ବଲବସପୁରରେ ଭୈରବୀ ନାଟ୍ୟ କଳା ସଂଘର ପୁନର୍ଗଠନ ପ୍ରସ୍ତୁତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଗ୍ରା.ପ.ର ବଲବସପୁର ଗ୍ରାମରେ “ଭୈରବୀ ନାଟ୍ୟକଳା ସଂଘ”ର ପୁନର୍ଗଠନ ପ୍ରସ୍ତୁତି ବୈଠକ ଗ୍ରାମସ୍ଥିତ ସ୍ଵପ୍ନେଶ୍ଵର ଶିବମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଗ୍ରାମର କିଛି ଯୁବକ ଓ କଳାପ୍ରେମୀ ବ୍ୟକ୍ତିଙ୍କ ପ୍ରାୟସରେ ଉକ୍ତ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ଅନୁଷ୍ଠାନକୁ ନବକଳେବର କରିବା ସହିତ ପୁନର୍ଗଠିତ କରି ଭବିଷ୍ୟତରେ କିପରି ଅଞ୍ଚଳର କଳା, ସଂସ୍କୃତି, ସେବା ଓ ଭାଇଚାରାର ନିଦର୍ଶନ ପୂର୍ବକ ଏକ ଅଗ୍ରଣୀ ଅନୁଷ୍ଠାନରେ ପରିଣତ କରିବାକୁ ହେବ ସେନେଇ ଆଲୋଚନା ହେବା ସହିତ ଯୋଜନା ପ୍ରସ୍ତୁତ ହୋଇଥିଲା। ପ୍ରକାଶ ଥାଉକି ବଲବସପୁର ଗ୍ରାମ କଳାହାଣ୍ଡି ଜିଲ୍ଲାର ଏକ ବଡ ତଥା ସଂସ୍କୃତି ସମ୍ପନ୍ନ ଗ୍ରାମ ଭାବେ ବେଶ ଜଣାଶୁଣା। ଅତୀତରେ ଏ ଗାଁ “ଭୈରବୀ ନାଟ୍ୟ କଳା ସଂଘ” ମାଧ୍ୟମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ନାଟ୍ୟ କଳା ପରିବେଷଣ କରି ଖୁବ ସୁନାମ ଅର୍ଜନ କରିଥିଲା। ଅଞ୍ଚଳରେ କଳା ସଂସ୍କୃତିର ବିକାଶରେ ଏକ ବଡ ଭାଗିଦାରୀ ହେବା ସହିତ ଅନେକ ବରେଣ୍ୟ କଳାକାରଙ୍କୁ ଜନ୍ମଦେଇଛି ଏ ଗ୍ରାମ। କିନ୍ତୁ ସରକାରୀ ପ୍ରୋତ୍ସାହନର ଅଭାବ, ଆର୍ଥିକ ସମସ୍ୟା ଆଦି ଅନୁଷଙ୍ଗିକ କାରଣରୁ ବିଗତ ପ୍ରାୟ ୩ଦଶନ୍ଧି ହେବ ଧିମେଇ ଯାଇଛି ଏହି ସଂଘ। ଯେହେତୁ ଏ ଅନୁଷ୍ଠାନ ଅଞ୍ଚଳର ଗର୍ବ ଓ ଗୌରବ ଏହାର ପୁନଃରୁତ୍ଥାନ ଅତ୍ୟାବଶ୍ୟକ ନଚେତ ଗ୍ରାମର ଏକ ବୃହତ ଇତିହାସ ଲୋପ ପାଇଯିବ ଏବଂ ଭବିଷ୍ୟତ ପୀଢ଼ି ବଞ୍ଚିତ ହେବେ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ଏଣୁ ଖୁବଶୀଘ୍ର ଅନୁଷ୍ଠାନ ପୁନର୍ଗଠନ ସହ କାର୍ଯ୍ୟପନ୍ଥା ସ୍ଥିରହେବ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। କମିଟି ସଦସ୍ୟ ମକୁନ୍ଦ ଭୋଇ, ପ୍ରକାଶ ଦୀପ, ଧର୍ମେନ୍ଦ୍ର ପୋଢ଼, ଭୂପେନ୍ଦ୍ର ସେଠ, ସ୍ୱାଧୀନ ଭୋଇ ଓ ରଞ୍ଜନ ଗୌଡ଼ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଳାକାର ପୁରାଣ ସେଠୀ, ରଘୁ ମାହାର, ସ୍ଵପ୍ନେଶ୍ଵର ମନ୍ଦିର ସମ୍ପାଦକ ଭବାନୀ ବାରିକ, ଦିଲ୍ଲୀପ ସା, ଗୋପାଳ ପ୍ରଧାନ, କୈଳାଶ ମାଝୀ, ମିନକେତନ ତାଣ୍ଡି, ପ୍ରେମାନନ୍ଦ ବିଶ୍ୱାଳ, ପ୍ରାଣକୃଷ୍ଣ ପ୍ରଧାନ, ବିନୋଦ ବିଶ୍ୱାଳ, ଜୟପ୍ରକାଶ ମାଝୀ, ସମ୍ରାଜ ମାଝୀଙ୍କ ସମେତ ପ୍ରାୟ ୫୦ରୁ ଉର୍ଦ୍ଧ୍ଵ ସଦସ୍ୟ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଶେଷରେ ଅସ୍ଥାୟୀ କମିଟି ସଭାପତି ଗୋବିନ୍ଦ ବ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.