ଶ୍ରୀକ୍ଷେତ୍ରରେ ରଥ ନିର୍ମାଣର ପୃଷ୍ଠଭୂମି

ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି । ଋଗବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ । ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାଦ୍ଦୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ୍ ନିଦର୍ଶନ ମିଳିଥାଏ । ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା । ଯେଉଁ ସବୁ ରଥଯାତ୍ରାର ଉଲ୍ଲେଖ ହୋଇଛି ସେଥି ମଧ୍ୟରେ ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ସବୁଠାରୁ ଅଧିକ ଜନାଦୃତ ଓ ପ୍ରସାରିତ ।

ସାମ୍ୟ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ । ସେହି ପରି ଶ୍ରୀବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ ଓ ଶ୍ରୀସୁଭଦ୍ରାଙ୍କ ରଥର ନାମ ଦେବଦଳନ, ଦର୍ପଦଳନ ବା ପଦ୍ମଧ୍ୱଜ । ପ୍ରତ୍ୟେକ ପର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ନୂତନ ଭାବେ ତୋନୋଟି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ଏ ବାବଦରେ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନ ତରଫରୁ ମିଳିତ ଭାବେ ସମ୍ପାଦିତ ହୋଇଥାଏ ।


ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ୱତୀ ପୂଜା ଶ୍ରୀପଞ୍ଚମୀ ତିଥିଠାର । କେତେକ ନିର୍ଦ୍ଦିଷ୍ଟ ତିଥିରେ ତିନି ରଥମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ । ଯଥା – ଶ୍ରୀପଞ୍ଚମୀ ଦିନ ରଥକାଠ ପୁରୀରେ ପହଞ୍ଚିବା ସଙ୍ଗେ ସଙ୍ଗେ ଅନୁକୂଳ ନୀତି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହୋଇଥାଏ। ଶ୍ରୀରାମ ନବମୀ ଦିନ ରଥକାଠ ଚିରା କାର୍ଯ୍ୟର ଅନୁକୂଳ ମନୋନୀତ କରତ କଳରେ ହୋଇଥାଏ । ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ ।

ଉକ୍ତଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନଙ୍କଦ୍ୱାରା ରଥ ନିର୍ମାଣ ଉପଲକ୍ଷେ ଶୁଭାରମ୍ଭ କାର୍ଯ୍ୟ ଯଜ୍ଞ ଓ ଆନୁସଙ୍ଗିକ ପୂଜା, ନୀତି ଇତ୍ୟାଦି ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ପୂଜାପଣ୍ଡା ତିନି ରଥ ନିର୍ମାଣର ଅନୁକୂଳ ନିମନ୍ତେ ଅଜ୍ଞାମାଳ ପ୍ରଦାନ କରିଥାନ୍ତି। ଏଠାରେ ବିଶ୍ୱକର୍ମା ମହାରଣା, ରୂପକାର, ଭୋଇ ଇତ୍ୟାଦି ସେବକମାନେ ଶାଢ଼ୀ ବନ୍ଧାଇଥାନ୍ତି ।

ଏହା ପରେ ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ, ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ଡେରା ହୋଇଥାଏ ଓ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ଏହା ଉପରେ ଲାଗି କରାଯାଇଥାଏ । ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରତି ରଥର ଚାରିନାହାକା ଡେରା ଅନୁକୂଳ ଓ ନେତ୍ରୋତ୍ସବ ଦିନ (ରଥଯାତ୍ରା ପୂର୍ବ ଦିନ) ଅପରାହ୍ନ ସୁଦ୍ଧା ତିନିଟି ଯାକ ରଥ ସୁସଜ୍ଜିତ ହୋଇ ଶ୍ରୀନଅରସ୍ଥିତ ରଥଖଳାରୁ ଟଣା ହୋଇ ସିଂହଦ୍ୱାର ସମ୍ମୁଖରେ ରଖାଯାଏ ।


ବହୁ ପ୍ରାଚୀନ ସମୟରୁ ମହାପ୍ରଭୁମାନଙ୍କର ରଥ ନିର୍ମାଣ ନିମନ୍ତେ ନୟାଗଡ଼, ଖୋର୍ଦ୍ଧା, ଦଶପଲ୍ଲା, ରଣପୁର ଇତ୍ୟାଦି ଜଙ୍ଗଲରୁ ଆବଶ୍ୟକୀୟ କାଠ ନଦୀ ମାଧ୍ୟମରେ ପୁରୀକୁ ଆସୁଥିଲା । ଏହି କାଠସବୁ ନଦୀରେ ଭେଳା କରି ଅଣାଯାଉଥିଲା । ପୁରୀଠାରୁ ୧୦କି.ମି ଦୂର ମାଳତିପାଟପୁର ନିକଟସ୍ଥ କାଠ ପୋଲଠାରୁ ଏହି କାଠଗୁଡିକ ଶଗଡ଼ରେ ବୁହା ଯାଉଥିଲା । ପୁରୀରେ ପ୍ରତିଷ୍ଠିତ କେତେକ ମଠ ରଥକାଠ ବୁହାଯିବା ପାଇଁ ଶଗଡ଼ମାନ ଯୋଗାଉଥିଲେ ।


ଏହି ପରମ୍ପରା ବହୁ ବର୍ଷ ଧରି ଲୁପ୍ତ ହୋଇଯାଇଅଛି । ସମ୍ପ୍ରତି ପରିବହନ ମାର୍ଗର ସୁବିଧା ଦୃଷ୍ଟିରୁ ଟ୍ରକ ଯୋଗେ ଏହି କାଠ ଆସି ପୁରୀ ବଡ଼ଦାଣ୍ଡ ତଥା ରଥଖଳାଠାରେ ରଖାଯାଉଛି । ରଥ ସଂହିତା ଅନୁଯାୟୀ ତିନୋଟି ରଥ ନିର୍ମାଣ ପାଇଁ ୧୧୩୯ଟି କାଠ ଆସିଥାଏ । ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଉପରିବର୍ଣ୍ଣିତ କାଠ ଯୋଗାଇ ଆସୁଛନ୍ତି । ନୟାଗଡ଼ ଓ ଖୋର୍ଦ୍ଧା ଡିଭିଜନର ଅରଣ୍ୟ ଅଧିକାରୀମାନେ ୮୬୨ଟି ଖଣ୍ଡ ଅସନ, ଧଉରା ଓ ଫାସୀ ଇତ୍ୟାଦି କାଠ ପଠାଇଥାନ୍ତି । ଏଥି ମଧରୁ ୭୨ ଖଣ୍ଡ ଫାସୀ ଅଟେ। ଏତଦବ୍ୟତୀତ ରଣପୁର ଜଙ୍ଗଲରୁ ୨୭୪ ଖଣ୍ଡ କଞ୍ଚାକାଠ ଓ ତିନୋଟି ଶିମୁଳି କାଠ ଆସିଥାଏ ।

ତିନି ରଥ ନିର୍ମାଣ କାର୍ଯ୍ୟର ଅନୁକୁଳ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଅନୁଷ୍ଠିତ ହେବା ସହିତ ତତ୍ ପରଦିନଠାରୁ ନିର୍ମାଣ ଆରମ୍ଭ ହୋଇ ନେତ୍ରୋତ୍ସବ ଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥାଏହ। ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପିରେ ଅନ୍ତର୍ଭୁକ୍ତ ବିଶ୍ୱକର୍ମା ମହାରଣା, ଭୋଇ, ରୂପକାର, ଦରଜି,କମାର ପ୍ରମୁଖ ସେବକମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ।

ତନ୍ମଧ୍ୟରୁ ସମୁଦାୟ ୬୦ଜଣ ମହାରଣା, ୭୫ଜଣ ଭୋଇ, ୧୫ କମାର,୧୫ରୁ୨୦ ଚିତ୍ରକର,୭/୮ଜଣ ଦରଜି, ୧୫ଜଣ ରୂପକାର ସେବକ ଅନ୍ତର୍ଭୁକ୍ତ । ମହାପ୍ରଭୁମାନଙ୍କ ବ୍ୟବହୃତ ତିନି ଗୋଟି ରଥର ଗଠନ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ । ପରମ୍ପରା ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ରଥତ୍ରୟର ନିର୍ମାଣ କରାଯାଇଥାଏ ।


