ଚାଷୀ ଆଣିବେ ମଣ୍ଡିକୁ କପା, ଅବଗତି ପାଇଁ ଗଡିଲା ପ୍ରଚାର ରଥ

ଡିସେମ୍ବର ୬ରୁ ରାୟଗଡା ଉପଖଣ୍ଡରେ ୩ଟି ସ୍ଥାନରେ ଖୋଲିବ କପା ମଣ୍ଡି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆସନ୍ତା ଡିସେମ୍ବର ୬ ତାରିଖରୁ ରାୟଗଡା ଉପଖଣ୍ଡର କୋଲନରା, କଲ୍ୟାଣସିଂହପୁର ଏବଂ ରାୟଗଡା ବ୍ଳକର ତିନୋଟି ସ୍ଥାନରେ ଖୋଲାଯିବ କପା ମଣ୍ଡି । ଏଥି ନିମନ୍ତେ ଚାଷୀ ଓ ବ୍ୟବସାୟୀଙ୍କୁ ଅବଗତି ନିମନ୍ତେ ଆଜି ଠାରୁ ଗଡିଲା ପ୍ରଚାର ରଥ । ରାୟଗଡା ନିୟନ୍ତ୍ରିତ ବଜାର କମିଟି ଆରଏମସି କାର୍ଯ୍ୟାଳୟ ପ୍ରାଙ୍ଗଣରେ କମିଟି ଅଧ୍ୟକ୍ଷ ତଥା ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ପ୍ରଚାର ରଥର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ,ଆରଏମସି ସଂପାଦକ ବିପିନ୍ ବିହାରୀ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଆରଏମସି ଓ କୃଷି ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ରାୟଗଡା ବ୍ଳକ ନିମନ୍ତେ ରାୟଗଡା ଆରଏମସି କାର୍ଯ୍ୟାଳୟ ପ୍ରାଙ୍ଗଣ,କୋଲନରା ବ୍ଳକ ନିମନ୍ତେ ଲେକାପାଇ ଏବଂ କଲ୍ୟାଣସିଂହପୁର ବ୍ଳକର ବୁଡାଗୁଡା ଠାରେ ଆସନ୍ତା ୬ ତାରିଖରେ ମଣ୍ଡି ଖୋଲାଯିବ । ଶୁଖିଲା ଓ ପରିଷ୍କାର କପା ମଣ୍ଡିକୁ ଆଣିବା ପାଇଁ କପା ଚାଷୀ ଓ ବ୍ୟବସାୟୀଙ୍କୁ ଅନୁରୋଧ କରାଯାଇଛି । ଫଳରେ ସେମାନେ ସରକାରୀ ଧାର୍ଯ୍ୟ ମୂଲ୍ୟ ପାଇପାରିବେ । ଚଳିତ ୨୦୨୩-୨୪ ଫସଲ ବର୍ଷ ଭାରତୀୟ କପା ନିଗମ ଲିମିଟେଡ୍ ରାୟଗଡା ଶାଖା କାର୍ଯ୍ୟାଳୟ ତରଫରୁ କେନ୍ଦ୍ର ସରକାର ଘୋଷଣା କରିଥିବା କପା ଫସଲର ବନ୍ନି/ବ୍ରହ୍ମା କିସମର ସମର୍ଥନ ମୂଲ୍ୟ କ୍ୱିଂଟାଲ ପିଚ୍ଛା ୭ ହଜାର ୨୦ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ବନ୍ନି/ବ୍ରହ୍ମା ସ୍ପେଶାଲ କିସମର ସର୍ବନିମ୍ନ ସହାୟତା ମୂଲ୍ୟ ୬ ହଜାର ୯୭୦ଟଙ୍କା ଏବଂ ଏମଇସିଏଚ କିସମ କପା କ୍ୱିଂଟାଲ ପିଚ୍ଛା ୬ ହଜାର ୯୨୦ଟଙ୍କା ଧାର୍ଯ୍ୟ କରାଯାଇଛି । କପା ନିଗମ ଦ୍ୱାରା କେବଳ ଏମଏସପି ମାପଦଣ୍ଡ ହିସାବରେ ଏଫଏକ୍ୱ୍ୟୁ ମାନର କପା କ୍ରୟ କରାଯିବ ବୋଲି ଜଣାପଡିଛି । ଚାଷୀମାନଙ୍କ ପାଇଁ ମଣ୍ଡିରେ ସରକାରୀ ନିୟମ ପ୍ରକାରେ ସମସ୍ତ ପ୍ରକାର ଅନୁସାଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ଅଧ୍ୟକ୍ଷା ତଥା ଉପଜିଲ୍ଲାପାଳ ସଂଘମିତ୍ରା ଦେବୀ ପ୍ରକାଶ କରିଥିବା ବେଳେ ପ୍ରଚାର ରଥଟି ୩ଟି ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରେ ବୁଲି କପା ଚାଷୀ ଓ ବ୍ୟବସାୟୀଙ୍କୁ ଅବଗତି କରିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.