକୁ ଯଥେଷ୍ଟ ସହଯୋଗ କରିବା ସହ ଲୋକଙ୍କ ପାଖରେ ପହଞ୍ଚିଥିଲେ। ତାଙ୍କର ଏହି ଅବଦାନ ପାଇଁ କଳାହାଣ୍ଡି ଉତ୍ସବ ଅବସରରେ ତାଙ୍କୁ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି। ଶ୍ରୀ ପଟ୍ଟନାୟକଙ୍କ ପାଖକୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.