ଦୁର୍ଗା ମାତା ଓ ବିଗ୍ରହ ସମୁହ କଲେ ନଗର ପରିକ୍ରମା; ଧନ୍ୟ ହେଲା ରୁପ୍ରାରୋଡ ମାଟି, କୃତାର୍ଥ ଜନସମୁଦାୟ

ଦେବସର ଧାମ ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବର ସପ୍ତମ ଦିବସରେ ପ୍ରବଳ ଜନସମାଗମ, ଉତ୍ସବକୁ ଫିକା କରିଦେଲା କାଳବୈଶାଖୀ ବର୍ଷା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ବୈଦିକ ବିଧିବିଧାନ ଅନୁସାରେ ଚାଲିଛି ରୁପ୍ରାରୋଡ ଦେବସର ଧାମ ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ । ଅପ୍ରେଲ ୧୬ରୁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ଅପ୍ରେଲ ୨୨ ଶନିବାର ମନ୍ଦିର ପ୍ରତିଷ୍ଠା ଉତ୍ସବର ସପ୍ତମ ଦିବସରେ ନଗର ପରିକ୍ରମା କରିଛନ୍ତି ଦେବୀ ଦୁର୍ଗା । ଦେବସରଓ୍ବାଲି ମାଁ ଦୁର୍ଗାଙ୍କ ଅପୂର୍ବ ପ୍ରତିମା ସମେତ ମନ୍ଦିରରେ ସ୍ଥାପିତ ହେବାକୁ ଯାଉଥିବା ଭଗବାନ ଗଣେଶ, ଶଙ୍କଟହର୍ତ୍ତା ହନୁମାନ, ମାଁ ସନ୍ତୋଷୀ, ବାବା ଭୈରବନାଥ ଓ ଦିବ୍ୟ ଜ୍ୟୋତି ସହ ନଗର ପରିକ୍ରମା କରିଛନ୍ତି । ଏହି ପରିକ୍ରମା କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ସାମିଲ ହୋଇଥିଲେ । ହାତରେ ଦେବୀଙ୍କ ଝଣ୍ଡାଧରି ଚାଲିଥିଲେ ଶ୍ରଦ୍ଧାଳୁ । ଜୟ ମାତା ଦି ଧ୍ବନୀରେ ମୁଖରିତ ହୋଇ ଉଠିଥିଲା ଗଗନ ପବନ ‌। ବାଦ୍ୟ ନାଦର ତାଳେ ତାଳେ ନାଚି ଉଠିଥିଲେ ଶ୍ରଦ୍ଧାଳୁ । କୁନି କୁନି ଝିଅମାନେ ଦେବୀ ଦୁର୍ଗାଙ୍କ ବେଶରେ ସଜ୍ଜିତ ହୋଇ ବିଗ୍ରହ ସମ୍ମୁଖ ଭାଗରେ ରହି ନଗର ପରିକ୍ରମାରେ ଅଂଶ ଗ୍ରହଣ କରିଥିଲେ । ନଗର ପରିକ୍ରମା ପରେ ସନ୍ଧ୍ୟା ୭.୩୦ରେ ବିଗ୍ରହ ସମୁହ ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ । ରବିବାର ଦେବୀ ଦୁର୍ଗାଙ୍କ ସମେତ ବିଗ୍ରହ ସମୁହ ସିଂହାସନ ଆରୋହଣ କରିବେ । ଏଥିପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଆଜି ଦେବୀଙ୍କୁ ପାଇ ରୁପ୍ରାରୋଡ ମାଟି ଧନ୍ୟ ହୋଇଛି । କୃତାର୍ଥ ହୋଇଛନ୍ତି ଜନସମୁଦାୟ । ଏପଟେ ଛପନ ପ୍ରହର ନାମଯଜ୍ଞ ଦେଖିବା ପାଇଁ ଆଜି ପ୍ରବଳ ଜନସମାଗମ ହୋଇଥିଲା । ତେବେ ରାତି ୯ଟାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବା ଯୋଗୁଁ ଲୋକେ ଗୃହାଭିମୁଖି ହୋଇଥିଲେ ‌। ବର୍ଷା କିଛି ପରିମାଣରେ ବିଗାଡି ଦେଲା ଯାତ୍ରାର ମଜା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.