ସମାଜସେବୀଙ୍କ ହସ୍ତକ୍ଷେପ ପରେ ପୁଣି ପାଠ ପଢିବେ ଦୁଇ ଅସହାୟ ଭାଇ ଭଉଣୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କେନ୍ଦୁପାଟି ପଞ୍ଚାୟତ ବ୍ରାହ୍ମଣୀଗୁଡା ଗାଁରେ ରହୁଛନ୍ତି ତିନିଜଣ ଅନାଥ ଅସହାୟ ଭାଇ ଭଉଣୀ। ପିତା ମାତାଙ୍କ ଦେହାନ୍ତ ପରେ ସେମାନେ ବହୁତ ଅସୁବିଧାରେ ରହୁଛନ୍ତି। ରହିବାପାଇଁ ଭଲ ଘର ଖଣ୍ଡେ ନଥିବା ବେଳେ ନିଜର ବୋଲି ଘରଡିହ ଖଣ୍ଡେ ମଧ୍ୟ ନାହିଁ। ପଞ୍ଚାୟତରୁ ଯାହା ରାସନ ମିଳେ ସେଥିରେ ସେମାନେ କଷ୍ଟେ ମଷ୍ଟେ ଚଳି ଯାଆନ୍ତି। ବଡ ଭାଇ ପର ଘରେ ମୂଳ ଲାଗି ଯାହା ପାଇଲେ ସେଥିରେ ଦୁଇ ଭାଇ ଭଉଣୀଙ୍କୁ ଭରଣ ପୋଷଣ କରନ୍ତି। କିଛିଦିନ ତଳେ ଏହି ସମସ୍ୟା ବିଷୟରେ ସେଠାକାର କିଛି ଯୁବକ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଫୋନ ଯୋଗେ ଜଣେଇଥିଲେ। ଏହି ସମସ୍ୟା ବିଷୟରେ ଜାଣିଲାପରେ ସମାଜସେବୀ ଶ୍ରୀ ରଣା ସେମାନଙ୍କ ପାଖକୁ ଯାଇ ସମସ୍ତ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ଓ ତାଙ୍କୁ ସମସ୍ତ ସରକାରୀ ସହାୟତା ପାଇବାରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ପରେ ଏହି ସମସ୍ୟାକୁ କଳାହାଣ୍ଡି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଜଣେଇ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ। ଅଭିଯୋଗ ପାଇଲାପରେ ଡିସିପିଓଙ୍କ ନିର୍ଦ୍ଦେଶରେ ସିଡବ୍ଲୁସି ସଦସ୍ୟ ଗୁଲାମ ଆଜାଦ ଖାନ ଏହାର ତଦନ୍ତ କରିବାପାଇଁ ବ୍ରାହ୍ମଣୀଗୁଡା ପହଞ୍ଚିଥିଲେ। ଗୁଲାମ ଆଜାଦ ଖାନଙ୍କ ସହ ସମଜସେବୀ ଯଶୋବନ୍ତ ରଣା ଓ ନେହେରୁ ଯୁବ କେନ୍ଦ୍ର ସ୍ବେଛାସେବୀ ମମତା ପ୍ରଧାନ ଉପସ୍ଥିତ ରହି ସମସ୍ତ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିଥିଲେ। ଏଥିରେ ଗାଁ ୱାର୍ଡ ମେମ୍ବର ଓ ସାହି ପଡିଶା ଲୋକେ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ବଡପୁଅ ଧନୁର୍ଜୟ ମାଝୀ ଏବେ ବାଙ୍ଗାଲୋର ଏକ କମ୍ପାନୀରେ ରହି କାମକରି ଭାଇ ଭଉଣୀଙ୍କ ଭରଣ ପୋଷଣ କରୁଛନ୍ତି ବୋଲି ତାଙ୍କର ଜେଜେମା ଓ ପଡିସା ଲୋକେ କହିଥିଲେ। ସେହିପରି ଦ୍ୱିତୀୟ ପୁଅ ତିଳ ମାଝୀ ଆର୍ଥିକ ଅସୁବିଧା ହେତୁ ଅଷ୍ଟମରୁ ପାଠ ଛାଡି ଦେଇଛନ୍ତି। ଯଦି ସରକାରୀ ସହାୟତା ଦେଲେ ମୁଁ ଆଗକୁ ପଢ଼ିବି ବୋଲି କହିଥିଲେ। ତାଙ୍କର ଆଗ୍ରହକୁ ଦେଖି ସ୍ଥାନୀୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ନାମ ଲେଖେଇ ଦେବାକୁ ଯଶୋବନ୍ତ ରଣା ପ୍ରତିଶୃତି ଦେଇଛନ୍ତି। ସେ ପଢିଲେ ତାଙ୍କୁ ବାର୍ଷିକ ୨୪ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସିଡବ୍ଲୁସି ସଦସ୍ୟ ଗୁଲାମ ଆଜାଦ ଖାନ କହିଛନ୍ତି। ସେହିପରି ତୃତୀୟ ଝିଅ ରୋହିଣୀ ମାଝୀ ମଧ୍ୟ ପାରିବାରିକ ଅସୁବିଧା ହେତୁ ଅଧାରୁ ପାଠ ଛାଡିଥିଲେ। ତାଙ୍କୁ ମଧ୍ୟ କୌଣସି ଏକ ଆଶ୍ରମ ସ୍କୁଲରେ ରଖି ପଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଦୁଇ ଭାଇ ଭଉଣୀଙ୍କୁ ପଢ଼ିବାର ବ୍ୟବସ୍ଥା କରିବାପାଇଁ ପ୍ରତିଶୃତି ଦେଇଥିବାରୁ ସେମାନେ ବହୁତ ଖୁସି ହୋଇଥିଲେ। ସମାଜସେବୀ ଯଶୋବନ୍ତ ରଣା, ମମତା ପ୍ରଧାନ ଓ ସିଡବ୍ଲୁସି ସଦସ୍ୟ ସିଡବ୍ଲୁସି ସଦସ୍ୟ ଗୁଲାମ ଆଜାଦ ଖାନଙ୍କ ଏହିପରି ଉଦ୍ୟମକୁ ଗ୍ରାମବାସୀ ସାଧୁବାଦ ଜଣେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.