ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ପ୍ରାଚୀନ ଗଂଜାମ ଓଡିଶୀ ନାଟ୍ୟ କଳାର ଏନ୍ତୁଡ଼ିଶାଳ ବୋଲି ସୁନାମଧନ୍ୟ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଆକାଶବାଣୀର ପ୍ରାକ୍ତନ ଉପ-ମହାନିର୍ଦ୍ଦେଶକ ଡ. ସୁଧା ମିଶ୍ର ପ୍ରକାଶ କରିଛନ୍ତି। ଖଲ୍ଲିକୋଟର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସିନ୍ଧୁ-ଉର୍ମି ସାହିତ୍ୟ ସଂସଦ ତରଫରୁ ଆୟୋଜିତ ରଜ ଉତ୍ସବରେ ରଜରାଣୀ ପ୍ରତିଭା ସମ୍ମାନ ପ୍ରଦାନ ଅବସରରେ ଶ୍ରୀମତୀ ମିଶ୍ର ଗଂଜାମ ଜିଲ୍ଲାର ଓଡିଶୀ ଛାନ୍ଦ ଭଳି ରଚନା ବିଶ୍ୱ ବନ୍ଦନୀୟ ହୋଇଥିବା ବେଳେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥଙ୍କ କୃତି ଏବେ ବି ବିଶ୍ୱ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ବେଳେ ତାଳପତ୍ର ପୋଥିର ଗର୍ଭରୁ ଇତିହାସର ଲୁକ୍କାୟିତ ତଥ୍ୟକୁ ଉନ୍ମୋଚନ କରିଥିବା ଗବେଷକ ସତ୍ୟନାରାୟଣ ରାଜଗୁରୁଙ୍କ ପୁସ୍ତକ ଚିର ଜାଜ୍ଜ୍ୱଲ୍ୟମାନ ବୋଲି ପ୍ରକାଶ କରିଥିଲେ। ସିନ୍ଧୁ-ଉର୍ମି ସାହିତ୍ୟ ସଂସଦର ସଭାପତି ସୁଧାଂଶୁ ଶେଖର ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆକାଶବାଣୀର ପ୍ରାକ୍ତନ ଉଦଘୋଷକ ଡ.ହୃଷିକେଶ ପାଣିଗ୍ରାହୀ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଂଚାଇବା ପାଇଁ ସବୁ ଓଡ଼ିଆମାନେ ଆଗଭର ହେବାର ସମୟ ଆସିଛି ବୋଲି ପ୍ରକାଶ କରିଥିଲେ। ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ରଜ ପ୍ରତିଭା ସମ୍ମାନ ପ୍ରଦାନ ଅବସରରେ ଖଲ୍ଲିକୋଟ ସାହିତ୍ୟ ଓ କଳାକୁ ବିକଶିତ କରିବା ନେଇ ସିନ୍ଧୁ-ଉର୍ମି ସାହିତ୍ୟ ସଂସଦର ଭୂମିକାକୁ ଭୁୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ କଳା ତଥା ସେବା ସମର୍ପିତ ପାଇଁ ସିନ୍ଧୁ-ଉର୍ମି ରଜ ପ୍ରତିଭା ସମ୍ମାନ ଓ ପ୍ରତିଭାବାନ ସୁଗାୟିକା ନନ୍ଦିନୀ ବେହେରାଙ୍କୁ ମଧ୍ୟ ସିନ୍ଧୁ-ଉର୍ମି ରଜ ପ୍ରତିଭା ପ୍ରଦାନ କରାଯାଇଥିଲା। ଅନ୍ୟମାନଂକ ମଧ୍ୟରେ ସୁନାମଧନ୍ୟ ଉଦଘୋଷକ ସୁଦୀପ୍ତ ପାଣିଗ୍ରାହୀ ଓ ଜିଲ୍ଲା ପରିଷଦ ସଭ୍ୟା ସୋନାମ ପଳାଇ, ବିଶିଷ୍ଟ ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ରଥ ପ୍ରମୁଖ ରଜର ପ୍ରାସଙ୍ଗିକତା ସମ୍ପର୍କରେ ଭାଷଣ ପ୍ରଦାନ କରିଥିଲେ। ସିନ୍ଧୁ-ଉର୍ମି ସାହିତ୍ୟ ସଂସଦର ସମ୍ପାଦକ ମାଧବ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କବୟିତ୍ରୀ ବିଦ୍ୟୁତପ୍ରଭା ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏ ଉପଲକ୍ଷେ ଡ.ଜ୍ୟୋତ୍ସ୍ନାରାଣୀ ପ୍ରଧାନ ଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ବରିଷ୍ଠ ଚିତ୍ରଶିଳ୍ପୀ ବସନ୍ତ କୁମାରୀ ସାମନ୍ତ, ଚକ୍ଷୁ ଚିକିତ୍ସକ ଡାକ୍ତର ରାଜେନ୍ଦ୍ର କୁମାର ବେହେରା, କବିତା ଘର ପ୍ରତିଷ୍ଠାତା ଭାଗିରଥି ବେହେରା, ଜୟନ୍ତୀ ବେହେରାଙ୍କ ଉପସ୍ଥିତିରେ ଏକ ବର୍ଣ୍ଣାଢ୍ୟ କବିତା ପାଠ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବହୁ କବି ସାହିତ୍ୟିକ ଓ ସମାଲୋଚକ ଯୋଗ ଦେଇଥିଲେ। ଶେଷରେ କବି ସରୋଜବାଳା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।