ବିଜୁ ପକ୍କା ଘର ବଦଳରେ ଦେହ ଲାଞ୍ଚ ପ୍ରସଙ୍ଗ: ପିଡ଼ିତା ଯୁବତୀଙ୍କ ପରିବାରକୁ କେବେ ମିଳିବ ଆବାସ ଗୃହ?

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଅନେକ ଚର୍ଚ୍ଚିତ ଖବର କିଛି ଦିନ ପରେ ଧିରେ ଧିରେ ଜନତାଙ୍କ ମାନସ ପଟ୍ଟରୁ ଉଭେଇ ଯାଏ। ତେବେ ଏହି ଘଟଣାର ଭୁକ୍ତଭୋଗୀ ଜୀବନ ଥିବା ପର୍ଯ୍ୟନ୍ତ ସେହି ବ୍ୟଥାକୁ ବୋହି ଚାଲିଥାଏ। ସମୟ ଏପରି ବୋହିଯାଏ ଯେ, ସରକାରୀ ପ୍ରତିଶୃତି ମଧ୍ୟ ପାଣିର ଗାର ହୋଇଯାଏ। ଠିକ୍ ଏହିପରି ଏକ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି ମ.ରାମପୁର ଥାନା ଅଞ୍ଚଳର ‘ଆବାସ ଘର ବଦଳରେ ଦେହ ଲାଞ୍ଚ’ ଘଟଣା। ଏକଦା ଏହା କଳାହାଣ୍ଡି ଜିଲ୍ଲାକୁ ସ୍ତବ୍ଧ କରିଦେଇଥିଲା ଓ ରାଜ୍ୟସାରା ଚହଳ ପକାଇ ଦେଇଥିଲା। ବିଜୁପକ୍କା ଘର ପ୍ରଲୋଭନ ଦେଇ ଜଣେ ସରପଞ୍ଚ ହିତାଧିକାରୀ ଯୁବତୀଙ୍କୁ ଦେହ ଲାଞ୍ଚ ମାଗିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସମ୍ପୃକ୍ତ ସରପଞ୍ଚ ଗିରଫ ହେବା ସହ ନିଜ ପଦବୀରୁ ବହିଷ୍କୃତ ହୋଇଛନ୍ତି। ତେବେ ପିଡ଼ିତା ଯୁବତୀଙ୍କ ପରିବାର ଉପରେ ବର୍ତ୍ତମାନ ସୁଦ୍ଧା ପ୍ରଶାସନର ସୁଦୃଷ୍ଟି ପଡିପାରିଲାନାହିଁ। ଏହି ପରିବାର ଅତି ଦୟନୀୟ ସ୍ଥିତି ଦେଇ ଗତି କରୁଥିବା ବେଳେ ଭଙ୍ଗା ଦଦରା ଘରେ ବିତୁଛି ଜୀବନ।

ଏଠାରେ ପ୍ରକାଶଯୋଗ୍ୟ ଯେ, ମ.ରାମପୁର ଥାନା ଅନ୍ତର୍ଗତ ସାଲେପାଲି ପଞ୍ଚାୟତର ସରପଞ୍ଚ କଛାରପାଲି ଗ୍ରାମର ଜଣେ ଯୁବତୀଙ୍କୁ ବିଜୁପକ୍କା ଘର ଯୋଗାଇଦେବାର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବାକୁ ସର୍ତ୍ତ ରଖି ବଳପୂର୍ବକ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ମ.ରାମପୁର ଥାନାରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ପରେ ସମ୍ପୃକ୍ତ ସରପଞ୍ଚ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। ଏହି ମାମଲାର ସମ୍ବେଦନତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ସରପଞ୍ଚଙ୍କୁ ପଦବୀରୁ ବହିଷ୍କାର କରାଯାଇଥିଲା। ଯେଉଁ ଆବାସ ଗୃହ ପାଇଁ ଯୁବତୀ ସରପଞ୍ଚଙ୍କ ଦ୍ୱାରା ଲାଞ୍ଛିତ ହୋଇ ଚର୍ଚ୍ଚାର ପରିଧିକୁ ଆସିଥିଲେ, ସେହି ଆବାସ ଗୃହ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନଥିବାରୁ ଯୁବତୀଙ୍କ ପରିବାର ଲୋକେ ଉଦବେଗ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସେମାନେ ରହୁଥିବା କୁଡିଆ କେଉଁ ମୁହୂର୍ତ୍ତରେ ଭୁଷୁଡି ପଡିବ ତା’ର ଠିକ୍ ଠିକଣା ନାହିଁ। ଏପରି ସ୍ଥିତିରେ ନ୍ୟାୟ ଅପେକ୍ଷାରେ ରହିଥିବା ପିଡ଼ିତା ଯୁବତୀଙ୍କ ପରିବାରକୁ ପ୍ରଶାସନ ଯଥା ଶିଘ୍ର ଆବାସ ଘର ଯୋଗାଇ ଦେବା ପାଇଁ ବିଭିନ୍ନ ମହଲରୁ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.