ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକରେ ବିଭିନ୍ନ ପଞ୍ଚାୟତରେ ସୌରଶକ୍ତି ଦ୍ବାରା ପାନିୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ହେଲେ ବର୍ଷ ବର୍ଷ ଧରି ଏହା ବନ୍ଦ ଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲାଞ୍ଜିଗଡ଼ ପଞ୍ଚାୟତର ଗୌଡ଼ ପଡାଠାରେ ଆଜିକି ୧୩ ମାସ ହେଲା ଜଳଯୋଗାଣ ବନ୍ଦ ଥିବା ବେଳେ ସୌରଶକ୍ତି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜଳଯୋଗାଣ ବନ୍ଦ ରହିଥିବା ବେଳେ ଡ଼ମ୍ବିଶି ପଡ଼ାରେ ୮ ମାସ ଓ ଆଶ୍ରମ ପଡ଼ାରେ ୭ ମାସ ହେଲା ଜଳଯୋଗାଣ ବନ୍ଦ ରହିଛି। ସେହିପରି ଛତ୍ରପୁର ପଞ୍ଚାୟତର ଟାଙ୍ଗନକଣା ଗ୍ରାମରେ ୧୪ ମାସ ଜଳଯୋଗାଣ ବନ୍ଦ ରହିଛି। ଏଠାରେ ନିର୍ମାଣର ଏକ ମାସ ପରେ ଅଚଳ ହୋଇଯାଇଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ତ୍ରିଲୋଚନପୁରର ଶ୍ୟାମସୁନ୍ଦରପୁର ଠାରେ ମଧ୍ୟ ୯ ମାସ ହେଲା ବନ୍ଦ ରହିଛି। ସେହିପରି ବାରବୁଲି ଗାଁଠାରେ ଆଜିକୁ ୧ ବର୍ଷ ୪ ମାସ ହେଲା ଜଳଯୋଗାଣ ବନ୍ଦ ରହିଛି। ଏଠାରେ ଠିକାଦାର ସୌରଶକ୍ତିର ପାଣିଟାଙ୍କି ବସାଇ ପାଇପ କାମ ଅଧାପନ୍ତରିଆ କରି ଛାଡି ଦେଇ ଚାଲିଯାଇଛନ୍ତି, ଯାହା ଫଳରେ ନଳକୂପ ଅଚଳ ହୋଇ ପଡ଼ିରହିଛି। ଏହି ଆଦିବାସୀ ଗାଁରେ ବର୍ତ୍ତମାନ ଗୋଟିଏ ନଳକୂପ ଥିଲେ ମଧ୍ୟ ଜଳସ୍ତର ହ୍ରାସ ପାଉଥିବାରୁ ଲୋକେ ଆବଶ୍ୟକ ମୁତାବକ ପାଣି ପାଇପାରୁ ନାହାନ୍ତି।
ସେହିପରି ବସନ୍ତପଡା ପଞ୍ଚାୟତର ବୁଣ୍ଡେଲ ଗ୍ରାମରେ ମଧ୍ୟ ଶୌର ଶକ୍ତିର ମୋଟର ଖରାପ ଯୋଗୁଁ ୧ ବର୍ଷ ୫ମାସ ହେଲା ଜଳଯୋଗାଣ ବନ୍ଦ ରହିଥିବା ବେଳେ ଅଭିଯୋଗ ପରେ ମଧ୍ୟ କେହି ଶୁଣିନଥିବା ଗାଁ ଲୋକେ କହିଛନ୍ତି।ବଶନ୍ତପଡାର ମାଝୀ ସାହିର ମଧ୍ୟ ୮ ମାସ ହେଲା ବନ୍ଧ ରହିଛି।ଚମ୍ପାଦେଇପୁର ପଞ୍ଚାୟତର ଚନ୍ଦନପୁର ୧ ବର୍ଷ ୭ ମାସ ହେଲା ସୋଲାର ଜଳ ଯୋଗାଣ ବନ୍ଦ ପଡିରହିଛି। ଯାହା ଫଳରେ ପୂର୍ବରୁ ବ୍ୟବହାର କରୁଥିବା ନଳକୂପ କୁ ବାହାର କରି ଦିଆଯାଇଛି। ସେହିପରି ବାତେଲଲିମାଠାରେ ମଧ୍ୟ ଆଜିକି ଢେଡ ବର୍ଷ ହେଲା ସୌରଶକ୍ତି ଅଚଳ ହୋଇ ରହିଛି। ଗାଁ ଲୋକଙ୍କ ଅଭିଯୋଗ ପରେ ଆଜିକୁ ୬ ମାସ ହେଲା ଲାଞ୍ଜିଗଡ଼ ସମିତି ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ ଗାଁକୁ ଆସି ଦେଖିକି ଯାଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ବନ୍ଦ ରହିଛି। ବର୍ଷ ବର୍ଷ ଧରି ଜଳ ଯୋଗାଣ ବନ୍ଦ ଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ପକ୍ଷେ ପ୍ରାୟ ସାଢେ ୩ ବର୍ଷ ହେଲା ବ୍ଲକର ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ସୋଲାର ପାଣି ଟାଙ୍କି ପାନୀୟ ଜଳ ଯୋଗାଣ ପାଇଁ ସ୍ଥାପନ କରା ଯାଇଛି। ହେଲେ ଲୋକେ ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି।ସୋଲାର ଯାନ୍ତ୍ରିକ ତ୍ରୁଟି ହେଲେ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଗକୁ ଖରାଦିନ ଆସୁଥିବାରୁ ଏହି ସବୁ ଅଞ୍ଚଳରେ ପ୍ରଶାସନ ବିକଳ୍ପ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in