ଆଜି କଳାହାଣ୍ଡି ଆସୁଛନ୍ତି 5t ସଚୀବ; କେସିଙ୍ଗା ଉପରେ ଶୁଭ ଦୃଷ୍ଟି ପଡିବ ତ ? 

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଆଜି ୧୯ ମଇ ଶୁକ୍ରବାର କଳାହାଣ୍ଡି ଆସୁଛନ୍ତି ଫାଇଭ୍-ଟି ସଚୀବ ଭି. କାର୍ତ୍ତିକେୟନ ପାଣ୍ଡିୟାନ । ତାଙ୍କର ଏହି ଗୁରୁତ୍ବପୂର୍ଣ୍ଣ ଗସ୍ତକୁ ଦୃଷ୍ଟିରେ ରଖି ସାରା ଜିଲ୍ଲାରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆଲୋଚନା ଯୋର ଧରିଛି । ଏହାରି ଭିତରେ ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ବ୍ୟବସାୟିକ ପେଣ୍ଠସ୍ଥଳୀ କେସିଙ୍ଗା ଉପରେ କ’ଣ ଫୋକସ ରହିବ ତାହାକୁ ନେଇ ଆଶା ଆଶଙ୍କା ଭିତରେ ରହିଛନ୍ତି ଅଞ୍ଚଳବାସୀ । ପାଣ୍ଡିୟାନ ଶୁକ୍ରବାର ଉତ୍କେଲା ବିମାନ ବନ୍ଦରରେ ଓହ୍ଲାଇ କେସିଙ୍ଗା ଦେଇ ବେଳଖଣ୍ଡି ଶୈବପୀଠକୁ ଯିବେ। ଏଣୁ କେସିଙ୍ଗାର ସମସ୍ୟା ଉପରେ ସେ ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି ‌। କେସିଙ୍ଗା ବର୍ତ୍ତମାନ ସମସ୍ୟାର ଗନ୍ତାଘର ପାଲଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନେକ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ମରୁଡ଼  ପଡିଥିବାବେଳେ କେସିଙ୍ଗା ତହସିଲରେ ୬ ମାସ ହେଲା ତହସିଲଦାର ପଦବୀ ଖାଲି ପଡିଛି । ଦୀର୍ଘ ୩୯ ବର୍ଷ ହେଲା ଅବହେଳିତ ହୋଇ ପଡ଼ିରହିଛି କେସିଙ୍ଗାର କୋଣାର୍କ ସୁତାକଳ; ଏହାକୁ କାର୍ଯ୍ୟକ୍ଷମ କରାଇବା ଜରୁରୀ ହୋଇପଡିଛି । କେସିଙ୍ଗା ଏନଏଚ ୨୬ ଏକ ବ୍ୟସ୍ତ ବହୁଳ ରାସ୍ତା ‌। ଅନେକ ସମୟରେ ଏଠାରେ ଦୁର୍ଘଟଣା ଘଟି ଅନେକ ଜନଜୀବନ ନଷ୍ଟ ହେଉଛି । ଏଣୁ କୁର୍ଲୁପଡା ଠାରୁ ଜୋଲୋକ ମଧ୍ୟରେ ଏକ ବାଇପାସ ରାସ୍ତା ନିର୍ମାଣ ହେଲେ ଗମନାଗମନ ପାଇଁ ଉପଯୁକ୍ତ ମାଧ୍ୟମ ପାଲଟିବ ‌। କେସିଙ୍ଗା-ଟିଟିଲାଗଡ ରାସ୍ତାକୁ ଗ୍ରାମାଞ୍ଚଳ ଅର୍ଥନୈତିକ ରାସ୍ତାରେ ସାମିଲ କଲେ ଅଞ୍ଚଳର ପ୍ରଗତି ହୋଇ ପାରିବ ।‌‌ କେସିଙ୍ଗା ସିଚସିରେ ଡାକ୍ତର ଓ ବିଶେଷଜ୍ଞ ପଦବୀ ପୂରଣ ସହ ଏଥିରେ ଅତ୍ୟାଧୁନିକ ସେବା ଯୋଗାଇଦେଲେ କେସିଙ୍ଗା ସମେତ ଆଖପାଖ ଅଞ୍ଚଳବାସୀ ଉତ୍ତମ ମାନର ସ୍ବାସ୍ଥ୍ୟ ସେବା ପାରିବାରୁ ଆଉ ବଞ୍ଚିତ ହେବେ ନାହିଁ । ସେହିଭଳି କେସିଙ୍ଗା ବିଜୁ ପଟ୍ଟନାୟକ ଷ୍ଟାଡିୟମକୁ ପୂର୍ଣାଙ୍ଗ କରିବା, ଗୁର୍ଜିମୁଣ୍ଡାର ଯୋଗମାୟା ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ଆଦି ଦାବି ତୀବ୍ରତର ହେଉଛି । ଅନ୍ୟପକ୍ଷରେ ତେଲ ନଦୀରେ ବନ୍ୟାହେଲେ କୂଳରେ ଥିବା ଶହ ଶହ ହେକ୍ଟର ଜମି ଓସଫସଲ ନଷ୍ଟ ହୋଇଥାଏ, ତେଣୁ କେସିଙ୍ଗା ଏନଏସି ଅଞ୍ଚଳରୁ ନୂନମାଠ ପର୍ଯ୍ୟନ୍ତ ଆଡ଼ି ବନ୍ଧ ଦେବା ଆଦି ଅନେକ ଦାବି ରହିଛି । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.