• ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଭିନ୍ନକ୍ଷମ ଅନ୍ତର୍ନିବେସୀ ଶିକ୍ଷା ସ୍ଵେଚ୍ଛାସେବୀ (ପିଏଚ୍ ଆଇଇଭି) ମାନେ ସ୍ଥାୟୀ ନିଯୁକ୍ତି ସହ ଦରମା ବୃଦ୍ଧି କରିବାକୁ ଦାବି କରିଛନ୍ତି। ଆଜି ସୋମବାର କଳାହାଣ୍ଡି ଜିଲ୍ଲା ଭିନ୍ନକ୍ଷମ ଅନ୍ତର୍ନିବେସୀ ଶିକ୍ଷା ସ୍ଵେଚ୍ଛାସେବୀ ସଂଘର କାର୍ଯ୍ୟକର୍ତ୍ତାମାନେ ସଭାପତି ନବୀବ କୁମାର ବାଗଙ୍କ ନେତୃତ୍ୱରେ ଆସି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର ୪୪ ଜଣ ଭିନ୍ନକ୍ଷମ ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ତଥା ଭିନ୍ନକ୍ଷମ ଅନ୍ତର୍ନିବେସୀ ଶିକ୍ଷା ସ୍ଵେଚ୍ଛାସେବୀ ଭାବରେ ଦୀର୍ଘ ୧୧ବର୍ଷ ହେବ ନିରବଚ୍ଛିନ୍ନ ଭାବେ ପ୍ରତିଦିନ ୨ଟି ଭିନ୍ନକ୍ଷମ ପିଲାକୁ ଘରୋଇ ଶିକ୍ଷା ଭଳି ପ୍ରତିଗୃହକୁ ଯାଇ ଶିକ୍ଷା ପ୍ରଦାନ କରିବା ସହ ୨ଟି ବିଦ୍ୟାଳୟକୁ ଯାଇ ଭିନ୍ନକ୍ଷମ ପିଲାଙ୍କୁ ସାଧାରଣ ପିଲାଙ୍କ ସହ ଶିକ୍ଷା ପ୍ରଦାନ କରି ଆସୁଛନ୍ତି। ଏମାନେ ଭିନ୍ନକ୍ଷମ ହୋଇ ମଧ୍ୟ ୪ ରୁ ୫ଟି ପଞ୍ଚାୟତର ପ୍ରତ୍ୟେକ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ପହଁଞ୍ଚାଇବାର ଦାୟିତ୍ବ ନିର୍ବାହ କରି ଆସୁଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏମାନଙ୍କୁ ଚାକିରୀରେ ନିୟମିତ କରାଯାଉନାହିଁ। ଭିନ୍ନକ୍ଷମ ଆଇଇଭି ମାନେ ମାସିକ ୪୭୬୦ ଟଙ୍କା ବେତନ ପାଇଥାନ୍ତି। ଭାରତ ସରକାରଙ୍କ ଭିନ୍ନକ୍ଷମ ଆଇନ ଅନୁଯାୟୀ ଏହି ଆଇଇଭି ମାନଙ୍କୁ ୬ ବର୍ଷରେ ନିୟମିତ କରିବା କଥା। କିନ୍ତୁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତିବର୍ଷ ଏମାନଙ୍କୁ ୧ ଦିନ ଛଟେଇକରି ନିୟମିତରୁ ବଞ୍ଚିତ କରୁଛନ୍ତି। ଏମାନଙ୍କ ମାସିକ ବେତନ ୪୭୬୦ ଟଙ୍କାକୁ ପ୍ରତିମାସରେ ଦେବା ପରିବର୍ତ୍ତେ ପ୍ରତି ୬ ମାସରେ ଦିଆଯାଉଥିବା ଅଭିଯୋଗ ହେଉଛି। ଯାହାକି ସେମାନଙ୍କ ପରିବାର ପ୍ରତିପୋଷଣ କରିବାରେ ବାଧକ ସୃଷ୍ଟି ହେଉଛି। ବର୍ତ୍ତମାନ ଜଣେ ଦିନମଜୁରିଆଠାରୁ ମଧ୍ୟ ବହୁତ କମ୍ ପାରିତୋଷିକ ପାଉଛନ୍ତି ଭିନ୍ନକ୍ଷମ ଆଇଇଭି। ଦୀର୍ଘ ବର୍ଷ ହେବ ଉକ୍ତ ପ୍ରସଙ୍ଗକୁ ନେଇ ଭିନ୍ନକ୍ଷମ ଅନ୍ତର୍ନିବେସୀ ଶିକ୍ଷା ସ୍ଵେଚ୍ଛାସେବୀ ମହାସଂଘ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ମନ୍ତ୍ରୀ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳି ପାରିନାହିଁ। ତେଣୁ ପିଏଚ୍ ଆଇଇଭି ମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୧୧ ବର୍ଷର ଅଭିଜ୍ଞତା ଦୃଷ୍ଟିରୁ ଗୋଟିଏ ଦିନର ଛଟେଇକୁ ବନ୍ଦ କରାଯାଇ ସ୍ଥାୟୀ ନିଯୁକ୍ତି କରାଯିବା ସହ ସମାଜରେ ଦୈନିକ ମଜୁରି ହାରରେ ଦରମାକୁ ବର୍ଦ୍ଧିତ କରିବାପାଇଁ ଦାବି କରିଛି କଳାହାଣ୍ଡି ଜିଲ୍ଲା ଭିନ୍ନକ୍ଷମ ଅନ୍ତର୍ନିବେସୀ ଶିକ୍ଷା ସ୍ଵେଚ୍ଛାସେବୀ ସଂଘ। ଯଦି ସରକାର ଏହି ଦାବି ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ସଂଘର କାର୍ଯ୍ୟକର୍ତ୍ତା। ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ନବୀନ କୁମାର ବାଗ, ସାଧାରଣ ସମ୍ପାଦକ ଅବିନାଶ ପଣ୍ଡାଙ୍କ ସମେତ ଜିତେନ୍ଦ୍ର ଜାଲ, ଯୁଗେଶ୍ୱର ବିଶି, ଅନନ୍ତ ମୁଣ୍ଡ ଓ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ।