ଜୁହାର ଫାଉଣ୍ଡେସନ ମୁମ୍ବାଇ ତରଫରୁ ଭିଏସଏସ ଫେଲୋସିପ ୨୦୨୪-୨୫ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଜୁହାର ଫାଉଣ୍ଡେସନ ମୁମ୍ବାଇ ତରଫରୁ ଭିଏସଏସ ଫେଲୋସିପ ୨୦୨୪-୨୫ ମୁଖ୍ୟ ଅତିଥି ପ୍ରଫେସର ଶ୍ରୀ ରଜନୀକାନ୍ତ ବେହେରାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଜୁହାର ଫାଉଣ୍ଡେସନ ମୁମ୍ବାଇ ଆନୁକୂଲ୍ୟରେ ପଶ୍ଚିମ ଓଡିଶାର ୧୪ଟି ଗାଁରେ ପାଞ୍ଚ ଶହରୁ ଉର୍ଦ୍ଧ୍ବ ସ୍କୂଲରେ ପଢ଼ୁଥିବା ଗରିବ ଛାତ୍ରଛାତ୍ରୀମାନଙ୍କୁ ଟ୍ୟୁସନ ମାଧ୍ୟମରେ ନିଃଶୁଳ୍କ ଶିକ୍ଷା ଦିଆଯାଉଛି । ଗାଁରେ ଥିବା ଶିକ୍ଷିତ ଯୁବକ ଯୁବତୀମାନେ ଏହି ମହତ କାର୍ଯ୍ୟରେ ନିଯୁକ୍ତି ପାଇ ନିଜର ଅବସର ସମୟକୁ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଗଠନ କରିବାରେ ସଦୁପଯୋଗ କରିପାରୁଛନ୍ତି । ବର୍ତ୍ତମାନ ୧୪ଟି ଗାଁରେ ଏହି କାର୍ଯ୍ୟକ୍ରମ ଯେପରି କଳାହାଣ୍ଡିର ଚିଲକପୁର, କୋଟେନ ଗାଁ, ସମ୍ବଲପୁରର ଡ଼ଙ୍ଗରପଡା,  ବରଗଡ଼ର ମୂଳବାର, ବରଗାଁ, କୁସମୁଣ୍ଡା, ମାଲଦା, କାରଣ୍ଡୋଲା, ଝାରସୁଗୁଡାର ପଣ୍ଡରୀ, ଜାମଗାଁର ଏପରି  ଅନେକ ଗରିବ ତଥା ଉପେକ୍ଷିତ ଛାତ୍ରଛାତ୍ରୀ ଉପକୃତ ହୋଇପାରୁଛନ୍ତି ।

ଯେଉଁ ସମୟରେ ଗାଁମାନଙ୍କରେ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ଉପଲବ୍ଧ ହୋଇପାରିନାହିଁ ଡିଜିଟାଲ ମଧ୍ୟମରେ ସେମାନଙ୍କୁ ଉନ୍ନତମାନର ଶିକ୍ଷା ଦେବା ପାଇଁ ଜୁହାର ଫାଉଣ୍ଡେସନ ତରଫରୁ ପ୍ରତ୍ୟେକ ଫେଲୋମାନଙ୍କୁ ଲେପଟପ ଦିଆଯାଇ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ପ୍ରଦାନ କରି ତାହାର ମେଣ୍ଟରମାନେ ନିଜେ ତଦାରଖ କରୁଛନ୍ତି । ଯାହା ଫଳରେ ସ୍କୁଲ ସ୍ତରରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର କିଭଳି ଶିକ୍ଷାର ମାନରେ ଉନ୍ନତି ହୋଇପାରିବ ଏବଂ ଗୋଟିଏ ଉତ୍ତମ ମୂଳଦୁଆ ସୃଷ୍ଟି କରିବାରେ ଶିକ୍ଷା ବ୍ୟବସ୍ଥାରେ ଯେଉଁ ଅସୁବିଧା ହେଉଛି ସେହି ଅସୁବିଧାକୁ ଦୂର କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ପଢେଇବା ପାଇଁ ମେଣ୍ଟରମାନଙ୍କୁ ଆଜିର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରଜନୀକାନ୍ତ ବେହେରା ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଗତି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅଜୟ କୁମାର ପଣ୍ଡା ଯେଉଁ ଛାତ୍ରଛାତ୍ରୀମାନେ  ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହେବେ, ସେହି ଛାତ୍ରଛାତ୍ରୀମାନଙ୍କୁ ପ୍ରଗତି ଶିକ୍ଷାନୁଷ୍ଠାନରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଦୁଇ ବର୍ଷ ବିନା ଶୁଳ୍କରେ ପଢିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ବିଗତ ଦିନମାନଙ୍କରେ ମଧ୍ୟ ହାରାହାରି ଦୁଇରୁ ତିନି ହଜାର ଛାତ୍ରଛାତ୍ରୀ ଉପକୃତ ହୋଇ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ଗ୍ରହଣ କରୁଅଛନ୍ତି । ଏଥିମଧ୍ୟରୁ ଅନେକ ଗାଁର ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ପୁରସ୍କାର, ପଠାଣି ସାମନ୍ତ ମେଧାବୃତ୍ତି ଆଦି ପୁରସ୍କାର ଲାଭ କରିପାଇଛନ୍ତି ବୋଲି ସୁଷମା ପଣ୍ଡା ପ୍ରକାଶ କରିଥିଲେ । ସବିଶେଷରେ ଏହା ସୂଚାଇ ଦିଆଯାଇପାରେ ଯେ, ମହାମାରୀ କୋଭିଡ ସମୟରେ ଜୁହାର ଫାଉଣ୍ଡେସନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ୨୦୨୦-୨୧ ମସିହାରୁ ଲକଡାଉନ ସମୟରେ ଶିକ୍ଷାର ମାନକୁ ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଯାଇଥିଲା ।

ଜୁହାର ଫାଉଣ୍ଡେସନ ଗୋଟିଏ ବେସରକାରୀ ସାମାଜିକ ସଂସ୍ଥା ଯିଏ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବିଭିନ୍ନ ସାମାଜିକ ସେବା କ୍ଷେତ୍ରରେ ପଶ୍ଚିମ ଓଡିଶା ତଥା ଓଡ଼ିଶାର ବିଭିନ୍ନ ଦୁର୍ଗମ ଅଂଚଳରେ ଶିକ୍ଷା ବ୍ୟବସ୍ଥାର ମାନ ବଢାଇବା ପାଇଁ ଓ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଦିଗରେ ପ୍ରୟାସ ଜାରି ରଖିଛି । ଆଗାମୀ ଦିନମାନଙ୍କରେ ମଧ୍ୟ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ଏହାର ଆବାହକ ଦୀପକ ପୂଜାରୀ ମତପ୍ରକାଶ କରିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜୁହାର ଫାଉଣ୍ଡେସନର ଅନ୍ୟ ସମସ୍ତ ବୋର୍ଡ଼ ସଦସ୍ୟ ଶ୍ରୀ ଦୀପକ ପୂଜାରୀ, ନମିତା ପୂଜାରୀ, ସୁଷମା ପଣ୍ଡା, ମିତ୍ର ଗୁରୁ, ମୌସୁମୀ ମହାପାତ୍ର, ଅରବିନ୍ଦ ପତି, ପ୍ରଦୀପ ପଣ୍ଡା, ସମୀର ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.