ଅଦିନିଆ ବର୍ଷା ଉଜାଡ଼ି ଦେଲା ମୁଗ ଚାଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ମଙ୍ଗଳବାର ରୁ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ମୁଗ ଚାଷର ବ୍ୟାପକ କ୍ଷତି କରିଥିବା ଦେଖିବାକୁ ମିଳିଛି । ନର୍ଲା ବ୍ଲକ ଏକ ଅଣ ଜଳ ସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଚାଷୀ ଇନ୍ଦ୍ର ଦେବତାଙ୍କ ଉପରେ ନିର୍ଭର କରି ଚାଷ କରିଥାନ୍ତି । ନର୍ଲା ଅଞ୍ଚଳର ମୁଖ୍ୟ ଫସଲ ହେଉଛି ଧାନ ଚାଷ । ଏହାବାଦ ଅର୍ଥକାରୀ ଫସଲ ଭାବରେ ମୁଗ ଓ କପା ରହିଛି । ଡିସେମ୍ବର ରେ ଧାନ କାଟିବା ପରେ ପରେ ଚାଷୀ ଓଦାଳିଆ ମାଟିକୁ ଚଷି ସେଥିରେ ମୁଗ ବୁଣି ଥାନ୍ତି । ମୁଗ ଜମିରେ ରହିଥିବା ଆଦ୍ରତାରେ ମୁଗ ଗଜା ହେବା ସହ ଛନଛନିଆ ଭାବରେ ଗଛ ହୋଇଥାଏ । ଜାନୁୟାରୀ ରୁ ଫେବୃୟାରୀ ମାସ ମଧ୍ୟରେ କାଁ ଭାଁ ଅସରାଏ ବର୍ଷା ହୋଇଗଲେ ମୁଗ ଫସଲ ସଫଳ ହୋଇଥାଏ । ଅର୍ଥକାରୀ ଫସଲ ମୁଗ ଅମଳ କରି ଭଲ ଦୁଇ ପଇସା ପାଇଥାନ୍ତି ଚାଷୀ । ଏଥିରେ ନା ସାର ଦେବାକୁ ପଡିଥାଏ, ନା କୀଟ ନାଶକ ଔଷଧ । ବିନା ଖର୍ଚ୍ଚାନ୍ତରେ ଚାଷୀ ମୁଗ ଅମଳ କରି ଭଲ ଦୁଇ ପଇସା ପାଇଥାଏ । ବିଶେଷ କରି ନର୍ଲାର ମାଣ୍ଡେଲ, ଘଣ୍ଟମାଳ, ଭୀମକେଲା, ପଲସାପଡା, ରୁପ୍ରା, ଗିଗିନା, ଭାନପୁର, ରାକ୍ସୀ, ବଫଲା, କମେଗାଁ, ସେରଗଡ, ବଲବସପୁର, ମୁରସିଂ, କର୍ମେ, ସରିଆଁ, ରାକ୍ସୀ, ବୁଢୀପଦର ପ୍ରଭୃତି ଅଞ୍ଚଳର ଚାଷୀ ଭରପୁର ଭାବରେ ମୁଗଚାଷ କରିଥାନ୍ତି । ଫେବୃୟାରୀ ମାସ ଶେଷ ସୁଦ୍ଧା କପା ଅମଳ ପ୍ରାୟତଃ ସରି ଯାଇଥାଏ । ହେଲେ ମାର୍ଚ୍ଚ ମାସ ଶେଷ ଭାଗକୁ ମୁଗ ଅମଳ ସରିଥାଏ । ନର୍ଲା ଅଞ୍ଚଳରେ ୭୦ ପ୍ରତିଶତ ଅଞ୍ଚଳରେ ମୁଗଚାଷ ହୋଇଥାଏ । ଗତ ସପ୍ତାହ ପର୍ଯ୍ୟନ୍ତ ୫୦ ପ୍ରତିଶତ ଚାଷୀ ସେମାନଙ୍କ ମୁଗ ଆଣି ଖଳାରେ ରଖି ସୁଖାଇବା ସହ ମୁଗ ଅମଳ ପ୍ରକ୍ରୀୟା ଆରମ୍ଭ କରୁଥିବା ବେଳେ ଗତ ମଙ୍ଗଳବାର ସଂଧ୍ୟା ୬.୩୦ ରେ ଅସରାଏ ଭଲ ବର୍ଷା ହେବାରୁ ଖଳାରେ ରଖିଥିବା ମୁଗ ଚୂନା ଓ ସୁଖିଲା ମୁଗ ସବୁ ତିନ୍ତି ଯାଇଥିଲା । ଘର ସୁବିଧା ଥିବା ଚାଷୀ ସଫା ହୋଇନଥିବା ମୁଗ ଗୁଣ୍ଡ ସମେତ ଶୁଖିଲା ମୁଗ ଗଛ ସବୁକୁ ଘର ଭିତରେ ରଖିଥିବା ବେଳେ ରଖିବା ସୁବିଧା ନଥିବା ଏବଂ ବହୁତ ପରିମାଣରେ ଚାଷ କରିଥିବା ଚାଷୀ ବାଧ୍ୟ ହୋଇ ଖଳା କିମ୍ବା ଗାଁ ମଝିରେ ରହିଥିବା କଂକ୍ରୀଟ ରାସ୍ତାରେ ପଲିଥିନ ଘୋଡେଇ ମୁଗ ରଖିଥିବା ଦେଖିବାକୁ ମିଳିଥିଲା । ୫୦ ପ୍ରତିଶତ ମୁଗ ଅମଳ କରାଯାଇ ଖଳା ସବୁରେ ପଲିଥିନ ଘୋଡେଇ ରଖା୍ାଇଥିବା ବେଳେ ୫୦ ପ୍ରତିଶତ ମୁଗ ଅମଳ ହେବାକୁ ପ୍ରସ୍ତୁତ ହୋଇ ରହିଛି । ଏଭଳି ସ୍ଥିତିରେ ଯେଉଁଭଳି ଭାବରେ ହେଉନା କାହିଁକି ପଲିଥିନ ଘୋଡେଇଲେ ମଧ୍ୟ ଖଳାରେ ପାଣି ତିନ୍ତି ମୁଗ ନଷ୍ଟ ହେବାର ସମ୍ଭାବନା ଅନେକ ରହିଛି । ଖଳା କିମ୍ବା ଘର ଭିତରେ ଚାଷୀ ମୁଗ ରଖିନେଲେ। ହେଲେ ଜମିରେ ପାକଳ ହୋଇ ଆସୁଥିବା ମୁଗକୁ ଚାଷୀ ସୁରକ୍ଷା ଦେବ ବା କିପରି।? ଏକର ଏକର ମୁଗ ଚାଷକୁ ତ ପଲିଥିନ ଘୋଡେଇ ରଖିବା ସମ୍ଭବ ନୁହଁ । ଏହାବାଦ ଅମଲ ପାଇଁ ଜମିରେ ରହିଥିବା ସୁଖିଲା ମୁଗ ମଧ୍ୟ ପାଣି ପଡିଲେ ଫାଟି ଯାଇ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବା ଶତ ପ୍ରତିଶତ ନିଶ୍ଚିତ । ନର୍ଲା ଅଞ୍ଚଳରେ ଗତ ମଙ୍ଗଳବାର ରୁ ଅଳ୍ପ ବହୁତ ବର୍ଷା ହେଉଥିଲା ଗତକାଲି ଶନିବାର ଅପରାହ୍ନ ୩ ଟା ବେଳେ ଝଡ ବାତ୍ୟା ସହ ମେଘ ପବନ ଆସି ବିଜୁଳି, ଘଡଘଡି ମାରି ଖୁବ ଯୋରରେ ବର୍ଷା ହେବା ଫଳରେ ମୁଗ ଚାଷ ପ୍ରଭୁତ କ୍ଷତି ଘଟିଥିବା ଚାଷୀ ମାନେ ମତବ୍ୟକ୍ତ କରିଛନ୍ତି । ଶନିବାର ରାତିସାରା ଲାଗି ରହିଲା ବର୍ଷା । ଏବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ମୁଖ୍ୟ ଅର୍ଥକାରୀ ଫସଲ ମୁଗ ଚାଷ ଅଦିନିଆ ବର୍ଷା ଫଳରେ ବ୍ୟାପକ କ୍ଷତି ହୋଇଛି । ଚାଷୀ କହିବା କଥା ଧାନ ବର୍ଷା ମାଡକୁ ସହିଯାଇପାରେ । ଧାନ କେଣ୍ଡା ତିନିଦିନ ବର୍ଷା ପାଣି ଭିତରେ ବୁଡି ରହିଲେ ମଧ୍ୟ ଏହା ଗଜା ହୋଇନଥାଏ । ହେଲେ ମୁଗ ଓ ହରଡ ଅମଲ ସମୟରେ ଅସରାଏ ବର୍ଷାରେ ତିନ୍ତିଗଲେ କଥା ସରିଲା । ମଙ୍ଗଳବାର ରୁ ହୋଇଥିବା ବିଷେଶ କରି ଶନିବାର ଦିନର ନିର୍ଘାତିଆ ବର୍ଷାରେ ଅମଲ ହେବାପାଇଁ ଜମିରେ ରହିଥିବା ପରିପକ୍ୱ ମୁଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଚଳିତ ବର୍ଷ ପ୍ରଥମ କରି ମୁଗ ଚାଷ ର ଫସଲ ବୀମା କରାଯାଇଥିବାରୁ ଅନେକ ଚାଷି ମୁଗ ଚାଷର ବୀମା ମଧ୍ୟ କରିପାରି ନାହାନ୍ତି । ବିମା କରିଥିବା ଚାଷୀ ତ ପସଲହାନି ବୀମା ଟଙ୍କା ପାଇବେ । ହେଲେ ବୀମା କରିପାରି ନଥିବା ମୁଗ ଚାଷୀଙ୍କୁ ମଧ୍ୟ ସରକାର ଅନୁକମ୍ପା ମୂଳକ କ୍ଷତିପୁରଣ ଦିଅନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.