ମାଡିଗଲା କଣ୍ଟେନଏର, ଚାଲିଗଲା ମାଛ ବିକାଳୀଙ୍କ ଜୀବନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବାଇପାସ ରହିଛି ନାମକୁ ମାତ୍ର | ଦିନକୁ ଦିନ ରାୟଗଡା ସହର ମଧ୍ୟ ଦେଇ ଯାଉଥିବା ମାଲବାହୀ ଭାରିଯାନ ପାଇଁ କିଛି ନା କିଛି ଛୋଟ ବଡ଼ ସଡ଼କ ଦୁର୍ଘଟଣା ଘଟୁଛି | ଆଉ ଅକାଳରେ ଚାଲି ଯାଉଛି ଜୀବନ | ୧୨ଦିନ ବ୍ୟବଧାନରେ ପୁଣି ରାୟଗଡା ସହର ଭିତରେ ଆଜି ସଡକ ଦୁର୍ଘଟଣାରେ ଚାଲି ଯାଇଛି ଆଉ ଜଣେ ନିରୀହ ଲୋକଙ୍କ ଜୀବନ | ସହର ମଧ୍ୟ ଦେଇ ଯାଇଥିବା ୩୨୬ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ସ୍ଥାନୀୟ ପୂର୍ତ୍ତ ବଙ୍ଗଳା ନିକଟରେ ଘଟିଛି ସଡ଼କ ଦୁର୍ଘଟଣା | ଆଜି ଭୋର ସାଢେ ୫ଟା ସମୟରେ ବୋଚା ପ୍ରକାଶ ନାମକ ଜଣେ ମାଛ ବ୍ୟବସାୟୀଙ୍କ ଉପରକୁ ମାଡିଗଲା ଏକ ମାଲବୋଝେଇ କଣ୍ଟେନଏର ଟ୍ରକ | ଘଟଣା ସ୍ଥଳରେ ହିଁ ପ୍ରକାଶଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା କଣ୍ଟେନେର ଡ୍ରାଇଭର ଫେରାର ହୋଇଯାଇଛି | ମୃତକ ଙ୍କ ଘର ରାୟଗଡା ଉପକଣ୍ଠ ଖୋଲିଗୁଡା ଗ୍ରାମରେ ବୋଲି ଜଣାପଡିଛି | ନିଜ ବାସଭବନ ଠାରୁ ମାତ୍ର ୨୦୦ ମିଟର ଦୂରତାରେ ସଡ଼କ ଦୁର୍ଘଟଣାରେ ଜଣଙ୍କ ଜୀବନ ଚାଲି ଯାଇଥିବା ଖବର ପାଇ ଘଟଣା ସ୍ଥଳରେ ପହଂଚି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଥାନା ଅଧିକାରୀ କେ.କେ. ବି. କେ. କହଁର ଓ ଅନ୍ୟ ପୋଲିସ କର୍ମଚାରୀ ପହଂଚି ଟ୍ରକକୁ ଜବତ କରିବା ସହ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି | ତେବେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ମାନେ କ୍ଷତିପୂରଣ ଦାବି କରି କିଛି ଘଣ୍ଟା ଧରି ରାସ୍ତା ଅବରୋଧ କରିଥିବା ବେଳେ ପୋଲିସ ସମସ୍ତଙ୍କୁ ବୁଝାସୁଝା କରି ଅବରୋଧ ହଟାଇଥିଲେ | ସୂଚନା ମୁତାବକ ୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡାର ପୂର୍ତ୍ତ ବଙ୍ଗଳା ପାଚେରୀ କୁ ଲାଗି ରହିଥିବା ନିଜ ମାଛ ଦୋକାନକୁ ନିଜ ଠେଲା ଗାଡ଼ିରେ ମାଛ ନେଇ ରଖୁଥିବା ସମୟରେ ଦ୍ରୁତ ବେଗରେ ଆସୁଥିବା ଏକ କଣ୍ଟେନେର ଟ୍ରକ ଭରାସାମ୍ୟ ହରାଇ ରାସ୍ତା କଡ଼ ଦୋକାନରେ ମାଛ ରଖୁଥିବା ପ୍ରକାଶ ଉପରକୁ ମାଡି ଯାଇଥିଲା | ଠେଲା ଗାଡି ବି ଟ୍ରକ ଧକ୍କା ରେ ନଷ୍ଟ ହୋଇ ଯାଇଥିବା ବେଳେ ଟ୍ରକ ଚକା ତଳେ ପଡି ପ୍ରକାଶର ମୃତ୍ୟୁ ହୋଇଥିଲା | ପ୍ରକାଶ ଥାଉ କି, ସଡ଼କ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଟ୍ରାଫିକ ନିୟମ ମାନି ଗାଡ଼ି ଚଲେଇବା ନିମନ୍ତେ ଚଳିତ ମାସ ଏକ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ୍ୟ ମୃତାହତ ସପ୍ତାହ ପାଳନ କରାଯାଇଥିଲା | ରାୟଗଡା ଆଞ୍ଚଳିକ ପରିବହନ ଓ ଜିଲ୍ଲା ପୋଲିସ ବିଭାଗ ମିଳିତରେ ଜନ ସାଧାରଣ ତଥା ଗାଡ଼ି ଚାଳକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ତଥା ନିୟମ ଖିଲାପକାରୀଙ୍କୁ ସାବଡ଼ କରିବା ପାଇଁ ସମଗ୍ର ଜିଲ୍ଲାରେ ଯାଞ୍ଚ କଡାକଡି କରାଯାଇଥିଲା | ଖିଲାପକାରୀ ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜୋରିମାନା ବାବଦ ଆଦାୟକୁ ଏବଂ ସଡ଼କ ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ନେଇ ଉଭୟ ବିଭାଗ ସନ୍ତୋଷ ପ୍ରକାଶ କରିଥିବା ବେଳେ ସପ୍ତାହ ପାଳନର ଶେଷ ରାତ୍ରରେ ରାୟଗଡା ସହର ସ୍ଥିତ ରୟତ କଲୋନୀ ଛକ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିଲା | ଯାହାକି ଉଭୟ ବିଭାଗର ସମସ୍ତ ପରିଶ୍ରମ କୁ ବିଫଳ କରି ଦେଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.