ଶେଷରେ ଆତ୍ମସମର୍ପଣ କଲା କୋଟି କୋଟି ଟଙ୍କା ଠକେଇର ଅଭିଯୁକ୍ତ ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶେଷରେ ଉପାୟହିନ ହୋଇ ଭବାନୀପାଟଣା ଏସଡ଼ିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଛି ଧୁର୍ତ୍ତ ଫେରାର ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆର। ସେ ଆତ୍ମସମର୍ପଣ କରିଥିବା ଜଣାପଡିବା ପରେ ଜିଲ୍ଲାର ମାହୋଲ ସରଗରମ ରହିଛି। ଏପଟେ ଏହି ବହୁଚର୍ଚ୍ଚିତ କେଳେଙ୍କାରୀର ଗୁମର ଫିଟିଯିବା ଭୟ ଘାରୁଛି ସୁଚିସ୍ମିତା ସହ ସାମିଲ ହୋଇଥିବା କେତେଜଣ ସରକାରୀ କର୍ମଚାରୀଙ୍କୁ। ଏଠାରେ ସୂଚନାଯୋଗ୍ୟ ଯେ, ଭବାନୀପାଟଣା ବ୍ଲକ ଶିକ୍ଷା ଅଫିସରେ ଜଣେ କଣ୍ଟ୍ରାକଚୁଆଲ କର୍ମଚାରୀ ଭାବେ  କାର୍ଯ୍ୟ କରୁଥିଲା ସୁଚିସ୍ମିତା। ତେବେ ତାହାର ଜାଲିଆତି ଜଣା ପଡୁନଥିଲା। ମାତ୍ର ଏକ୍ସ କେଡର ଶିକ୍ଷକଙ୍କ ସେପ୍ଟେମ୍ବର ମାସର ଦରମା ନ ହେବାରୁ ସେମାନେ ବାରମ୍ବାର ଅଫିସର ଦ୍ୱାରସ୍ଥ ହୋଇ ସ୍ଥାନୀୟ ଏକ୍ସିସ ବ୍ୟାଙ୍କକୁ ଯୋଗାଯୋଗ କରିବା ପରେ ସେ ସନ୍ଦେହ ଘେରକୁ ଆସିଥିଲା। ଏହାପରେ ସମ୍ପୃକ୍ତ ଶିକ୍ଷକମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବ୍ୟାଙ୍କକୁ ପଠେଇଥିବା ଦରମା ନଥିରେ ପୂର୍ବତନ ବିଇଓ ଜଗନ୍ନାଥ ପୁରୋହିତ ଓ ଏବିଇଓ ଜୟକୁମାର ମାଝୀଙ୍କ ଦସ୍ତଖତ ରହିଥିଲା। ଶ୍ରୀ ପୁରୋହିତ ୪ ମାସ ପୂର୍ବରୁ ଅବସର ନେଇଥିବା ବେଳେ ବର୍ତ୍ତମାନର ବିଇଓ ଠାକୁର ସାହୁଙ୍କ ଦସ୍ତଖତ ନ ରହିବା ଆହୁରି ସନ୍ଦେହକୁ ଦୃଢ଼ୀଭୂତ କରିଥିଲା। ଉକ୍ତ ଦରମା ଆକାଉଣ୍ଟକୁ ଚେକ କଲା ବେଳେ ସେଥିରେ ଟଙ୍କାଟିଏ ବି ନଥିଲା। ୩୯ ଲକ୍ଷର ଦରମା ଟଙ୍କା ବଦଳରେ କିଛି ବି ନଥିବା ସମସ୍ତଙ୍କୁ ସେତେବେଳେ ଚମକେଇ ଦେଇଥିଲା। ଏ ସମ୍ପର୍କରେ ଡିଇଓ ସୁଶାନ୍ତ ଚୋପଦାର ଜାଣିବା ପରେ ତଦନ୍ତ କରିଥିଲେ। ଇତି ମଧ୍ୟରେ କୌଶଳକ୍ରମେ ଚାଲାକିରେ ଅକ୍ଟୋବର ୬ ତାରିଖ ଦିନ ବିଇଓ ଅଫିସରୁ ସୁଚିସ୍ମିତା ସ୍କୁଟିକୁ ଛାଡି ଫେରାର ହୋଇଯାଇଥିଲା। ଫେରାର ପରେ ବିଇଓ ଠାକୁର ସାହୁଙ୍କ ପକ୍ଷରୁ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ତଦନ୍ତରେ ସେ ୩୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ବିଭିନ୍ନ ସମୟରେ ନେଇଥିବା ଜାଣିବାକୁ ମିଳିଥିଲା। ଏହି ମାମଲାରେ ପୋଲିସ ଶିକ୍ଷକ ପୂର୍ଣ୍ଣଶଶୀ ମହାନ୍ତି, ବରଗଡ଼ର ଆମ୍ବପାଲିର ଗଙ୍ଗାଧର ପୁଝାରୀ, ମହାନ୍ତି ପଡାର ଗୋପାଳ ଦାସ ପ୍ରମୁଖ ଫେରାର କରେଇବାରେ ସହଯୋଗ ଅଭିଯୋଗରେ ଗିରଫ କରିଥିଲା। ପରେ ସେମାନେ ଜେଲ ଯାଇଥିଲେ। ସୁଚିସ୍ମିତାକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ପୋଲିସ ଟିମ ଗଠନ କରାଯାଇଥିଲେ ହେଁ ତାକୁ ଧରିବାରେ ସକ୍ଷମ ହୋଇନଥିଲେ। ସେ କେତେବେଳେ ରାଜ୍ୟବାହାରେ ତ କେତେବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମୃତବ୍ୟକ୍ତିଙ୍କ ସିମ ବ୍ୟବହାର କରି ପୋଲିସକୁ ଚକମା ଦେଉଥିଲା। ପରବର୍ତ୍ତୀ ସମୟରେ ଭିଜିଲାନ୍ସ ମାମଲାକୁ ହାତକୁ ନେଇ ଛାନଭିନ ଆରମ୍ଭ କରିଥିଲା। ଅଲଗା ଅଲଗା ବ୍ୟାଙ୍କର କାଗଜପତ୍ର ଯାଞ୍ଚ କରୁ କରୁ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ବ ସରକାରୀ ଅର୍ଥ ଆତ୍ମସାତ କରିଥିବା ଭିଜିଲାନ୍ସ ଜାଣିପାରିଥିଲା। ଏହି ମାମଲାରେ ପୂର୍ବ ବିଇଓ ଜଗନ୍ନାଥ ପୁରୋହିତ, ଏବିଇଓ ଜୟକୁମାର ମାଝୀ, ବିଇଓ ଠାକୁର ସାହୁଙ୍କୁ ପୋଲିସ ଓ ଭିଜିଲାନ୍ସ ପକ୍ଷରୁ ମାରାଥନ ଜେରା ଚାଲିଥିଲା। ସେମାନେ ମଧ୍ୟ ନିଜକୁ ଦୋଷମୁକ୍ତ କରିବା ପାଇଁ ଆପ୍ରାଣ ଉଦ୍ୟମ ଚଲେଇଥିଲେ। ବର୍ତ୍ତମାନ ସାଢ଼େ ଚାରିମାସ ଧରି ଫେରାର ଥିବା ସୁଚିସ୍ମିତା ସୁଆର ଶେଷରେ ଭବାନୀପାଟଣା ଏସଡ଼ିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଛି। ପୂର୍ବରୁ ସେ ହାଇକୋର୍ଟରେ ବେଲ ପାଇଁ ଆବେଦନ କରିଥିଲା, କିନ୍ତୁ ତାହା ଅଗ୍ରାହ୍ୟ ହୋଇଥିଲା। ଆତ୍ମସମର୍ପଣ ପରେ ସୁଚିସ୍ମିତାକୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ସେଇଠୁ ତାକୁ କୋର୍ଟରେ ହାଜର କରାଯାଇଥିଲା। ତାପରେ ତାକୁ ଜେଲକୁ ପଠେଇ ଦିଆଯାଇଥିବା ଜଣାପଡିଛି। ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଭିଜିଲାନ୍ସ ତରଫରୁ ସୁଚିସ୍ମିତାକୁ ରିମାଣ୍ଡରେ ଅଣାଯାଇ ଆତ୍ମସାତ କରିଥିବା ଟଙ୍କା ସେ କାହା କାହାକୁ ଦେଇଛନ୍ତି ଓ କେଉଁମାନେ ଏ ଘଟଣାରେ ସମ୍ପୃକ୍ତ ଅଛନ୍ତି ତାହା ସ୍ପଷ୍ଟ କରିପାରେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.