ହଜାର ହଜାର ମା’ମାନଙ୍କ ପାଖକୁ ଗଲେ, ସଚିବଙ୍କ ସହ ସେଲଫି ଉଠାଇଲେ ଶହ ଶହ ମହିଳା
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ପହଞ୍ଚିଛନ୍ତି ଫାଇଭ୍-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିୟାନ । ଆଜି ଶୁକ୍ରବାର ପୂର୍ବାହ୍ନରେ ସେ ହେଲିକପ୍ଟର ଯୋଗେ ଉତ୍କେଲା ଏୟାରଷ୍ଟିପରେ ପହଞ୍ଚିଥିଲେ । ସେଠାରୁ ବେଲଖଣ୍ଡି ଶୈବପୀଠ ଓ ମ.ରାମପୁରରେ ଦେଇ ମଧ୍ୟାହ୍ନ ସମୟରେ ନର୍ଲା ମିନି ଷ୍ଟାଡିୟମରେ ପହଞ୍ଚି ଷ୍ଟଜରେ ଅଳ୍ପ ସମୟର ଉଦବୋଧନ ଦେଇଥିଲେ । ସେ ଜୟ ମାଁ ମାଣିକେଶ୍ଵରୀରୁ କଥା ଆରମ୍ଭ କରି ମିଶନ ଶକ୍ତି ବିଷୟରେ ଉପସ୍ଥିତ ମହିଳାମାନଙ୍କୁ ଦୁଇଗୋଟି ପ୍ରଶ୍ନ ପଚାରିଥିଲେ । ମହିଳାମାନେ ଯଥାର୍ଥ ଉତ୍ତର ଦେଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ବିଭିନ୍ନ ସମସ୍ୟା ନେଇ ତାଙ୍କୁ ଦିଆଯାଇଥିବା ଦରଖାସ୍ତର ସମାଧାନ ପାଇଁ ଆଠ ଦିନ ସମୟ ଦେବାକୁ ସେ ଜନତାଙ୍କୁ ଅନୁରୋଧ କରିଥିଲେ ।
ଏହାପରେ ମଞ୍ଚ ସମ୍ମୁଖରେ ବସିଥିବା ମହିଳା ମାନଙ୍କ ପାଖକୁ ଯାଇ ବ୍ୟକ୍ତିଗତ ଭାବେ ଭେଟିଥିଲେ । ସଚିବ ଶ୍ରୀ ପାଣ୍ଡିୟାନଙ୍କୁ ନିକଟରେ ପାଇ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ସେଲଫି ନେଇଥିଲେ । ସାମ୍ବାଦିକଙ୍କ ସହ ମଧ୍ୟ ଫଟୋ ଉଠାଇ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ ପାଣ୍ଡିୟାନ । ଏହାପରେ ସେ ନର୍ଲାର ମିଶନ ଶକ୍ତି କାଫେ ପରିଦର୍ଶନ କରି ଉଦ୍ୟୋଗୀ ମହିଳାମାନଙ୍କ ସହ ଆଲୋଚନା କରିଥିଲେ । ଅପରାହ୍ନରେ ଭବାନୀପାଟଣା ଅଭିମୁଖେ ବାହାରିଥିଲେ ଫାଇଭ୍-ଟି ସଚିବ ।
ବରିଷ୍ଠ ପ୍ରଶାସନିକ ଅଧିକାରୀ ଭି ଭିନେଲ କ୍ରିଷ୍ଣା, ପୋଲିସ ଡିଜି, କଳାହାଣ୍ଡି ଜିଲ୍ଲାପାଳ ଓ ଏସପି ଫାଇଭ୍-ଟି ସଚିବଙ୍କ ସହ ନର୍ଲାକୁ ଆସିଥିଲେ । ପ୍ରବଳ ଗ୍ରୀଷ୍ମପ୍ରବାହ ଓ ସାବିତ୍ରୀ ବ୍ରତ ଥିବା ସତ୍ତ୍ବେ ନର୍ଲା ମିନି ଷ୍ଟାଡିୟମରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ ଲୋକ ସମବେତ ହୋଇଥିଲେ । ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି କାର୍ଯ୍ୟକ୍ରମ ପାଇଁ ସମସ୍ତ ବ୍ୟବସ୍ଥା ପରିଚାଳନା କରିଥିଲେ ।
ସଭାରେ ଯୋଗ ଦେଇଥିବା ମହିଳା ଓ ପୁରୁଷମାନଙ୍କ ପାଇଁ ପାନୀୟ ଜଳ, ଥଣ୍ଡା ପାନୀୟ, ମଧ୍ୟାହ୍ନ ଭୋଜନ ଓ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା । ନର୍ଲା ବିଡିଓ, ନର୍ଲା ବ୍ଲକ ଅଧ୍ୟକ୍ଷା, ବ୍ଲକ ଉପାଧ୍ୟକ୍ଷଙ୍କ ସହ ନର୍ଲା ଆଇଆଇସି ଗଙ୍ଗାଧର ମେହେର, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ, ଜିପିଇଓ କ୍ଷିତିଶ ଚନ୍ଦ୍ର ନାଏକ, ସରପଞ୍ଚ ଓ ସମିତି ସଭ୍ୟ ସଂଘର ସମସ୍ତ ସଦସ୍ୟ, ତିନି ଜଣ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଲିଲି ଦୀପ ଓ ନମ୍ରତା ସାହୁ, ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ, ବିଭିନ୍ନ ବିଭାଗୀୟ କର୍ମଚାରୀ, ମିଶନ ଶକ୍ତିର ମହିଳା, ସି ଆରପି, ଏମବିକେ, ବ୍ଲକ ଓ ପଞ୍ଚାୟତର ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।