ଏହା ବ୍ୟତୀତ ପ୍ରତି ରଥରେ ୪ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼, ୯ଟି ଲେଖାଏଁ ପାର୍ଶ୍ୱ ଦେବତା ଖଞ୍ଜା ଯାଇଥାଏ । ସୂଚନାଯୋଗ୍ଯ ଯେ, କେବଳ ନବକଳେବର ବର୍ଷ ନୂତନ ଭାବେ ସାରଥୀ, ଅଶ୍ୱ, ପାର୍ଶ୍ୱ ଦେବତା, ଠେକରା ବାଡ଼, ରଥବ୍ରେକ, ହଂସପଟା ଓ କନ୍ୟାପଟା ଇତ୍ୟାଦି ନିର୍ମାଣ କରାଯାଇଥାଏ । ଏଥି ନିମନ୍ତେ ଶାଳ, ଗମ୍ଭାରୀ ଇତ୍ୟାଦି କାଠ ସ୍ୱତନ୍ତ୍ର ଭାବେ ଜଙ୍ଗଲ ବିଭାଗ ଯୋଗାଇଥାନ୍ତି‌ ।


ତିନିରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ। ପୂର୍ବେ ଓ.ଟି.ଏମ୍ ମିଲରୁ ଆସୁଥିବା ଏହି କନା ମୂଖ୍ୟତଃ ନଲି, ହଳଦିଆ, ନେଳି ଓ କଳା ରଙ୍ଗର ଅଟେ । ପ୍ରାୟ ଏକ ହଜାର ମିଟରରୁ ଉର୍ଦ୍ଧ କନା ତିନି ରଥର ମଣ୍ଡଣି,ଘେର,ଚାନ୍ଦୁଆ ନିମନ୍ତେ ଆବଶ୍ୟକ ହୋଇଥାଏ । ସମ୍ପ୍ରତି କିଛି ବର୍ଷ ଧରି ରଥ ନିମିତ୍ତ ଆବଶ୍ୟକ କନା ବମ୍ବେର ପ୍ରସିଦ୍ଧ କପଡ଼ା କମ୍ପାନୀ ସେଞ୍ଚୁରୀ ମିଲରୁ ଆସୁଅଛି ।

ପରମ୍ପରା ଅନୁଯାୟୀ ନନ୍ଦିଘୋଷ ରଥ ପାଇଁ ନାଲି ଓ ହଳଦିଆ କନା, ତାଳଧ୍ୱଜ ରଥ ପାଇଁ ନାଲି ଓ ନେଳି କନା ଓ ଦର୍ପଦଳନ ରଥ ପାଇଁ ନାଲି ଓ କଳା କନା ବ୍ୟବହାର ହୋଇଥାଏ । ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ (ଦେବଦଳନ) ରଥରେ ଯଥାକ୍ରମେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଶ୍ରୀସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ତିନୋଟି ସୁସଜ୍ଜିତ ରଥରେ ଅଧିଷ୍ଠିତ ହୋଇଥାଆନ୍ତି ।୬ଫୁଟ୍ ଉଚ୍ଚତାର ୧୬ ଚକ ବିଶିଷ୍ଟ ନନ୍ଦିଘୋଷ ରଥର ଦୈର୍ଘ୍ୟ ପ୍ରସ୍ଥ ୩୪ ଫୁଟ ୬ ଇଞ୍ଚ ଲେଖାଏଁ ଓ ଉଚ୍ଚତା ୪୬ ଫୁଟ ଇଞ୍ଚ ।

