ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ପ୍ରତ୍ୟେକ ଗ୍ରାମକୁ ଆଲୋକିତ କରିବା ପାଇଁ ସରକାରୀ ଯୋଜନା ମାଧ୍ୟମରେ ଗଳିକନ୍ଦି ମାନଙ୍କରେ ଷ୍ଟ୍ରିଟ୍ ଲାଇଟ ଲଗାଯାଉଛି। ହେଲେ ସୋନପୁର ସଦର ବ୍ଲକ ମଲ୍ଲିକମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦେଉଲି ଗ୍ରାମରେ ଆଜି ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ ଲାଗିନାହିଁ। ଅନେକ ଦିନହେବ ଷ୍ଟ୍ରିଟ୍ ଲାଇଟ ଲଗାଇବା ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କେହି ତାଙ୍କର କଥାକୁ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମରେ ଷ୍ଟ୍ରିଟ୍ ଲାଇଟ ଲାଗିନଥିବା ବେଳେ ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନ ଆରମ୍ଭ ହୋଇଥିବାରୁ ବିଷାକ୍ତ ଶରୀଶୃପମାନେ ଅନ୍ଧାରରେ କାମୁଡିବାର ଆଶଙ୍କା ମଧ୍ଯ ଦେଖାଦେଇଛି। ଅନ୍ୟପଟେ ଅନ୍ଧାରର ସୁଯୋଗ ନେଇ ଚୋରି ଡକାୟତି ଭଳି ଅସାମାଜିକ କାର୍ଯ୍ୟକଳାପ ବଢିବାର ମଧ୍ଯ ଆଶଙ୍କାକୁ ମଧ୍ଯ ଏଡ଼ାଇ ଦିଆଯାଇ ନପାରେ। ଗ୍ରାମବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ଷ୍ଟ୍ରିଟ୍ ଲାଇଟ ଲଗାଇ ଆଲୋକୀକରଣ କରିବାକୁ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହୋଇଛି।