ସମ୍ଭାବ୍ୟ ଅଦିନିଆ ବର୍ଷାକୁ ନେଇ ଜିଲ୍ଳା କୃଷି ବିଭାଗ ତତ୍ପର

ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ରରେ ପରାମର୍ଶ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଭାରତୀୟ ପାଣିପାଗ ବିଭାଗର ସ୍ୱତନ୍ତ୍ର ବାର୍ତା ଗତ ଡିସେମ୍ବର ୧ ତାରିଖ ଅନୁଯାୟୀ ଆସନ୍ତା ଡିସେମ୍ବର ୫ ତାରିଖରୁ ଦକ୍ଷିଣ ଓଡିଶାର ମାଲକାନଗିରି,କୋରାପୁଟ,ରାୟଗଡା,ଗଂଜାମ ଓ ଗଜପତି ଆଦି ଜିଲ୍ଳାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଳାଗୁଡିକୁ ଅରେଂଜ ଆଲର୍ଟ କରାଯାଇଛି । ଏହି ପରିପ୍ରେକ୍ଷୀରେ ସମ୍ଭାବ୍ୟ ଅଦିନିଆ ବର୍ଷା ପରିପ୍ରେକ୍ଷୀରେ ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ରାୟଗଡା ଜିଲ୍ଳା କୃଷି ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ପରାମର୍ଶ ଦିଆଯାଉଥିବା ନେଇ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ ପ୍ରକାଶ କରିଛନ୍ତି । ବିଶେଷ କରି କଟା ହୋଇଯାଇଥିବା ଧାନକୁ ବେଙ୍ଗୁଳା କରି ଦେବା,ଅମଳ ଉପଯୋଗୀ ଧାନ ଓ ଅନ୍ୟାନ୍ୟ ଫସଲକୁ ଆସନ୍ତା ଡିସେମ୍ବର ୪ତାରିଖ ପୂର୍ବରୁ ଅମଳ କରିବା,କଟା ଧାନକୁ ବିଲରେ ନ ଶୁଖାଇବା,ଅମଳ ଉପଯୋଗୀ କପା ଫସଲକୁ ଅତି ଶୀଘ୍ର ଅମଳ କରିବା ଏବଂ ସୁରକ୍ଷିତ ସ୍ଥାନରେ ସାଇତି ରଖିବା,ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବା ପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ସହ ଜଳସେଚନ,ସାର ପ୍ରୟୋଗ ଓ କୀଟନାଶକ ଔଷଧ ସିଂଛନ ସାମୟିକ ବନ୍ଦ ରଖିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଜିଲ୍ଳାର ୧୧ଗୋଟି ବ୍ଳକରେ ପ୍ରଚାର ପ୍ରସାର କରାଯାଉଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ଏଥିସହ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୩ତାରିଖରୁ ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ବିଭାଗୀୟ କ୍ଷେତ୍ର ଅଧିକାରୀମାନଙ୍କ ଛୁଟି ବାତିଲ କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି । ତେବେ ଜିଲ୍ଳାରେ ଗତ ସପ୍ତାହରେ ହୋଇଥିବା ଅଦିନିଆ ବର୍ଷା ଜିଲ୍ଳାର ଅନେକ ଚାଷୀଙ୍କ ଫସଲକୁ ନଷ୍ଟ କରି ଦେଇଥିବା ବେଳେ ଆସୁଥିବା ସମ୍ଭାବ୍ୟ ଅଦିନିଆ ବର୍ଷା ଅଧିକ ପ୍ରଭାବିତ କରିପାରେ ତାହାକୁ ନେଇ ଚିନ୍ତାରେ ଚାଷୀକୂଳ ରହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.