ତାଳଧ୍ୱଜ ରଥର ଦୈର୍ଘ୍ୟ ପ୍ରସ୍ଥ ୩୩ ଫୁଟ ଲେଖାଏଁ ଓ ଉଚ୍ଚତା ୪୫ ଫୁଟ । ଏଥିରେ ୬ ଫୁଟ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ୧୪ ଚକ ଲାଗିଥାଏ। ସେହି ପରି ଦର୍ପଦଳନ ବା ଦେବଦଳନ ରଥ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ ଏବଂ ୧୨ ଚକ ଏହି ରଥରେ ଲାଗିଥାଏ। ରଥର ଦୈର୍ଘ୍ୟ ପ୍ରସ୍ଥ ୩୧ ଫୁଟ ୬ ଇଞ୍ଚ ଲେଖାଏଁ । ଉଚ୍ଚତା ଯଥାକ୍ରମେ ୪୫ ଫୁଟ ୬ ଇଞ୍ଚ, ୪୫ ଫୁଟ ଓ ୪୪ ଫୁଟ୍ ୬ ଇଞ୍ଚ ଅଟେ ।


ରଥଯାତ୍ରା ପର୍ବ ଶେଷ ହେବା ପରେ ପ୍ରତିବର୍ଷ ରଥ ଗୁଡିକୁ ଭାଙ୍ଗି ଦିଆଯାଏ । କେବଳ ସାରଥୀ,ଘୋଡ଼ା, ପାର୍ଶ୍ୱଦେବତା, ସଖୀ, ପିତଳର କଦଳୀ ଗଛ, ମଗର ଓ ରଥବାଡ଼ ଇତ୍ୟାଦି ସାଇତି ରଖାଯାଏ । ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ମସିହାଠାରୁ ରଥଟଣା ସମୟରେ ତିନୋଟି ରଥର ବ୍ରେକକୁ ପକାଇବା ଓ ଉଠାଇବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ପୁଲି ବ୍ୟବସ୍ଥା ପ୍ରଚଳନ କରାଯାଇଛି ।


ରଥ ନିର୍ମାଣରେ ସେବକମାନଙ୍କ ଭୂମିକା

ବଢ଼େଇ ମହାରଣା

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ୧୦୫ ନମ୍ବର ସେବାରେ ବଢ଼େଇ ମହାରଣାମାନଙ୍କ ସମ୍ପର୍କେ ଉଲ୍ଲେଖ ରହିଛି। ଏମାନଙ୍କ ମଧ୍ୟରେ ସୁତାର, ତଳି ମହାରଣା, ମହାରଣା, ରଥ ଅମିନ ଭାବରେ ରଥ ନିର୍ମାଣରେ ସଂମ୍ପୃକ୍ତ ରହି କାର୍ଯ୍ୟ କରିଥାନ୍ତି। ରଥ ନିର୍ମାଣ ଅନୁକୂଳଠାରୁ ବାହୁଡା ଯାତ୍ରା ଶେଷ ଯାଏଁ ମହାରଣା ସେବକମାନେ ରଥ ନିର୍ମାଣ, ରଥଟଣା ଇତ୍ୟାଦି କାର୍ଯ୍ୟରେ ନିଯୋଜିତ ରହିଥାନ୍ତି।

୩୪ଗୋଟି ଅଙ୍ଗ ବିଶିଷ୍ଟ ତିନୋଟି ରଥର ନିର୍ମାଣ ନିମନ୍ତେ ପ୍ରତ୍ୟେକ ରଥରେ ଜଣେ ଲେଖାଏଁ ମୂଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ଜଣେ ଲେଖାଏଁ ସୁତାର ମହାରଣା, ତଳି ମହାରଣା ନିୟୋଜିତ ହୋଇ କାର୍ଯ୍ୟ କରିଥାନ୍ତି। ଏତଦବ୍ୟତୀତ ରଥ କାଠର ମାପଚୁପ ଦେଖିବା ପାଇଁ ଜଣେ ରଥ ଅମୀନ ମଧ୍ୟ ରହନ୍ତି।

