ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆଦିମ ସଂସ୍କୃତିର ଅଧିକାଂଶ ପାର୍ବଣ କୃଷିଭିତ୍ତିକ। କୃଷି ସହିତ ସମ୍ବନ୍ଧିତ ଅନେକ ପର୍ବପର୍ବାଣୀ ମଧ୍ୟରୁ କଳାହାଣ୍ଡିର ବିହନଛିନା ଯାତ୍ରା ଅନ୍ୟତମ। ଚାଷ କାର୍ଯ୍ୟ ପୂର୍ବରୁ ଅନୁଷ୍ଠିତ ହେଉଥିବା ଏହି ନିଆରା ପର୍ବ କୋକସରା ବ୍ଲକ ସାହଜଖୋଲ ଜଙ୍ଗଲ ପାଦଦେଶରେ ଥିବା ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ଗାଁରେ ଆୟୋଜିତ ହୋଇଯାଇଛି। ଗ୍ରାମର ସମସ୍ତ ଚାଷୀକୂଳ ବଡ଼ି ଭୋରରୁ ନିତ୍ୟକର୍ମ ସାରି ଦେବୀଙ୍କ ପିଠରେ ଲାଠି, କାଳିସୀ ଓ ଗ୍ରାମର ଭଣ୍ଡାର ମାଉଲି, ଡୋକରୀ ବୁଢ଼ୀ, ସାନସୁଲିଆ, ବଡ଼ସୁଲିଆ, ଭୀମା ଦେବା ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭୋଗରାଗ ଅର୍ପଣ କରିଥିଲେ। ପରମ୍ପରା ଅନୁଯାୟୀ ମାଟି ଘରେ ଥିବା ଗୋଲ ଗୋଲ ପଥର ଖଣ୍ଡକୁ ଚାଷୀମାନେ ଉଠେଇ ପରିକ୍ରମା କରନ୍ତି, ଯାହାକୁ ଭୀମା ଅଣ୍ଡା ବୋଲି ସ୍ଥାନୀୟ ଭାଷାରେ କୁହାଯାଏ। ଯେଉଁମାନେ ବିଶ୍ୱାସ ଓ ଭକ୍ତି କରନ୍ତି ନାହିଁ ସେମାନେ ପଥର ଉଠେଇବାରେ ସକ୍ଷମ ହୁଅନ୍ତି ନାହିଁ ବୋଲି ବିଶ୍ୱାସ ରହିଛି। ପୂଜା ଶେଷରେ ଚାଷୀମାନେ ଖୁସିରେ ବିହନ ଗ୍ରହଣ କରି ନାଚି ନାଚି ଘରକୁ ଫେରନ୍ତି। ତେବେ ଚଳିତ ବର୍ଷର ବିହନଛିନା ଯାତ୍ରାକୁ ଗ୍ରାମର ଗୈାନ୍ତିଆ ଗବ୍ର ମାଝୀ, ପୁଝାରୀ ମାନସିଙ୍ଗ ପୁଝାରୀ, ଗଣା ଡମୁ ମହାନନ୍ଦ, କାଳିସୀ ନବେ ମାଝୀ, ଜୟଧର ଚଳାନ, ନର୍ସିଙ୍ଗ ଚଳାନ, ଓ ଗ୍ରାମ୍ୟ ଭଦ୍ର ବ୍ୟକ୍ତି ବନୁ ମାଝୀ, ପଦ୍ମନ ଚଳାନ, ରାମଦାସ କନ୍ଦ, ବିରେନ କନ୍ଦ, ତ୍ରିନାଥ ପୁଝାରୀ, ପୁରୁନ କନ୍ଦ, ଜୟସିଂ ମାଝୀ ସମେତ ସମସ୍ତ ଗ୍ରାମବାସୀ ଏହି ବିହନ ଯାତ୍ରାରେ ସାମିଲ ହୋଇ ସହଯୋଗ କରିଥିଲେ।