ଟ୍ରେନ୍ ଉପରକୁ ଚଢି ସେଲଫି ନେବା ହେଲା କାଳ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀଅନ୍ତା ଜଳିଗଲେ ୧୨ବର୍ଷର ବାଳକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ମାଲବାହୀ ଟ୍ରେନ୍ ଉପରକୁ ଚଢି ସେଲଫି ନେବା ହେଲା କାଳ । ଉଚ୍ଚ ସଂପନ୍ନ ୨୫କେଭି କ୍ଷମତା ବିଶିଷ୍ଠ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜୀଅନ୍ତା ଜଳି ଗଲେ ଜଣେ ୧୨ବର୍ଷର ବାଳକ । ମୃତ ଯୁବକ ଜଣକ ହେଲେ ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଅନ୍ତର୍ଗତ ବାର୍ତିବାଡି ଗ୍ରାମର ସହଦେବ ନାୟକ ଓ ସବିତା ନାୟକଙ୍କ ୧୨ବର୍ଷର ପୁଅ ଦେବେନ୍ଦ୍ର ନାଏକ । ମିଳିଥିବା ସୂଚନା ପ୍ରକାରେ, ନିଜ ଗାଁରୁ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ସେ ଭାଲୁମାସ୍କା ଗ୍ରାମକୁ ଯାଇଥିଲେ । ସେଠାରୁ ସେ ଅନ୍ୟ ୨ଜଣ ସାଙ୍ଗଙ୍କ ସହ ମିଶି ଭାଲୁମାସ୍କା ରେଳ ଷ୍ଟେସନ ପଟେ ବୁଲିବାକୁ ଯାଇଥିଲେ । ରେଳ ଷ୍ଟେସନରେ ପୂର୍ବରୁ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନର ୱାଗନ୍ ଉପରକୁ ଚଢି ସେଲଫି ନେବା ସମୟରେ ହଠାତ୍ ୨୫କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ହିଁ ସେ ଜଳିପୋଡି ଯାଇ ତଳକୁ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ହିଁ ଦେବେନ୍ଦ୍ରର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ସାଙ୍ଗ ମଧ୍ୟ କିଛି ଆହାତ ହୋଇଥିବା ଶୁଣିବାକୁ ମିଳିଛି । ଖବରପାଇ ଘଟଣାସ୍ଥଳରେ ରାୟଗଡା ସରକାରୀ ରେଳବାଇ ପୋଲିସ (ଜିଆରପି) ଓ ରେଳବାଇ ସୁରକ୍ଷା ବଳ (ଆରପିଏଫ) ପୋଲିସ ପଂହଚି ତଦନ୍ତ ଆରମ୍ଭ କରିଥିବା ବେଳେ ଖବର ପାଇ ମୃତ ଯୁବକ ଦେବେନ୍ଦ୍ରଙ୍କ ପରିବାର ଲୋକେ ଓ ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ଅଂଚଳବାସୀଙ୍କ ଉପସ୍ଥିତିରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.