ଓଝା ମହାରଣା

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ସେବା ନଂ ୧୦୧ରେ ଓଝା ମହାରଣା ସେବା ବିଷୟ ଉଲେଖ ରହିଛି। ସମ୍ପ୍ରତି ମାତ୍ର ଚାରି ଘର ଏହି ଓଝା ମହାରଣା ସେବା ନିର୍ବାହ କରୁଛନ୍ତି। ତିନି ରଥ ବାଡ଼ଗ୍ରାହୀ ଭାବେ ଯଥାକ୍ରମେ ଜଗନ୍ନାଥଙ୍କ ରଥ ପାଇଁ ପଥୁରିଆ ସାହିର ଦାଶରଥି ମହାରଣା, ବଳଭଦ୍ରଙ୍କ ରଥ ପାଇଁ ପଥୁରିଆ ସହିର କାଶିନାଥ ମହାରଣା, କୁନିଆ ମହାରଣା ଓ ସୁଭଦ୍ରାଙ୍କ ରଥର ବାଡ଼ଗ୍ରାହୀ ଭାବେ କ୍ଷୀରୋଦ ମହରଣା (ଧାନକୁଟି ସାହି, ପୁରୀ) ଓଝା ମହାରଣା ସେବା କାର୍ଯ୍ୟ କରୁଥିବା ଜଣାଯାଏ। ପ୍ରତି ବର୍ଷ ରଥ ନିର୍ମାଣ ସମୟରେ ତିନି ରଥରେ ବ୍ୟବହୃତ ହେଉଥିବା ସମସ୍ତ ଲୁହାକଣ୍ଟା, ବଳା,ପନ୍ଦାରି ଯୋଗାଇବା ବ୍ୟତୀତ ରଥଯାତ୍ରା ପୂର୍ବ ଦିନ ରଥ ଖଳାରୁ ସିଂହଦ୍ୱାରକୁ ରଥ ବିଜେ କରିବା ସମୟରେ ରଥ ଉପରେ ଏହି ସେବକ ଚାନ୍ଦୁଆ ବାନ୍ଧିଥାନ୍ତି।


ଅକ୍ଷୟ ତୃତୀୟାଠାରୁ ପରମ୍ପରା ଅନୁଯାୟୀ ଓଝା ମହାରଣା ସେବକମାନେ ଶାଢ଼ୀ଼ ବନ୍ଧାଇ ଏବଂ ପ୍ରଶାସନ ପକ୍ଷରୁ ପ୍ରଦତ୍ତ ମହାପ୍ରସାଦ ଓ ନଡ଼ିଆ ଗ୍ରହଣ କରି ଦୋଳବେଦୀଠାରେ ଶାଳ ଅନୁକୂଳ କରିଥାନ୍ତି। ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଅନୁକୂଳ ସମୟରେ ଏହି ସେବକ ତିନୋଟି ଟାଙ୍ଗିଆ ମଧ୍ୟ ଯୋଗାଇଥାନ୍ତି। ଏହାର ଦୁଇ ତିନିଦିନ ପରେ ଦୋଳବେଦୀଠାରେ କାର୍ଯ୍ୟ ଆରମ୍ଭ ହୋଇ ଭଉଁରୀ ଦିନ ପନ୍ଦାରି, ଜୋକିଆ, ହୁକର ମଧ୍ୟ ଅନୁକୂଳ କରାଯାଇଥାଏ। ଏହି ସବୁ କାର୍ଯ୍ୟ ଦୋଳବେଦୀ କୁଞ୍ଜ ଭିତରେ ହୋଇଥାଏ। ପ୍ରତି ଦିନ ମୋଟ ୧୮ ଜଣ ଓଝା ମହାରଣା ଓ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଥିବା ଶ୍ରମିକ ନିୟୋଜିତ ହୋଇଥାଏ।


