ମଇ ୬ ରେ ରେଳରୋକ ଆନ୍ଦୋଳନ ପାଇଁ ଅଣ୍ଟା ଭିଡୁଛି ରୁପ୍ରାରୋଡ ରେଳଯାତ୍ରୀ ସୁରକ୍ଷା ସମିତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ରେଳଯାତ୍ରୀ ସୁରକ୍ଷା ସମିତି ଆସନ୍ତା ୬ ମଇରେ ରେଳରୋକ ଆନ୍ଦୋଳନ କରିବା ପାଇଁ ଅଣ୍ଟା ଭିଡୁଛି। ଶୁକ୍ରବାର ରୁପ୍ରାରୋଡ ରେଳଯାତ୍ରୀ ସୁରକ୍ଷା ସମିତି ତରଫରୁ ରୁପ୍ରାରୋଡ଼ ରେଳଯାତ୍ରୀ ସୁରକ୍ଷା ସମିତିର ଅଧ୍ୟକ୍ଷ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ସମିତିର ସଭାପତି ବରିଷ୍ଠ ଆଇନଜୀବୀ ସୁବାଶ ଚନ୍ଦ୍ର ଅଗ୍ରୱାଲ, ଉପସଭାପତି ପ୍ରଦୀପ କୁମାର ଅଗ୍ରୱାଲ, ସାଧାରଣ ସମ୍ପାଦକ ରାଧେଶ୍ୟାମ ଖେତାନ, ସମ୍ପାଦକ ନୀରଜ କୁମାର ଶର୍ମା, କୋଷାଧ୍ୟକ୍ଷ ଦିନେଶ କୁମାର ଅଗ୍ରୱାଲା, ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ଶର୍ମା, ରୂପଚେନ ଜୈନ, ମନୋଜ ମହାନ୍ତି, ରତନ ଅଗ୍ରୱାଲ, ପୁଷ୍ପକ ମହାନ୍ତି, ଓମପ୍ରକାଶ ଅଗ୍ରୱାଲ, ଗଣେଶରାମ ଖେତାନ (ବଣ୍ଟି), ବିଜୟ ଅଗ୍ରୱାଲ, ଆଲୋକ ଅଗ୍ରୱାଲ, ଦିନେଶ ଅଗ୍ରୱାଲ, ଅଶୋକ କମାନି ପ୍ରମୁଖଙ୍କ ସମେତ ୨୦ ରୁ ଉର୍ଦ୍ଧ୍ୱ ସଦସ୍ୟ ଏକ ଶେଷ ସ୍ମାରକପତ୍ର ପୁର୍ବତଟ ରେଳବାଇ ଜୋନର ଜେନେରାଲ ମ୍ୟାନେଜରଙ୍କୁ ରୁପ୍ରାରୋଡ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ପ୍ରଦାନ କରିବା ସହିତ ଏହାର ଏକକିତା ଲେଖାଏଁ ନକଲ ଭାରତ ସରକାରଙ୍କ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କଳାହାଣ୍ଡି ଜିଲ୍ଲାପାଳ, କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ, ପୂର୍ବତଟ ରେଳବାଇ ସମ୍ବଲପୁର ଡିଭିଜନର ଡିଆରଏମ, ରାଉରକେଲା ସିଡିପିଓ, ମାନ୍ୟବର କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସଦସ୍ୟ ସୁଜିତ କୁମାର ପ୍ରମୁଖଙ୍କୁ ପ୍ରେରଣ କରି ଗତ ୧୬ ମାର୍ଚ୍ଚରେ ବିଭାଗକୁ ପ୍ରଦାନ କରିଥିବା ୧୨୮୦୭/୮ ବିଶାଖାପାଟନମ- ନିଜାମୁଦ୍ଦିନ ସମତା ସୁପରଫାଷ୍ଟ ଏକ୍ସପ୍ରେସ, ୧୭୪୮୧/୮୨ ବିଲାସପୁର-ତିରୁପତି ଏକ୍ସପ୍ରେସ, ୧୩୩୫୧/୫୨ ଧାନବାଦ-ଏଲେପି ଏକ୍ସପ୍ରେସ ୧୮୧୮୯/୯୦ ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସ, ୧୨୮୪୩/୪୪ ପୁରୀ- ଅହମଦାବାଦ ଏକ୍ସପ୍ରେସ, ୨୦୮୦୮/୦୯ ସମ୍ବଲପୁର- ନାନ୍ଦେଡ ଏକ୍ସପ୍ରେସ ପ୍ରମୁଖ ଟ୍ରେନ ଗୁଡିକର ରହଣୀ ପାଇଁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହା ସହ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପାଖରେ ରହିଥିବା ଲେବୁଲ କ୍ରସିଂ ଫାଟକ ଯୋଗୁଁ ନାହିଁ ନଥିବା ଟ୍ରାଫିକ ସମସ୍ୟା ଉପୁଜୁଥିବାରୁ ଏଠାରେ ଭୂତଳ ରାସ୍ତା କରିବା ପାଇଁ ମଧ୍ୟ ବାରମ୍ବାର ଦାବୀ କରି ଆସୁଛି ସୁରକ୍ଷା ସମିତି। ମହାମାରୀ କରୋନା ପୁର୍ବରୁ ରହିଆସୁଥିବା ଟ୍ରେନ ଗୁଡିକ କରୋନା ଲକଡାଉନ ଯୋଗୁଁ ବନ୍ଦ ହୋଇ ପଡିଥିଲା। ଲକଡାଉନ ଖୋଲିବା ପରେ ଟ୍ରେନ ଗୁଡିକ ପୂର୍ବବତ ଚାଲିଲା ହେଲେ ରୁପ୍ରାରୋଡ ଷ୍ଟେସନରେ ଆଉ ରହଣୀ ରହିଲା ନାହିଁ। ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ରେଳଯାତ୍ରୀ ସୁରକ୍ଷା ସମିତି ରୁପ୍ରାରୋଡ ତରଫରୁ ଏଇ ଚାରିବର୍ଷ ମଧ୍ୟରେ ୧୦ ରୁ ଉର୍ଦ୍ଧ୍ୱ ଥର ବିଭାଗୀୟ ଅଧିକାରୀ ମାନଙ୍କୁ ଲିଖିତ ଦାବୀ ପତ୍ର ପ୍ରଦାନ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରିଲା ନାହିଁ। ବାରମ୍ବାର ଲେଖି ଜଣାଇବା ସତ୍ୱେ ବିଭାଗ କର୍ଣ୍ଣ ଗୋଚର ନକରିବାରୁ ଗତ ୧୦ ଅପ୍ରେଲ ୨୦୨୨ ରେ ସ୍ଥାନୀୟ ଜନସାଧାରଣଙ୍କ ଆଗ୍ରହ କ୍ରମେ ସମିତି ରେଳରୋକ ଆନ୍ଦୋଳ କରିବାରୁ ଫଳ ସ୍ୱରୁପ ସମଲେଶ୍ୱରୀ ଓ ବିଶାଖାପାଟନମ- କୋରବା ଏକ୍ସପ୍ରେସ ଟ୍ରେନର ରୁପ୍ରାରୋଡରେ ରହଣୀ ରହିଲା। କରୋନା ପୂର୍ବରୁ ରହୁଥିବା ବାକି ଟ୍ରେନ ଗୁଡିକର ରହଣୀ ପାଇଁ ବିଭାଗ କଥା ଦେଇଥିଲେ ମଧ୍ୟ ଚାରିବର୍ଷ ହୋଇଗଲା ହେଲେ ଟ୍ରେନ ରହଣୀ ନେଇ କୌଣସୀ ପଦକ୍ଷେପ ନନେବାରୁ ସମିତି ତରଫରୁ ବିଭାଗୀୟ ଉପରୋକ୍ତ ଅଧିକାରୀ ମାନଙ୍କୁ ଚେତାବନୀ ଦିଆଯାଇଛି। ଯଦି ଆସନ୍ତା ମଇ ୫ ପର୍ଯ୍ୟନ୍ତ ଦାବୀ ରହିଥିବା ଉପରୋକ୍ତ ଟ୍ରେନ ଗୁଡିକର ରହଣୀ ଦିଆ ନଯାଏ ତାହେଲେ ରୁପ୍ରାରୋଡ ରେଳଯାତ୍ରୀ ସୁରକ୍ଷା ସମିତି ରୁପ୍ରାରୋଡ ରେଳ ଷ୍ଟେସନରେ ଆସନ୍ତା ମଇ ୬ ରେ ପୁଣିଥରେ ରେଳ ରୋକ ଆନ୍ଦୋଳନ କରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.