ମଧ୍ୟପ୍ରଦେଶରେ ବିଜେପିର ଗଡ଼ ରକ୍ଷା ଚିନ୍ତା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପିର ଚିନ୍ତା ବଢିଛି। ଦଳର କାର୍ଯ୍ୟକର୍ତା ବୈଠକରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିବା କୁହାଯାଉଛି। ଦଳର ବରିଷ୍ଠ ନେତାମାନେ ବୈଠକରେ ମଧ୍ୟପ୍ରଦେଶ ବିଜେପି ଭିତରେ ଚାଲିଥିବା ଅନ୍ତଃକନ୍ଦଳକୁ ନେଇ ଚିନ୍ତା ପ୍ରକଟ କରିଥିବା ଖବର ପଦାକୁ ଆସିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମଧ୍ୟପ୍ରଦେଶ ବିଜେପି ରାଜ୍ୟ ସଭାପତି ଭି ଡି ଶର୍ମାଙ୍କ ମଧ୍ୟରେ ଭଲ ପଡୁ ନ ଥିବାରୁ ଦଳୀୟ ନେତାଙ୍କ ଚିନ୍ତା ବଢିଛି। ତେଣୁ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ତୁରନ୍ତ ଏହାର ସମାଧାନ ପାଇଁ ଦାବି ଉଠିଛି।ଏପରିକି ବିଜେପି ନେତାମାନେ କର୍ଣ୍ଣାଟକର ଉଦାହରଣ ଦେଇ ପରିଣତି ସମ୍ପର୍କରେ ସୂଚାଇ ଦେଇଛନ୍ତି। ତେଣୁ ଦଳୀୟ ନେତୃତ୍ୱ ନିଜ ମଧ୍ୟରେ ଥିବା ବିରୋଧାଭାଷକୁ ଛାଡି ଏକ ହୋଇ ନିର୍ବାଚନକୁ ନ ଓଲ୍ହାଇଲେ ସ୍ଥିତି ବିଗିଡିଯିବ ବୋଲି ଖୋଦ ନିଜ ଦଳର ନେତା ଚେତାଇ ଦେଇଥିବା କୁହାଯାଉଛି। ଦଳର ଅନ୍ତଃକନ୍ଦଳ ସହ ଶିବରାଜ ସିଂ ଚୌହାନଙ୍କ ଚାରିଥରର ମୁଖ୍ୟମନ୍ତ୍ରୀତ୍ୱ ଓ ଶାସନ ବିରୋଧରେ ଆଣ୍ଟି ଇନକମ୍ବାନ୍ସି ଫ୍ୟାକ୍ଟର ଏକ ବଡ ସମସ୍ୟା ବୋଲି ଚର୍ଚ୍ଚା ହେଉଛି। ତେଣୁ ଆଣ୍ଟି ଇନକମ୍ବାନ୍ସି ଫ୍ୟାକ୍ଟରକୁ ପ୍ରତିହତ କରିବାକୁ ସରକାରଙ୍କ ଲୋକପ୍ରିୟ ଯୋଜନାକୁ ଅଧିକ ଗୁରୁତ୍ୱ ଦେବାକୁ ବୈଠକରେ ଫୋକସ କରାଯାଇଛି। ଶିବରାଜଙ୍କ ଭାବମୂର୍ତ୍ତିକୁ ରିବ୍ରାଣ୍ଡ କରି ଲୋକଙ୍କ ପାଖକୁ ନେବାକୁ ପ୍ରୟାସ ଚାଲିଥିବା କୁହାଯାଉଛି। ଏପରିକି ମଧ୍ୟପ୍ରଦେଶରେ ହିନ୍ଦୁତ୍ୱ ପ୍ରସଙ୍ଗକୁ ଏକ ପ୍ରମୁଖ ଅସ୍ତ୍ର କରିବାକୁ ବିଜେପି ଯୋଜନା କରିଥିବା ସୂଚନା ମିଳିଛି। କିନ୍ତୁ କଂଗ୍ରେସ ମଧ୍ୟ ବିଜେପିକୁ ପ୍ରତିହତ କରିବାକୁ ସବୁ ପ୍ରକାର ଯୋଜନା ସହ ହିନ୍ଦୁତ୍ୱ କାର୍ଡ ଖେଳିବା ଆରମ୍ଭ କରିଛି। ଏପରିକି ପୂର୍ବ ନିର୍ବାଚନରେ କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶରେ ପ୍ରାୟ ସମାନ ସ୍ଥିତି ଥିବାବେଳେ କର୍ଣ୍ଣାଟକରେ କଂଗ୍ରେସ ବଡ଼ ବିଜୟ ହାସଲ କରିଛି। ଉଭୟ ରାଜ୍ୟରେ ୨୦୧୮ ପରେ କଂଗ୍ରେସ ସରକାରକୁ ଭାଙ୍ଗି ବିଜେପି କ୍ଷମତାକୁ ଆସିଛି। ଉଭୟ ରାଜ୍ୟରେ ବିଜେପି ବିରୋଧରେ କଂଗ୍ରେସ ମୁଖ୍ୟ ବିରୋଧୀ। ତେଣୁ କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶରେ ହୋଇଯିବନି ତ ବୋଲି ବିଜେପି ନେତାଙ୍କ ମନରେ ସଂଶୟ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.