ବଣ ବିଲ ଗ୍ରାମରେ ବିଜୁଳି ସେବା ଅପହଞ୍ଚ : ଅନ୍ଧାରରେ ୭ ଆଦିବାସୀ ପରିବାର, ଡିବିରୀ ଆଲୁଅରେ ପାଠ ପଢୁଛନ୍ତି ପିଲା

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ବିତିଲାଣି। ହେଲେ ଖଲ୍ଲିକୋଟ ବ୍ଲକ ତେନ୍ତୁଳିଆ ପଂଚାୟତର ୭ଗୋଟି ପରିବାରର ପ୍ରାୟ ୫୦ଜଣ ଆଦିବାସୀ ଲୋକ ଅନ୍ଧାରରେ ବାରହା, ଭାଲୁ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀ ସାଙ୍ଗକୁ ବିଷଧର ସରୀସୃପଙ୍କ ଗହଣରେ କାଳାତିପାତ କରୁଛନ୍ତି। ବିଜୁଳି ଆଲୁଅ ନଥିବାରୁ ଉକ୍ତ ଗ୍ରାମର ଆଦିବାସୀ ପିଲାମାନେ ଅନଲାଇନ ପାଠପଢା ଓ ମୋବାଇଲ ସେବାରୁ ବଞ୍ଚିତ ହୋଇ ଆସୁଛନ୍ତି। ସେହିପରି ପିଲାମାନେ ରାତିରେ ବିଜୁଳି ଆଲୋକ ବିନା ଡିବିରୀ ଆଲୁଅରେ ପାଠ ପଢିଥାନ୍ତି। ଏ ସମ୍ପର୍କରେ ବହୁବାର ପଞ୍ଚାୟତ ସମିତି ବୈଠକରେ ଦାବି ଉଠିବା ସହ ସରଗରମ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଗ୍ରାମବାସୀ ଓ ଲୋକପ୍ରତିନିଧିମାନେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏଯାବତ କେହି ଦୃଷ୍ଟି ଦେଇ ନାହାନ୍ତି। ୨୦୧୮ ମସିହାରେ ଠିକାଦାର ଶଶାଙ୍କ ପାତ୍ର ତେନ୍ତୁଳିଆପଲ୍ଲୀଠାରୁ ବଣ ବିଲ ଆଦିବାସୀ ଗ୍ରାମକୁ ମାତ୍ର ୧୩ ଗୋଟି ବିଜୁଳି ଖୁଣ୍ଟ ପୋତି କାମସାରି ଦେଇଥିଲ। ତେବେ ଏପର୍ଯ୍ୟନ୍ତ ବିଜୁଳି ତାର ଭିଡା କାମ ଓ ଟ୍ରାନ୍ସଫରମରକୁ ସଂଯୋଗ କାର୍ଯ୍ୟ ହୋଇପାରୁନି। ବହୁ ଅଭିଯୋଗ ପରେ ଗତ ମାର୍ଚ୍ଚ ମାସରେ ଏହି ବିଜୁଳି ସଂଯୋଗ କାମ ସାରିବା ପାଇଁ ଇଂ ସୁଦର୍ଶନ ପଣ୍ଡା ନାମକ ଜଣେ ଠିକାଦାରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ବେଳେ କାମ କୌଣସି କାରଣ ଯୋଗୁଁ ଏବେସୁଦ୍ଧା ତ୍ୱରାନ୍ୱିତ ହୋଇପାରିନି। ଫଳରେ ଗ୍ରାମବାସୀ ଆମ୍ବୁଲାନ୍ସ ସମେତ କୌଣସି ଜରୁରୀ କାମରେ ଅସୁବିଧାରେ ସମ୍ମୁଖୀନ ହେଵା ସହ ଆମ୍ବୁଲାନ୍ସ ବିନା ଜରୁରୀକାଳୀନ ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି। ବିଜୁଳି ସଂଯୋଗ ବିନା ଗ୍ରାମବାସୀ ଯାବତୀୟ ସମସ୍ୟା ଭୋଗିବା ସହ ବ୍ଲକର ଏକମାତ୍ର ଆଦିବାସୀ ଗ୍ରାମ ବିଜୁଳି ସେବା ବିନା ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ଏନେଇ ଖଲ୍ଲିକୋଟର ଲୋକପ୍ରତିନିଧିମାନେ କୌଣସି ଉତ୍ତର ଦେବାକୁ ମନା କରୁଥିବା ବେଳେ ଏହି ଛୋଟିଆ ଆଦିବାସୀ ଗ୍ରାମର ଅଧିବାସୀମାନେ କେବେ ଅନ୍ଧାରରୁ ମୁକ୍ତି ପାଇବା ସହ ସେମାନଙ୍କ ମୌଳିକ ଅଧିକାର ପାଇବେ, ସେନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.