ଅଳ୍ପ ଗଳ୍ପ ପୁରାଣ ପ୍ରସଙ୍ଗରୁ: ତେଜସ୍ବିନୀ କନ୍ୟା ସାବିତ୍ରୀ 

ସୁମିତ କୁମାର ଅଗ୍ରୱାଲ 

ବୁଦ୍ଧି, ଅଧ୍ୟବସାୟ, ନିଷ୍ଠା ଓ ଏକାଗ୍ରତା ବଳରେ ଅସାଧ୍ୟ ସାଧନ କରିହୁଏ, ଯାହାର ରାଶି ରାଶି ପ୍ରମାଣ ସନାତନ ଧର୍ମଧାରାର ଗ୍ରନ୍ଥ ମାନଙ୍କରେ ଦେଖିବାକୁ ମିଳେ । ଏମିତି ଏକ ଆଖ୍ୟାନ ରାଜକନ୍ୟା ସାବିତ୍ରୀଙ୍କୁ ନେଇ ରଚିତ ହୋଇଛି । ମହାଭାରତର ବର୍ଣ୍ଣନା ଅନୁସାରେ ତେଜସ୍ବିନୀ କନ୍ୟା ଥିଲେ ସାବିତ୍ରୀ । ତାଙ୍କ ତେଜ-ବ୍ୟକ୍ତିତ୍ଵ ଆଗରେ ସେ ସମୟର କୌଣସି ପୁରୁଷ ଛିଡାହେଇପାରୁ ନଥିଲେ । ମାଦ୍ର ଦେଶର ରାଜା ଅଶ୍ଵପତି ସାବିତ୍ରୀ ଦେବୀଙ୍କୁ ପାର୍ଥନା କରି ତାଙ୍କୁ କନ୍ୟା ରୂପରେ ପାଇଥିଲେ । ରାଜକୁମାରୀ ସାବିତ୍ରୀଙ୍କ ବିବାହ ସମୟ ଉପସ୍ଥିତ ହେଲା । ତେବେ ରାଜା ଅଶ୍ଵପତି ତାଙ୍କ ପାଇଁ କିଭଳି ପାତ୍ର ଚୟନ କରିବେ ତାହା ସ୍ଥିର କରି ପାରିଲେ ନାହିଁ । ତେଣୁ  ବର ଚୟନ ଭାର ସେ ସାବିତ୍ରୀଙ୍କ ଉପରେ ହିଁ ଛାଡିଦେଲେ । ଦିନେ ରଥାରୂଢ ସାବିତ୍ରୀ ବନସ୍ତ ମଧ୍ୟରେ ଭେଟିଥିଲେ ଶାଲ୍ଵ ରାଜପୁତ୍ର ସତ୍ୟବାନଙ୍କୁ । ସେତେବେଳେ ଶାଲ୍ଵ ନରପତି ଦ୍ୟୁମତସେନ ଷଡ଼ଯନ୍ତ୍ରର ଶିକାର ହୋଇ ରାଜ୍ୟରୁ ବିତାଡିତ ହୋଇ ନିଘଞ୍ଚ ଅରଣ୍ୟ ମଧ୍ୟରେ ସପରିବାର ବାସ କରୁଥାଆନ୍ତି । ସତ୍ୟବାନଙ୍କ ରୂପ-ଗୁଣ ଦ୍ଵାରା ସାବିତ୍ରୀ ମୁଗ୍ଧ ହୋଇ କେବଳ ତାଙ୍କୁ ବିବାହ କରିବେ ବୋଲି ହୃଦୟ ଭିତରେ ଅନୁଭବ କଲେ । ସତ୍ୟବାନଙ୍କ ଜୀବନ ସଂକ୍ଷିପ୍ତ ବୋଲି ନାରଦଙ୍କ ଠାରୁ ସୂଚନା ପାଇବା ସତ୍ତ୍ୱେ ସେ ତାଙ୍କୁ ବିବାହ କରି ରହିଥିଲେ ଅରଣ୍ୟର ସେହି ପର୍ଣ୍ଣ କୁଟିରରେ । ବିବାହର ଠିକ ବର୍ଷକ ପରେ ସତ୍ୟବାନଙ୍କର ମୃତ୍ୟୁ ଘଟିଲା । ସତ୍ୟବାନଙ୍କ ଆତ୍ମାକୁ ନେବା ପାଇଁ ଯମରାଜ ଆସିଲେ । ସାବିତ୍ରୀ କିନ୍ତୁ ତାଙ୍କୁ ଛାଡିବା ଲାଗି ପ୍ରସ୍ତୁତ ନଥିଲେ । ସତ୍ୟବାନ ଆତ୍ମା ସହ ଯିବାକୁ ସ୍ଥିର କରିସାରିଥିଲେ ସେ । ଯମ ତାଙ୍କୁ ବୁଝାଇବାରେ ବିଫଳ ହେବା ପରେ ସତ୍ୟବାନଙ୍କ ଜୀବନ ଭିନ୍ନ ଅନ୍ୟ କିଛି ବର ମାଗିବାକୁ କହିଲେ । ସାବିତ୍ରୀ ଚାହିଁଲେ ଶ୍ବଶୁରଙ୍କ ଦୃଷ୍ଟିଶକ୍ତି ଏବଂ ରାଜ୍ୟ ସାଙ୍ଗକୁ ଶହେ ପୁତ୍ରଙ୍କ ମାଆ ହେବା ପାଇଁ । ଯମ ‘ତଥାସ୍ତୁ’ କହିବା ଛଡା ଅନ୍ୟ ଉପାୟ ନ ଥିଲା । ସାବିତ୍ରୀଙ୍କ ପରି ମହାସତୀ ବିନା ସ୍ଵାମୀରେ ସନ୍ତାନ ଜନ୍ମ କରିବା ମଧ୍ୟ ସମ୍ଭବ ନଥିଲା । ଏଣୁ ଯମରାଜ ବାଧ୍ୟ ହୋଇ ସତ୍ୟବାନଙ୍କ ଜୀବନ ଫେରାଇଦେଲେ । ସଧବା ନାରୀମାନେ ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା ପାଇଁ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ଏହି ବ୍ରତରେ ଦେବୀ ସାବିତ୍ରୀ, ସତ୍ୟବାନ ଓ ଯମଦେବଙ୍କୁ ମଧ୍ୟ ପୂଜା କରାଯାଏ ।
ସଂପାଦନା ସହଯୋଗୀ, ଓଡ଼ିଆ ବାର୍ତ୍ତା 
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.