ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଆମ ଆଦମୀ ପାର୍ଟି ପକ୍ଷରୁ ରାୟଗଡା ଜିଲ୍ଳା ସଦର ମହକୁମା ଠାରେ ଏକ ମହାସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବଲାଙ୍ଗିର ଜିଲ୍ଳା ସଭାପତି ଆଶିଷ ପାଣ୍ଡେ ଓ ପୁରୀ ଜିଲ୍ଳା ସଭାପତି ସଂଜୀବ ମହାନ୍ତି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟ ସଂପାଦକ ତଥା ମୁଖପାତ୍ର ଓ ରାୟଗଡା ଜିଲ୍ଳା ସଭାପତି ଜନ୍ମେଜୟ ସ୍ୱାଇଁଙ୍କ ନେତୃତ୍ୱରେ ଶତାଧିକ ଆପ୍ କର୍ମୀମାନେ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ନିକଟରେ ଏକଜୁଟ୍ ହୋଇ ଏକ ବିଶାଳ ପଦଯାତ୍ରାରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଂହଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ରରେ ରାୟଗଡା ସହରର ରେଳବାଇ ଜାଗାରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ ପୂର୍ବରୁ ରାୟଗଡା ପ୍ରଶାସନ ସରକାରୀ ଖାତାକୁ ଫେରିଥିବା ୫୦୬ଏକର ଜେଏସକୋ ଜମିରେ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦିଆଯାଇ ଥଇଥାନ କରିବା,ମାସିକ ଭତା ୨୫୦୦ଟଙ୍କାକୁ ବୃଦ୍ଧି କରିବା,ଜିଲ୍ଳା ମୁଖ୍ୟ ଓ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ବିଶେଷଞ ଡାକ୍ତର ନିଯୁକ୍ତ ସହ ଆବଶ୍ୟକୀୟ ପରୀକ୍ଷା ଉପକରଣ ଏବଂ ଜରୁରୁ ଚିକିତ୍ସା ସେବା ଯୋଗାଇବା,ରାୟଗଡାରେ ଟ୍ରାଫିକ୍ ସମସ୍ୟା ଏଡାଇବା ପାଇଁ ୩ଟି ନୂତନ ଓଭରବ୍ରିଜ ନିର୍ମାଣ କରିବା,ରାୟଗଡାରେ ଅତିରିକ୍ତ ଟାଉନ ଥାନା ସହ ସହରରେ ସିସିଟିଭି ବ୍ୟବସ୍ଥା କରିବା,ଭୂମିହୀନଙ୍କୁ ପଟ୍ଟା ବଂଟନ ସହ ପିଏମଏୱାଇ ଯୋଜନାରେ ପକ୍କା ଘର ଯୋଗାଇବା,ମଧ୍ୟମ ଓ ଗରୀବ ଶ୍ରେଣୀର ଲୋକଙ୍କୁ ରାସନକାର୍ଡ ପ୍ରଦାନ କରିବା,ଉତ୍କଳ ଆଲୁମିନାର ଖଣି ପ୍ରଭାବିତ ତଥା କାଶିପୁର ବ୍ଳକ ଓ ଜିଲ୍ଳାର ବେକାର ଯୁବକଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଏବଂ ଡି.କରଳ ଓ ଡିମୁଣ୍ଡି ଗ୍ରାମକୁ ଡିପିର ମାନ୍ୟତା ପ୍ରଦାନ ଭଳି ଦାବି ଉଲ୍ଲେଖ ରହିଛି । ଏହି ସମାବେଶରେ ମହିଳା ମୋର୍ଚ୍ଚାର ନଗର ସଭାନେତ୍ରୀ ଶ୍ରୀମତି ସୁଚିତ୍ରା ପାଇକ,ଟି.ସାଙ୍ଗନା,ଜିତେନ୍ଦ୍ର ସେନାପତି,ଦୁର୍ଗାଚରଣ ପଟ୍ଟନାୟକ,ରମେଶ ଚନ୍ଦ୍ର ପାତ୍ର,ଲକି ଶଗଡିଆ,ସନ୍ତୋଷ ପାଇକ,ହେମନ୍ତ ଖରା,ମଧୁସୂଦନ ପାଣିଗ୍ରାହୀଙ୍କ ସମେତ ସମସ୍ତ ବ୍ଳକର ସଭାପତି ଏବଂ ପଂଚାୟତର ସଭାପତି ମାନେ ଉପସ୍ଥିତ ରହିଥିଲେ । ଆପ୍ ଜିଲ୍ଳା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଆବାହକ ଶ୍ରୀ ମହାପାତ୍ର ରାଜ୍ୟରେ କଂଗ୍ରେସ ଦଳ ଏକ ପ୍ରକାର ଶେଷ ହେବାକୁ ବସିଥିବା ବେଳେ ବିଜେପି ଓ ବିଜେଡି ମଧ୍ୟରେ ଭିତିରିଆ ସଂପର୍କକୁ ରାଜ୍ୟବାସୀ ଜାଣି ସାରିଲେଣି । ତେଣୁ ରାଜ୍ୟରେ ବିକଳ୍ପ ଭାବେ ଲୋକେ ଆପ୍ ଦଳକୁ ନିଶ୍ଚିତ ଭାବେ ଗ୍ରହଣ କରିବେ । ତେଣୁ ପଂଚାୟତସ୍ତରରୁ ଆପ୍ ଦଳର କାର୍ଯ୍ୟକର୍ତା ତଥା କର୍ମୀମାନେ ଲୋକଙ୍କ ନିକଟକୁ ଯାଇ ଶାସକ ଓ ବିରୋଧୀ ଦଳର ମନମୁଖୀ ଶାସନ ଏବଂ ଦୁର୍ନୀତି,ଭ୍ରଷ୍ଟାଚାରର ଅସଲି ମୁଖାକୁ ବାହାରକୁ ଆଣିବା ପାଇଁ ସଚେତନ କରାଇ ଆଗାମୀ ୨୦୨୪ସାଧାରଣ ନିର୍ବାଚନରେ ଆପ୍ ଦଳର ପ୍ରାର୍ଥୀମାନଙ୍କୁ ଭୋଟ ଦେଇ ବିଜୟୀ କରିବେ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ।