ବିଶ୍ବ ଐତିହ୍ୟ ଦିବସ ଅବସରରେ ବହୁ ବିଦ୍ୟାର୍ଥୀ ତଥା ଐତିହ୍ୟପ୍ରେମୀଙ୍କ କୁମ୍ଭ କ୍ଷେତ୍ର ପରିଭ୍ରମଣ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବିଶ୍ବ ଐତିହ୍ୟ ଦିବସ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଐତିହ୍ୟର ସୁରକ୍ଷା ଓ ପ୍ରଚାର ପ୍ରସାର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଉଥିବା ବେଳେ ଫକୀରମୋହନ ବିଶ୍ବବିଦ୍ୟାଳୟର ଇତିହାସ ଓ ପ୍ରତ୍ନତତ୍ତ୍ଵ ବିଭାଗର ଛାତ୍ରଛାତ୍ରୀ ମାନେ ନୀଳଗିରିର ପ୍ରକୃତି ଓ ସଂସ୍କୃତିର ଶ୍ରୀକ୍ଷେତ୍ର କୁମ୍ଭକ୍ଷେତ୍ର ପରିଭ୍ରମଣ କରି ସ୍ଥାନୀୟ ଐତିହ୍ୟ ବିଷୟରେ ଅବଗତ ହୋଇଥିଲେ।

୪୪ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ସହ ସହକାରୀ ପ୍ରାଧ୍ୟାପକ ଡକ୍ଟର ଶିଖାଶ୍ରୀ ରାୟ ଓ ଶାନ୍ତି ଗୋପାଳ ଜେନା, ପ୍ରୋଜେକ୍ଟ ଫେଲୋ ପର୍ଶୁରାମ ମହାନ୍ତି, ସୌମ୍ୟାଶ୍ରୀ ନାୟକ, ପିଏଚଡି ସ୍କଲର୍ ଭାଗ୍ୟଶ୍ରୀ ମିଶ୍ର ପ୍ରମୁଖ ପରିଭ୍ରମଣ କରି ସ୍ଥାନୀୟ କୁମ୍ଭକାରଙ୍କ ବୃତ୍ତି, ଭାଷା, କଳା ସଂସ୍କୃତି ପରମ୍ପରା ସହ କୁମ୍ଭ ଭେଳା, କୁମ୍ଭ ଘର, କୁମ୍ଭ ଝର, କୁମ୍ଭ ଦ୍ବାର, କୁମ୍ଭ ମଞ୍ଚ ଇତ୍ୟାଦି ବିଷୟରେ ଅବଗତ ହେବା ସହ ୨୦୦ ବର୍ଷ ତଳର ଜୀବନ୍ତ କୁମାର ଭାଟି ଦେଖିଥିଲେ।

ସେହିପରି ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ଅବସର ପ୍ରାପ୍ତ ଅତିରିକ୍ତ ଶାସନ ସଚିବ କବି ଓ ସ୍ତମ୍ଭକାର ଧନଞ୍ଜୟ ସ୍ବାଇଁ, ସ୍ବତନ୍ତ୍ର ଶାସନ ସଚିବ ପ୍ରଦୀପ୍ତ କିଶୋର ସତପଥୀ ଓ ବହୁ ଐତିହ୍ୟ ପ୍ରେମୀ କୁମ୍ଭ କ୍ଷେତ୍ର ବୁଲି ଆସିଥିଲେ । ଅତୀତର ଅନେକ ଐତିହ୍ୟକୁ ଉଜ୍ଜୀବିତ ରଖିବା ପାଇଁ କୁମ୍ଭ କ୍ଷେତ୍ରରେ ଢିଙ୍କି, ବଳଦ ଗାଡ଼ି, ପର୍ଣ୍ଣ କୁଟୀର, ଗଛ ଘର ଓ କୁଡିଆ ଘର ଇତ୍ୟାଦି ମଧ୍ୟ ଐତିହ୍ୟ ପ୍ରେମୀ ବୁଲି ଦେଖିଥିଲେ ।

କୁମ୍ଭ କ୍ଷେତ୍ର ମଧ୍ୟ ଖାଦ୍ୟ ଐତିହ୍ୟକୁ ସୁରକ୍ଷା କରିବା ପାଇଁ ‘ବୁଢୀମାଆ ଥାଳି’ରେ ଓଡ଼ିଆ ଘରର ବିଶେଷ ଖାଦ୍ୟ ଚୁରା, ଚୁନା, ଚଟଣୀ, ରାଇତା, ଭଜା, ଖଟା, ପୋଡ଼ା, ଭର୍ତା, କାଞ୍ଜି , ମାଣ୍ଡିଆ ଇତ୍ୟାଦି ୨୫ ରୁ ଊର୍ଦ୍ଧ୍ବ ପ୍ରକାର ତିଅଣ ପରିବେଷଣ କରାଯାଇଥିଲା।

କୁମ୍ଭକ୍ଷେତ୍ରର ମୁଖ୍ୟ ଶିଳ୍ପୀ କେଶୁଦାସ ସମସ୍ତଙ୍କୁ କୁଳଡିହା ଅଭୟାରଣ୍ୟ ଓ ସ୍ଥାନୀୟ ପ୍ରକୃତି, ସଂସ୍କୃତି ଓ ଐତିହ୍ୟ ବିଷୟରେ ସରଳ ଓ ସୁନ୍ଦର ଭାବରେ ଆଲୋକପାତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.