ମହାବଳ ବାଘ ଛାଲ ଓ ବନ୍ଧୁକ ଜବତ ଘଟଣା; ଜେଲ ଗଲେ ୫ ଶିକାରୀ

ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅଞ୍ଚଳରେ ଛତିଶଗଡ଼ ରାଜ୍ୟ ଗାରିଆବନ୍ଦ ଜିଲ୍ଲା ଉଦନ୍ତୀ ଅଭୟରଣ୍ୟ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ବାଘ  ଛାଲ, ଫାଶ ଓ ବନ୍ଧୁକ ଜବତ କରାଯାଇଥିଲା । ଏହି ଘଟଣାରେ ବନ ବିଭାଗ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତମାନେ ହେଲେ ବୋଡେ଼ନ ଥାନା ଖଡୁପାଣି ଗାଁର ବଦନ ମାଝୀ, ଚିକଲନୁଆଁ ଗାଁର ଖଗେଶ୍ୱର ମାଝୀ, ପାଟଦର୍ହା ଗାଁର ସଚିନ୍ଦ୍ର ମାଝୀ ଓ ବଡ ମାଝୀ, ଭାଲୁଡୁଙ୍ଗରୀ ଗାଁର ଅଚ୍ୟୁତାନନ୍ଦ ମାଝୀ । ପ୍ରକାଶ ଯେ, ଗତ କିଛି ଦିନ ତଳେ ଛତିଶଗଡ଼ ରାଜ୍ୟ ଗରିଆବନ୍ଦ ଜିଲ୍ଲା ସ୍ଥିତ ଉଦନ୍ତୀ ଅଭୟରଣ୍ୟ ଅଞ୍ଚଳରେ ଏକ ମହାବଳ ବାଘ ଶିକାର ହୋଇଥିଲା । ଶିକାରୀ ମାନେ ବାଘକୁ ବିଷ ଦେଇ ମାରିବା ସହ ତା’ର ଛାଲ, ନଖ ଓ ଦାନ୍ତକୁ ନେଇଯାଇଥିଲେ । ଗତ ୩ ତାରିଖରେ ଉଦନ୍ତୀ ଅଭୟରଣ୍ୟ ଉପ ନିର୍ଦ୍ଦେଶକ ଅନୁଜ ଜୈନଙ୍କ ନେତୃତ୍ୱରେ ଓଡିଶା ଓ ଛତିଶଗଡ଼ ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ସହିତ ମିଶି ଗଠିତ ୨୦ ଜଣିଆ ଟିମ ଖରିଆର ବନ ଖଣ୍ଡ ଅଞ୍ଚଳରେ ଲଗାତାର ୩ ଦିନ ଧରି ଛାନଭିନ ଚଲାଇ ଥିଲେ । ପ୍ରଥମେ ବୋଡେ଼ନ ଥାନା ଖଡୁପାଣି ଗାଁରେ ଏହି ଟିମ ଚଢ଼ାଉ କରି ଜଣେ ଶିକାରୀଙ୍କ ଘରୁ ବାଘ ଛାଲ, ଦାନ୍ତ, ନଖ, ଲୁହା ତାର ଜାଲି ଫାଶ ଜବତ କରିଥିଲା । ଏହି ଜବତ ବାଘ ଛାଲ ଟି ୧ ଫୁଟ ଲମ୍ବ ଓ ୧ ଫୁଟ ଓସାର ହୋଇଥିଲା । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ବନ ବିଭାଗ କୋର୍ଟ ଚାଲାଣ କରିଥିଲା । ତେବେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଖରିଆର ଡିଏଫଓ ଶ୍ରୀ ତ୍ରିପାଠୀ ଏ ନେଇ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.