ସୁବର୍ଣ୍ଣପୁରରେ ଅରୁନ୍ଧତୀ ବାନ୍ଧକଳାର ଭୂମିପୂଜନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଆଜି ସୁବର୍ଣ୍ଣପୁର ଜିଲ୍ଲାର ହରଡଖୋଲ ନିକଟସ୍ଥ ଛେପାପାଲି ଗାଁରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା “ଅରୁନ୍ଧତୀ ବାନ୍ଧକଳା”ର ଭିତ୍ତିପ୍ରସ୍ଥର ସ୍ଥାପନ ଓ ଭୂମିପୂଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ହସ୍ତତନ୍ତ ଓ ବୟନ ଶିଳ୍ପର ଏହି ଅତ୍ୟାଧୁନିକ ଉଦ୍ୟୋଗ ସୁବର୍ଣ୍ଣପୁର ଜିଲ୍ଲା ସମେତ ପଶ୍ଚିମ ଓଡିଶାର ହସ୍ତତନ୍ତକୁ କଳାତ୍ମକ କାରିଗରୀ ସହ ବିପଣନରେ ସହାୟକ ହୋଇପାରିବ ବୋଲି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । ବୁଣାକାର ସମ୍ପ୍ରଦାୟର ଅନ୍ତର୍ନିହିତ ଦକ୍ଷତା ଏବଂ କଳାକୁ ଉଚ୍ଚତମ ଶିଖରକୁ ପହଞ୍ଚାଇବା, ହସ୍ତତନ୍ତ ଐତିହ୍ୟର ସଂରକ୍ଷଣ ଏବଂ ପାରମ୍ପାରିକ କାରିଗରୀର ପୁନରୁଦ୍ଧାର ସୁନିଶ୍ଚିତତା, ଯୁବପିଢ଼ି ଓ ମହିଳା ଶିଳ୍ପୀଙ୍କ ବୟନକଳା ପ୍ରତି ଆକର୍ଷିତ କରିବା, ଅସଂଗଠିତ ହସ୍ତତନ୍ତ କାରିଗରଙ୍କୁ ଗଠନ ମୂଳକ ଭାବେ କୁଟୀର ଶିଳ୍ପର ରୂପ ଦେବା ସହ ପଶ୍ଚିମ ଓଡିଶାର ପର୍ଯ୍ୟଟନର ବିକାଶ ଲକ୍ଷ୍ୟ ରହିଛି। ୧୦ଏକର ପରିମିତ ଅରୁନ୍ଧତୀ ବାନ୍ଧକଳା କ୍ୟାମ୍ପସରେ ୩ହଜାର ତନ୍ତ ପ୍ରତିଷ୍ଠା ସହ ୫ହଜାରରୁ ଅଧିକ ବୁଣାକାରଙ୍କୁ ସ୍ୱାବଲମ୍ବନ ହୋଇପାରିବେ। ବିଶେଷ କରି ସୁବର୍ଣ୍ଣପୁରୀ ପାଟଶାଢ଼ୀ ଓ ଡ୍ରେସ ମେଟେରିଆଲ ବସ୍ତ୍ର ଉତ୍ପାଦନକାରୀ ହଜାର ହଜାର ବୁଣାକାର, ରଙ୍ଗକାର ଓ ବାନ୍ଧଶିଳ୍ପୀ ଏହି ପ୍ରକଳ୍ପରୁ ଉପକୃତ ହୋଇପାରିବେ। ଏହି ଅବସରରେ ଆୟୋଜିତ ଭୂମିପୂଜନ ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ସମ୍ମାନିତ ଅତିଥି ଭାବେ ସାଂସଦ ସଂଗୀତା କୁମାରୀ ସିଂହଦେଓ, ବିଧାୟକ ରଘୁନାଥ ଜଗଦଳା, ଜିଲ୍ଲାପାଳ ଅନ୍ୟା ଦାସ ଏବଂ ଅରୁନ୍ଧତୀ ବାନ୍ଧକଳାର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ପ୍ରମୁଖ ଅତିଥି ଭାବେ ଯୋଗଦେଇ ୭ ଜଣ ହସ୍ତତନ୍ତ ଶିଳ୍ପୀଙ୍କୁ ସମ୍ମାନିତ କରିବା ସହ ୨୦ଜଣ ମହିଳା ବୁଣାକାରଙ୍କୁ ଅତ୍ୟାଧୁନିକ ହସ୍ତତନ୍ତ ଯନ୍ତ୍ର ବଣ୍ଟନ କରିଥିବା ବେଳେ ଏହି ଅବସରରେ ୧୦ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ ବଣ୍ଟନ କରିଥିଲେ। ସମାରୋହରେ ସୁବର୍ଣ୍ଣପୁର ଜିଲ୍ଲାର ହଜାର ହଜାର ବୟନ ଓ ବାନ୍ଧଶିଳ୍ପୀମାନେ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.