ନର୍ଲାର ବଣପାହାଡରେ ମହକୁଛି ମହୁଲ ଫୁଲ, ମିଳୁନାହିଁ ଉଚିତ ମୂଲ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚୈତ୍ର ମାସର ମୃଦୁ ମଳୟରେ ମହକି ଯାଉଛି ମହୁଲ ଫୁଲ। ତେବେ ଏହି ବନଜାତ ଦ୍ରବ୍ୟ ଗୋଟାଇବାରେ ଯେତିକି ଶ୍ରମ ସାଧିତ ହେଉଛି ସେହି ଅନୁପାତରେ ମିଳୁନାହିଁ ମୂଳ। ଶୋଷଣର ଶିକାର ହେଉଛନ୍ତି ମହୁଲ ଗୋଟାଳି। ଧାନ, ମୁଗ, ଚଣା ଓ କପା ଚାଷକୁ ବାଦ୍ ଦେଲେ ନର୍ଲା ଅଞ୍ଚଳରେ ଅନ୍ୟ ଅର୍ଥକାରୀ ଦ୍ରବ୍ୟ ଭାବରେ ମହୁଲ ହିଁ ଗଣନାକୁ ଆସିଥାଏ। ଛୋଟ ଚାଷୀ ଏବଂ ଆଦିବାସୀଙ୍କୁ ବେଶ୍ ରୋଜଗାରକ୍ଷମ କରିଥାଏ ମହୁଲ ଫୁଲ। ଦିନକୁ ଦିନ ବିଭିନ୍ନ ଅଞ୍ଚଳରେ ମଦଭାଟି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ମଦଭାଟିରୁ କୋଟି କୋଟି ଟଙ୍କା ରାଜସ୍ୱ ପାଉଛନ୍ତି ସରକାର। କିନ୍ତୁ ମହୁଲର ଅଭାବୀ ବିକ୍ରୀ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ସାଜିଛି ବାଧକ। ଶାାଗ ମାଛ ଦରରେ ଏହାକୁ କିଲୋଗ୍ରାମ ପ୍ରତି ୧୦ ରୁ ୧୨ ଟଙ୍କା ଓ ମାଣ ପ୍ରତି ୩୦ ରୁ ୩୫ ଟଙ୍କାରେ ବିକ୍ରୀ କରୁଛନ୍ତି ଲୋକେ। ମହୁଲ ସଂଗ୍ରହ ପାଇଁ ବା ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୀ ପାଇଁ ସ୍ୱତନ୍ତ୍ର ନିୟମ ରହିଛି। ମହୁଲ କ୍ରୟ ବିକ୍ରୟ ଉପରେ ଜିଲ୍ଲାର ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି ଏବଂ କିଛି ସରକାରୀ କର୍ମଚାରୀଙ୍କ ଗଠିତ କମିଟିରେ ମୂଲ୍ୟ ଧାର୍ଯ୍ୟ ହେବା କଥା। କିନ୍ତୁ ଏ ସବୁରେ ବ୍ୟତିକ୍ରମ ଦେଖାଯାଇଛି। ଗ୍ରାମାଞ୍ଚଳରେ ମଦଭାଟି ମାଲିକମାନେ କିଛି ଲୋକଙ୍କୁ ରଖି ଆଗୁଆ କମ୍ ଦରରେ ମହୁଲ କିଣି ଗଚ୍ଛିତ ରଖୁଛନ୍ତି। ପରେ ନାମକୁ ମାତ୍ର କିଛି ମହୁଲ କିଣି ସରକାରୀ ଦପ୍ତରରେ ଦେଖାଣିଆ ଭାବ ଦେଖାଉଛନ୍ତି। ଲଘୁ ବନଜାତ ଦ୍ରବ୍ୟର ଦର ଦାମ କମି ଯାଉଥିବା ବେଳେ, ମହୁଲରେ ତିଆରି ସାମଗ୍ରୀର ମୂଲ୍ୟ ଯୋର ସୋରରେ ବଢୁଛି। କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ୍ ଅଞ୍ଚଳରେ ରହିଥିବା ମଫସଲ ଗାଁ ଗୁଡିକର ଆଦିବାସୀ ଓ ଜନସାଧାରଣ ମହୁଲ ସଂଗ୍ରହ କରି ଆର୍ଥିକ ସ୍ଥିତିର ସନ୍ତୁଳନ ରକ୍ଷା କରିଥାନ୍ତି। ମହୁଲର ଅଭାବି ବିକ୍ରୀ ସେମାନଙ୍କ ପେଟ ପାଟଣା ପାଇଁ ବାଧକ ସାଜିଥିବା ଅଭିଯୋଗ ହେଉଛି। ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ବସି କ୍ରୟ ବିକ୍ରୟ ଉପରେ ଆଲୋଚନା ହେଉଥିଲା। ଏବେ କିଛି ବର୍ଷ ହେବ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଲୋଚନା ହେବା ପୂର୍ବରୁ ଭାଟି ମାଲିକ ମାନେ, ଏପରିକି କିଛି ଖୁଚୁରା ବ୍ୟବସାୟୀ ଗାଁ ଗାଁ ବୁଲି ମହୁଲ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ଫଳରେ ସରକାରଙ୍କ ଧାର୍ଯ୍ୟମୂଲ୍ୟ ମୁତାବକ ପାଉଣା ପାଉନଥିବା ଯୋଗୁଁ ସେମାନଙ୍କର ପରିବାରର ଗୁଜୁରାଣ ମେଣ୍ଟାଇବା କାଠିକର ପାଠ ହେଉଛି। ଜିଲ୍ଲା ପ୍ରଶାସନ ଯଦି ଏହି ଦିଗପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତେ, ତାହେଲେ ମହୁଲର ଅଭାବୀ ବିକ୍ରୀ ଉପରେ ଅଙ୍କୁଶ ଲାଗି ପାରନ୍ତା ଏବଂ ଆଦିବାସୀ ଓ ଜନସାଧାରଣ ମହୁଲର ଉଚିତ୍ ମୂଲ୍ୟ ପାଇ ପାରନ୍ତେ। ଅନ୍ୟପକ୍ଷେ ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରା ଯୋଗୁଁ ଭାଟି ମାଲିକ ମାନେ ମନମୁତାବକ ମହୁଲ କିଣି ମଦ ତିଆରି କରି ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ବିଧେୟ ବୋଲି ମତପ୍ରକାଶ କରିଛନ୍ତି ସଚେତନ ନାଗରିକ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.