ନିଜ ନିଜ ରଥର ବାଡ଼ଗ୍ରାହୀ ଓଝା ମହାରଣାମାନଙ୍କ ତତ୍ତ୍ୱାବଧାନରେ ପ୍ରତି ଚକ ପାଇଁ ଅରକଣ୍ଟା ୩୨ଟା, ପନ୍ଦାରି ୨ଟା ଓ ୨ଟି ଲେଖାଏଁ ବଳା ନିର୍ମାଣ କରାଯାଇ ରଥଖଳାକୁ ଯୋଗାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଲୁହା ରଡ଼୍ ଓ ପ୍ଲେଟରେ ଓଝା ମହାରଣା ସେବକମାନେ ପ୍ରତିରଥର ଅଖ ଓ ଦଣ୍ଡାରେ କଣ୍ଡା ଲଗାଯିବା ଉଦ୍ଦେଶ୍ୟରେ ଯଥାକ୍ରମେ ନନ୍ଦିଘୋଷ ରଥ ପାଇଁ ୧୦ ଗଣ୍ଡା, ତାଳଧ୍ୱଜ ରଥ ପାଇଁ ୯ ଗଣ୍ଡା ୨ଟା ଓ ଦେବଦଳ୍ନ ରଥ ପାଇଁ ୭ ଗଣ୍ଡା ୨ଟା ବିଡିଆ କଣ୍ଟା ଶାଳ ପ୍ରସ୍ତୁତ କରିଥାନ୍ତି।

ଏତଦବ୍ୟତୀତ ପାରାଭାଡ଼ି ନିର୍ମାଣ ସମୟରେ ପୋଟଳ ଉପରେ ବାଗିଆ ବାଡେଇଥାନ୍ତି। ଅନ୍ୟାନ୍ୟ ଲୁହାରେ ନିର୍ମିତ କଣ୍ଟା ମଧ୍ୟରେ ତାଗକଣ୍ଟା, ତାର ପରିଚ୍ଛା କଣ୍ଟା, ଦୁଆର ବେଢା଼ କଣ୍ଟା, ବେଢା଼ କଣ୍ଟା, ଜଙ୍ଘା ଓ ନାରାଜ କଣ୍ଟା, ଗୋଡି଼ଛାଲ ଇତ୍ୟାଦି ବିଭିନ୍ନ କିସମର କଣ୍ଟା ଏକ ସ୍ୱତନ୍ତ୍ର ଶୈଳୀରେ ଓଝା ମହାରଣାଙ୍କଦ୍ୱାରା ନିର୍ମିତ ହୋଇଥାଏ। ପ୍ରତି ବର୍ଷ ପ୍ରଶାସନ ପକ୍ଷରୁ ଓଝା ମହାରଣାଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପାରିଶ୍ରମିକ ରୂପେ ପ୍ରଦାନ କରାଯାଇଥାଏ।


ରଥଯାତ୍ରା ସମୟରେ ଯଦି ଚକ କିମ୍ବା ଅନ୍ୟାନ୍ୟ ମରାମତି କାର୍ଯ୍ୟ ଆବଶ୍ୟକ ପଡେ, ଓଝା ମହାରଣା ମନେ ଆବଶ୍ୟକୀୟ ଲୁହା କଣ୍ଟା ଓ କ୍ଲାମ୍ପ ଇତ୍ୟାଦି ଜରୁରୀକାଳୀନ ଭାବେ ନିର୍ମିତ କରି ଯୋଗାଇଥାନ୍ତି। ଏତଦବ୍ୟତୀତ ଅଣସର ସମୟରେ ଅଣସର ଗୃହକୁ ଯିବା ନିମନ୍ତେ ସହସ୍ର (ଲୁହାରେ ନିର୍ମିତ ଏକ ଅସ୍ତ୍ର) ନିର୍ମିତ କରି ପତନି ଶାଢ଼ୀ଼ରେ ବାନ୍ଧି ଦଇତାପତିଙ୍କ ଜିମାରେ ଦେଇଥାନ୍ତି। ଏହି କାର୍ଯ୍ୟ ହେଲା ବେଳେ ଓଝା ମହରଣାମାନେ ହବିଷାନ୍ନ କରି ଅତ୍ୟନ୍ତ ନିୟମ ନିଷ୍ଠାର ସହିତ ରହିଥାନ୍ତି। ସମ୍ପ୍ରତି ଓଝା ମହାରଣାଙ୍କଦ୍ୱାରା ପ୍ରସ୍ତୁତ ଶାଳ ଦୋଳବେଦୀ କୁଞ୍ଜଠାରେ ହେଇଥିବା ଜଣାଯାଏ।


ଅନ୍ୟାନ୍ୟ ସେବକ

ରଥ ଭୋଇ: ସେବା ନଂ ୯୭ରେ ରଥ ଭୋଇ ସେବା ସମ୍ପର୍କରେ ସବିଶେଷ ବିବରଣୀ ଲିପିବଦ୍ଧ ରହିଛି। ରଥ କାମରେ ଯେତେ ମୁଲିଆ ଦରକାର ହୁଏ ଏ ସର୍ଦ୍ଦାର ଭୋଇମାନେ ନିଜେ କାମ କରନ୍ତି ଓ ଅନ୍ୟ ମୁଲିଆ ଲଗାଇ କାମ କରାନ୍ତି। ରଥଖଳାର ଛାମୁଣ୍ଡିଆ ତିଆରି କରିବା ଓ ଅନ୍ୟାନ୍ୟ ରଥ କାଠ ବୋହିବା ସଙ୍ଗେ ସଙ୍ଗେ ରଥ ନିର୍ମାଣ ଓ ରଥଟଣାରେ ସକ୍ରିୟ ଅଂଶ କରିଥାନ୍ତି।

ଦରଜୀ ସେବା: ସ୍ୱତ୍ତ୍ୱଲିପିର ୯୫ ନଂ ସେବାରେ ଦରଜୀ ସେବକଙ୍କ କାର୍ଯ୍ୟ ସମ୍ପର୍କରେ ବିବରଣ ରହିଛି। ରଥର ମଣ୍ଡଣି, ଚାନ୍ଦୁଆ ଇତ୍ର୍ୟାଦି ସିଲାଇ କାର୍ଯ୍ୟ ଦରଜୀ ସେବକମାନେ କରିଥାନ୍ତି।

ତାମରା ବିଶୋଇ: (ସେବା ନଂ ୯୦) ଉକ୍ତ ସେବକ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବିଧି ଅନୁସାରେ ତାମ୍ରପଟା ଇତ୍ୟାଦି ତିଆରି କରି ବାହୁଟ ଓ ସେନାପଟାରେ ତାମରା ଦିଅନ୍ତି।

କରତିଆ: (ସେବା ନଂ ୯୧) ରଥ ନିର୍ମାଣ ପାଇଁ ତୁମ୍ବ କାଟିବା ଓ ରଥର କାଠ ପଟା କାମ କରିଥାନ୍ତି। ଏ ସେବକ ନିଜେ କରତି କାମ କରନ୍ତି ଓ ଅନ୍ୟ କରତିଆକୁ କାମ କରିବାକୁ ଯୋଗାଇ ଦିଅନ୍ତି।

ରୂପକାର: (ସେବା ନଂ ୮୮) ରଥ ନିର୍ମାଣରେ ଯେତେ ରୂପ କାର୍ଯ୍ୟ ପଡେ, ଏହି ସେବକ ତାହା କରିଥାନ୍ତି। ଏପରିକି ନବକଳେବର ବର୍ଷମାନଙ୍କରେ ସାରଥୀ, ସଖୀ, ଓଲଟ ଶୁଆ, କଳସ ଓ ପାର୍ଶ୍ୱ ଦେବତା ନିର୍ମାଣ ଏହି ସେବକଙ୍କଦ୍ୱାରା ତିଆରି ହୋଇଥାଏ। ରଥଟଣା ପୂର୍ବରୁ ଘୋଡ଼ା ବନ୍ଧା କାର୍ଯ୍ୟ ଏହି ସେବକଙ୍କର ଅଟେ।

ଚିତ୍ରକାର: (ସେବା ନଂ ୮୭) ଏହି ସେବକ ରଥବାଡ଼, ପାର୍ଶ୍ୱ ଦେବଦେବୀ, ଓଲଟ ଶୁଆ, କଳସ ଓ ରଥରେ ପରମ୍ପରା ଅନୁଯାୟୀ ଅନ୍ୟାନ୍ୟ ସମସ୍ତ ଚିତ୍ର କାର୍ଯ୍ୟ କରିଥାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.