କୁଚେଇଜୋର ଛକରେ ମାଓ ପୋଷ୍ଟର, ୩ ଜଣଙ୍କୁ ଚେତାବନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ଟାପରାଙ୍ଗ ଗାଁରେ ପୁଲିସ ଗୁଳିରେ ୩ ମାଓବାଦୀଙ୍କ ମୃତ୍ୟୁ ପରେ ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ବ୍ୟାନର ଲଗାଇବା ସହିତ ଗଛକାଟି ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରି ଆସୁଛନ୍ତି । ଏହିପରି ଭାବେ ଆଜି ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କୁଚେଇଜୋର ଛକରେ ଥିବା ଏକ ପରିତ୍ୟକ୍ତ ବିଶ୍ରାମାଗାରରେ ପୋଷ୍ଟର ଲଗାଇ ୩ଜଣ ବ୍ୟକ୍ତିଙ୍କୁ ଚେତାବନୀ ଦେଇଛନ୍ତି । ଜିଲ୍ଲାର କେସିଙ୍ଗା ବ୍ଲକ ପାଷ୍ଟିକୁଡିର ଲାଲୁ ନିଆଲ, ଜୟପାଟଣା ବ୍ଲକ ବିଜମରା ପାଣିଗାଁର ଭଦ୍ରାଂଚଳ ନାଏକ ଓ ଭବାନୀପାଟଣାର ବିନ୍ଦୁ ନାଏକଙ୍କୁ ଚେତାବନୀ ଦେବା ସହିତ ଶିକ୍ଷକମାନଙ୍କୁ ହଇରାଣ କରିବା, ଚାକିରି କରାଇଦେବା ନାଁରେ ଯୁବତୀମାନଙ୍କୁ ଶାରୀରିକ ଶୋଷଣ କରିବା ଓ ଆଦିବାସୀଙ୍କ ଟଙ୍କା ଲୁଟ କରିବା ଅଭିଯୋଗ କରି ସୁଧୁରିଯିବାକୁ ଚେତାବନୀ ଦିଆଯାଇଛି । ଏପରିକି ଲାଲୁ ଓ ଭଦ୍ରାଂଚଳଙ୍କ ନାଁରେ ସମାନ ଅଭିଯୋଗ କରିଥିବାବେଳେ ବିନ୍ଦୁଙ୍କ ନାଁରେ କେବଳ ୩ ଜଣ ଶିକ୍ଷକଙ୍କୁ ହଇରାଣ କରିବା ଭଳି ଅଭିଯୋଗ କରିଛି ମାଓ ସଂଗଠନ । ତେବେ ଆଜି ସକାଳୁ ବିଶ୍ରାମାଗାର କାନ୍ଥରେ ଏହି ପୋଷ୍ଟର ଲାଗିଥିବା ଲୋକେ ଦେଖିବା ପରେ ଭୟଭୀତ ହୋଇ ପଡିଥିଲେ । ଏ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଂଚି ପୋଷ୍ଟରଗୁଡିକୁ ହଟାଇଦେଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଲାଞ୍ଜିଗଡ ବ୍ଲକରେ ଶତାଧିକ ନକଲି ଶିକ୍ଷକ ଜାଲ ସାର୍ଟିଫିକେଟ୍ ଦେଇ ଚାକିରି କରୁଥିବାବେଳେ ସେମାନଙ୍କ ନାଁରେ ଅଭିଯୋଗ ଅନୁଯାୟୀ, କିଛି ବ୍ୟକ୍ତି ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିବା ଜଣାପଡିଛି । ଏହାକୁ ନେଇ ଲାଲବାହିନୀ ସେମାନଙ୍କୁ ଚେତାବନୀ ଦେଇଥିବାବେଳେ କେଉଁ ୩ ଜଣ ଶିକ୍ଷକଙ୍କ ସପକ୍ଷରେ ମାଓବାଦୀମାନେ ପୋଷ୍ଟର ଜାରି କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.